ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ

Published By : Prameya-News7 Bureau | January 28, 2022 IST

ନୂଆଦିଲ୍ଲୀ ୨୮।୦୧: କରୋନାର ଡବଲ୍ ଡୋଜ୍ ପରେ ନୂତନ ପ୍ରଜାତି ଓମିକ୍ରନର ପ୍ରକୋପକୁ ବଞ୍ଚିବା ପାଇଁ ବୁଷ୍ଟର ଡୋଜ୍ ଦିଆଯାଉଛି। ବୁଷ୍ଟର ଡୋଜ୍ ବର୍ତ୍ତମାନ ଇଞ୍ଜେକ୍ସନ ଜରିଆରେ ଲୋକଙ୍କୁ ଦିଆଯାଉଛି। ତେବେ ବୁଷ୍ଟର ଡୋଜ୍‌କୁ ଏବେ ନାକରେ ଦିଆଯାଇ ପାରିବ। ଭାରତ ବାୟୋଟେକ୍ ଦ୍ଵାରା ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ) ମଞ୍ଜୁରୀ ଦେଇଛି। ଡିସେମ୍ବରରେ ଭାରତ  ବାୟୋଟେକ୍ କୋଭିଡ୍ ଟିକାର ବୁଷ୍ଟର ଡୋଜ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଆବେଦନ କରିଥିଲା।

ଭାରତ ସରକାରଙ୍କ ସ୍ଵାସ୍ଥ୍ୟ ସେବା ମହାନିର୍ଦ୍ଦେଶଳୟ ଅନୁଯାୟୀ, ୯ଟି ସ୍ଥାନରେ ଏହି ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯିବ। ଏହି ଟିକା ପ୍ରଥମ ନାଜାଲ ଟିକା, ଯାହାକୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ମଞ୍ଜୁରୀ ମିଳିଛି। ଆବେଦନରେ ଭାରତ ବାୟୋଟେକ୍ ଡବଲ ଡୋଜ୍ ନେଇ ସାରିଥିବା ଲୋକଙ୍କ  ନାକରେ ବୁଷ୍ଟର ଡୋଜ୍‌ର ପରୀକ୍ଷଣ କରିବାକୁ ପ୍ରସ୍ତାବ ଦେଇଥିଲା।

ଭାରତ ବାୟୋଟେକ୍ ମତରେ ଭ୍ୟାକ୍ସିନର ଡବଲ୍ ଡୋଜ୍ ନେଇ ସାରିଥିବା  ଅଢେଇ ହଜାର ଲୋକଙ୍କ ଠାରେ ଏହି ଭ୍ୟାକ୍ସିନର କ୍ଲିନିକଲ ଟ୍ରାଏଲ କରାଯିବ। ବିଶେଷଜ୍ଞଙ୍କ ଅନୁଯାୟୀ, ଦେଶରେ ଓମିକ୍ରନ  ଭାରିଆଣ୍ଟ ମଧ୍ୟରେ ଏହି ଟିକା ବେଶ୍ ଫଳପ୍ରଦ ରହିପାରେ। କିଛି ରିପୋର୍ଟରେ ଦର୍ଶାଯାଇଛି ଯେ,  ନାକରୁ ଦିଆଯିବାକୁ ଥିବା ଟିକା ଓମିକ୍ରନ  ଭାରିଆଣ୍ଟରୁ ସୁରକ୍ଷା ଦେଇ ପାରିବ।

କଣ ଏହି ନାଜାଲ ଭ୍ୟାକ୍ସିନ

ନାଜାଲ ଭ୍ୟାକ୍ସିନ ନାକରେ ଦିଆଯାଉଥିବା ଏକ ଭ୍ୟାକ୍ସିନ। ବ୍ୟକ୍ତିଙ୍କ ନାକରେ ଭ୍ୟାକ୍ସିନର କିଛି ବୁନ୍ଦା ଦିଆଯାଇ ଏହାର ଟିକାକରଣ କରାଯାଏ। ଏଥିରେ ଇଞ୍ଜେକ୍ସନର ଆବଶ୍ୟକତା ପଡିନଥାଏ। ଏହା ଏକ ପ୍ରକାରର ନାଜାଲ ସ୍ପ୍ରେ ପରି ହୋଇଥାଏ। ଏହି ଭ୍ୟାକ୍ସିନର ଲକ୍ଷ୍ୟ ନାକ ଜରିଆରେ ଡୋଜ୍‌କୁ ନିଃଶ୍ଵାସ ରାସ୍ତା ପର୍ଯ୍ୟନ୍ତ ପହଞ୍ଚାଇବା। ଡାକ୍ତରଙ୍କ ମତରେ କୌଣସି ବି ଭାଇରସ୍ ସର୍ବ ପ୍ରଥମେ ନାକ ଜରିଆରେ ଆମ ଶରୀରରେ ପ୍ରବେଶ କରିଥାଏ। କରୋନା ମଧ୍ୟ ଆମ ଶରୀରରେ ପହଞ୍ଚିବାରେ ସବୁଠୁ ପ୍ରମୁଖ ରାସ୍ତା ହେଉଛି ନାକ। ଏମିତିରେ ଏହି ଭ୍ୟାକ୍ସିନ କରୋନାକୁ ଫୁସଫୁସ୍ କିମ୍ବା ଶରୀରର ଅନ୍ୟ ଅଙ୍ଗ ପର୍ଯ୍ୟନ୍ତ ଯିବାରେ ରୋକି ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.