ଦକ୍ଷିଣ ଆଫ୍ରିକା ସିରିଜ୍ ପାଇଁ ବଡ ପରିବର୍ତ୍ତନ, ଟିମ୍ ଇଣ୍ଡିଆ ସହ ରହିବେ ନାହିଁ ଦ୍ରାବିଡ ! ଏହି ପୂର୍ବତନ ଖେଳାଳିଙ୍କୁ ମିଳିପାରେ କୋଚିଂ ଦାୟିତ୍ଵ

Published By : Prameya-News7 Bureau | May 18, 2022 IST

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ପରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ଖେଳିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ସିରିଜ୍‌ ଘରୋଇ ପଡିଆରେ ଖେଳାଯିବ। ଅନେକ ବରିଷ୍ଠ ଖେଳାଳିଙ୍କୁ ସିରିଜରୁ ବିଶ୍ରାମ ଦିଆଯାଇପାରେ। ଆଉ ସବୁଠୁ ବଡ କଥା ଏହି ସିରିଜ୍ ପାଇଁ ଭାରତୀୟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଦଳ ସହିତ ରହିବେ ନାହିଁ।

ରିପୋର୍ଟ ଅନୁଯାୟୀ, ରାହୁଲ ଦ୍ରାବିଡଙ୍କ ସ୍ଥାନରେ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ର ଅଧ୍ୟକ୍ଷ ଭିଭିଏସ  ଲକ୍ଷ୍ମଣ କୋଚ୍ ଭାବେ ଭାରତୀୟ ଦଳରେ ଜଡିତ ହୋଇ ପାରନ୍ତି। କାରଣ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଟେଷ୍ଟ ଦଳରେ ସାମିଲ୍ ଖେଳାଳି ଏବଂ ଅନ୍ୟ ବରିଷ୍ଠ ଖେଳାଳିଙ୍କ ସହ ନିର୍ଦ୍ଧାରିତ ସମୟ ପୂର୍ବରୁ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବେ। ଇଂଲଣ୍ଡ ଗସ୍ତ ଭାରତୀୟ ଦଳ ପାଇଁ ବହୁ ଗୁରୁତ୍ଵ ରହିଛି। ପୂର୍ବ ପ୍ରସ୍ତୁତି ଏବଂ ସେଠାକାର ପରିବେଶ ସହ ଖାପ ଖୁଆଇବା ପାଇଁ ଭାରତୀୟ ଟେଷ୍ଟ ଦଳ ଆଗୁଆ ଇଂଲଣ୍ଡ ଗସ୍ତ କରିବ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ୍ ଜୁନ ୯ ତାରିଖରୁ ଆରମ୍ଭ ହେବ ଏବଂ ଏହା ଜୁନ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସିରିଜ୍‌ରେ ରୋହିତ ଶର୍ମା, ବିରାଟ କୋହଲି, ଋଷଭ ପନ୍ତ, ଯଶପ୍ରୀତ ବୁମରା ଏବଂ କେଏଲ ରାହୁଲଙ୍କୁ ବିଶ୍ରାମ ଦିଆଯାଇପାରେ। ଏମିତିରେ ଶିଖର ଧାଓ୍ଵନଙ୍କୁ ଦଳର ନେତୃତ୍ଵଭାର ଦିଆଯାଇପାରେ।

ସୂଚନା ଅନୁଯାୟୀ, ଜୁନ ୧୫-୧୬ରେ ରାହୁଲ ଦ୍ରାବିଡଙ୍କ ନେତୃତ୍ଵରେ ଭାରତୀୟ ଟେଷ୍ଟ ଦଳ ଇଂଲଣ୍ଡ ଗସ୍ତ କରିବ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଗତ ବର୍ଷ ଖେଳାଯାଇଥିବା ସିରିଜରୁ ଗୋଟିଏ ଟେଷ୍ଟ ମ୍ୟାଚ୍ ବାକି ରହିଛି। ଏହି ମୁକାବିଲା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ନିର୍ଣ୍ଣାୟକ ହେବାକୁ ଯାଉଛି। ଜୁଲାଇ ୧ରୁ ୫ ତାରିଖ ମଧ୍ୟରେ ଏହି ଟେଷ୍ଟ ଖେଳାଯିବ। ଏଥିସହ ଇଂଲଣ୍ଡ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳିବ।

ଉଲ୍ଲେଖନୀୟ ଭିଭିଏସ ଲକ୍ଷ୍ମଣ କିଛି ମାସ ପୂର୍ବେ ଏନସିଏର ନିର୍ଦ୍ଦେଶ ଦାୟିତ୍ଵ ଗ୍ରହଣ କରିଥିଲେ। ଏଥିପାଇଁ ସେ ଭାଷ୍ୟକାର କାମ ଛାଡି ଦେଇଛନ୍ତି। ଭିଭିଏସ ଲକ୍ଷ୍ମଣ ଭାରତୀୟ ଦଳ ସହିତ ୧୯ ବର୍ଷରୁ କମ ବିଶ୍ଵ କପରେ ମଧ୍ୟ କାମ କରିଛନ୍ତି। ୟଶ ଧୁଲଙ୍କ ନେତୃତ୍ଵରେ ଭାରତୀୟ ଦଳ ଚାମ୍ପିଅନ ହୋଇଥିଲା। ଏବେ ଲକ୍ଷ୍ମଣ ଟିମ୍ ଇଣ୍ଡିଆରେ ଯୋଗ ଦେବାକୁ ଯାଉଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ମେ ୨୨-୨୩ରେ ଭାରତୀୟ ଦଳ ଘୋଷଣା ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.