ଆଜି ସନ୍ଧ୍ୟା ଠାରୁ ପ୍ରଚାର ଶେଷ : କ'ଣ ରହିଛି ବ୍ରହ୍ମପୁର ଲୋକସଭା ଏବଂ ଏହା ଅନ୍ତର୍ଗତ ୭ ବିଧାନସଭା ଆସନର ସ୍ଥିତି ଜାଣନ୍ତୁ

Published By : Prameya-News7 Bureau | April 09, 2019 IST

ବ୍ରହ୍ମପୁର ୯/୪ : ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକସଭା ଓ ୨୮ଟି ବିଧାନସଭା ଲାଗି ଆଜି ପ୍ରଚାର ସରୁଛି | ୧୧ ତାରିଖ ଦିନ ଏହି ସବୁ ଆସନରେ ମତ ଗ୍ରହଣ ହେବ | ସେଥିପାଇଁ ସବୁ ପ୍ରାର୍ଥୀ ପ୍ରାଣ ମୁର୍ଚ୍ଛା ପ୍ରଚାର କରି ଭୋଟର ମାନଙ୍କୁ ନିଜ ସପକ୍ଷକୁ ଆଣିବା ଲାଗି ଉଦ୍ୟମ ଚଳାଇଛନ୍ତି | ତେବେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ କଣ ରହିଛି ସ୍ଥିତି ଆସନ୍ତୁ ପକାଇବା ନଜର :


ବ୍ରହ୍ମପୁର : ବ୍ରହ୍ମପୁର ଲୋକସଭା ଆସନରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେଉଛି | ଏଠାରେ ବିଜେଡିର ଚନ୍ଦ୍ର ଶେଖର ସାହୁ, ବିଜେପିର ଭୃଗୁ ବକ୍ସିପାତ୍ର ଏବଂ କଂଗ୍ରେସର ଭି. ଚନ୍ଦ୍ରଶେଖର ଗିରି ନାଇଡୁଙ୍କ ମଧ୍ୟରେ ଟକ୍କର ହେଉଛି | କିନ୍ତୁ ଗତ ୪ ଦିନର ସ୍ଥିତିକୁ ଦେଖିଲେ ଧୀରେ ଧୀରେ ବିଜେପିର ସ୍ଥିତିରେ ଉନ୍ନତି ଘଟିବ ସହ କଂଗ୍ରେସ ବହୁ ପଛରେ ପଡ଼ିଯାଇଥିବା ଜଣାପଡିଛି | ଫଳରେ ଏବେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ଲାଗି ରହିଛି | ବିଜେପି ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ୭ଟି ବିଧାନସଭା ଆସନ ମଧ୍ୟରୁ ପାରଳାଖେମୁଣ୍ଡି, ମୋହନା, ଗୋପାଳପୁର, ଚିକିଟି, ଦିଗପହଣ୍ଡି ଓ ଛତ୍ରପୁରରେ ଆଖି ଦୃଶିଆ ଉନ୍ନତି କରିଛି | ଏଠାରେ ବ୍ରହ୍ମପୁର ବିଧାନସଭା ମଣ୍ଡଳୀ ଏବଂ ଦିଗପହଣ୍ଡି ନିର୍ବଚନ ମଣ୍ଡଳୀର ଭୋଟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ | ଚନ୍ଦ୍ର ଶେଖର ସାହୁଙ୍କ ସ୍ଥିତି ବ୍ରହ୍ମପୁର ବିଧାନସଭା ଆସନରେ ବେଶ ଭଲ ରହିଛି |


ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ୭ଟି ବିଧାନସଭା ଆସନ ମଧ୍ୟରେ କେଉଁଠି ସ୍ଥିତ କଣ ରହିଛି ପକାନ୍ତୁ ନଜର :


ଗୋପାଳପୁର- ଗୋପାଳପୁର ବିଧାନସଭା ଆସନରେ ବିଜେଡିରୁ ପ୍ରଦୀପ ପାଣିଗ୍ରାହୀ, ବିଜେପିରୁ ବିଭୁତି ଜେନା, କଂଗ୍ରେସରୁ ଏସ. ଧର୍ମରାଜ ରେଡ୍ଡୀଙ୍କ ମଧ୍ୟରେ ଟକ୍କର ହେଉଛି | ଏଥର କଂଗ୍ରେସ ତେଲୁଗୁ ଭାଷାଭାଷୀ ବହୁଳ ଗୋପାଳପୁରରେ ଜଣେ ତେଲୁଗୁ ଭାଷୀଙ୍କୁ ପ୍ରାର୍ଥୀ କରିଥିବାରୁ ତେଲୁଗୁ ଭୋଟ ତାଙ୍କୁ ମିଳିବ ସମ୍ଭାବନା ରହିଛି | ଅବଶିଷ୍ଟ ଭୋଟ ଭିତରୁ ପ୍ରଦୀପ ପାଣିଗ୍ରାହୀ ଓ ବିଭୁତି ଜେନାଙ୍କ ପାଖକୁ କେତେ ପ୍ରତିଶତ ଭୋଟ ଯିବ ତାହା କହିବା ମୁସ୍କିଲ | ତେବେ ସାଙ୍ଗଠନିକ ଦକ୍ଷତା ଦୃଷ୍ଟିରୁ ବିଭୁତି ଜେନା ଆଗରେ ଥିବାବେଳେ ନବୀନ ପଟ୍ଟନାୟକଙ୍କ କ୍ରେଯା ଆଧାରରେ ପ୍ରଦୀପ ପାଣିଗ୍ରାହୀ ନିର୍ବାଚନ ବୈତରଣୀ ପାର କରିବା ପାଇଁ ଉଦ୍ୟମ କରୁଛନ୍ତି | ତେବେ ଏତିକି କଥା କୁହାଯାଇପାରେ ଗୋପାଳପୁରରେ ପ୍ରଦୀପ ପାଣିଗ୍ରାହୀ ଓ ବିଭୁତି ଜେନାଙ୍କ ମଧ୍ୟରେ କଡା ମୁକାବିଲା ହେଉଛି | ଉଣେଇଶ ବିଷରେ ନିର୍ବାଚନ ଫଳାଫଳ ହେବ |


ଛତ୍ରପୁରରେ ମଧ୍ୟ ବିଜେପି ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଉଛି | କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ସେଠୀ ପଛରେ ପଡ଼ିଯାଇଥିବା ବେଳେ ବିଜେଡିର ସୁବାସ ବେହେରା ସବୁଠାରୁ ଆଗରେ ଥିବା ଆଲୋଚନା ହେଉଛି |

ବ୍ରହ୍ମପୁର ବିଧାନସଭା ଆସନ କଥା ବିଚାରକୁ ନେଲେ ଏଠାରେ ବିଜେଡିର ପ୍ରାର୍ଥୀ ବିକ୍ରମ ପଣ୍ଡା ମଜବୁତ ସ୍ଥିତିରେ ଅଛନ୍ତି | ବିଜେପିର କାହ୍ନୁ ପତି ଏବଂ କଂଗ୍ରେସର ଲିଙ୍ଗରାଜ ଚୌଧୁରୀ ଏଠାରେ ପ୍ରାର୍ଥୀ ହୋଇଛନ୍ତି |


ଦିଗପହଣ୍ଡି ବିଧାନସଭା ଆସନରେ ତ୍ରିମୁଖୀ ଲଢେଇ ହେଉଛି | ଏଠାରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର | ବିଜେପି ଏଠାରେ ପିଙ୍କି ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ପ୍ରଫୁଲ୍ଲ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି | ଆରମ୍ଭରୁ ବିଜେପିର ସ୍ଥିତି ଠିକ ନଥିଲେ ମଧ୍ୟ ଧୀରେ ଧୀରେ ପିଙ୍କିଙ୍କ ପ୍ରଚାର ବିଜେପିକୁ ଭଲ ସ୍ଥିତିକୁ ନେଇଛି | ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପାଇଁ ଦିଗପହଣ୍ଡି ନିର୍ବାଚନ ଏଥର ଏତେ ସହଜ ହେବନାହିଁ |


ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ମନ୍ତ୍ରୀ ଉଷା ଦେବୀ ଏଥର ପ୍ରଚାରରେ ପଛରେ ପଡିଯାଇଛନ୍ତି | ତାଙ୍କ ହାତ ଭାଙ୍ଗି ଯିବ କାରଣରୁ ଅସଲ ସମୟରେ ସେ ପ୍ରଚାର କରିପାରି ନାହାନ୍ତି | ଆଉ ଏହାର ଭରପୁର ସୁଯୋଗ ନେଇଛନ୍ତି ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟ | କଂଗ୍ରେସର ସୁବାସ ରାଉତ ପଛରେ ପଡିଯାଇଛନ୍ତି |

ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ପୂର୍ଣାବସି ନାୟକ, ବିଜେପିର ପ୍ରଶାନ୍ତ ମଲ୍ଲିକ ଓ କଂଗ୍ରେସର ଦାଶରଥି ଗମାଙ୍ଗ ପ୍ରାର୍ଥୀ ହୋଇଛନ୍ତି | ଏଠାରେ ତ୍ରିମୁଖୀ ଲଢେଇ ହେଉଥିବାରୁ କାହା ପଲ୍ଲା ଭାରି ତାହା କହିବା ମୁସ୍କିଲ |


ପାରଳାଖେମୁଣ୍ଡିରେ ବିଜେଡି ପ୍ରାର୍ଥୀ କଲ୍ୟାଣୀ ଗଜପତି, ବିଜେପି ପ୍ରାର୍ଥୀ ନାରାୟଣ ରାଓ ଓ କଂଗ୍ରେସ ପ୍ରାର୍ଥୀ କେ. ସୂର୍ଯ୍ୟରାଓଙ୍କ ମଧ୍ୟରେ ସ୍ୱାଧୀନ ପ୍ରାର୍ଥୀ ତିରୁପତି ପାଣିଗ୍ରାହୀ ମଧ୍ୟ ନିଜ ସ୍ଥିତି ଜାହିର କରୁଛନ୍ତି | ଯଦିଓ ଏଠାରେ ସୂର୍ଯାରାଓ ଓ ତିରୁପତି ପାଣିଗ୍ରାହୀଙ୍କ ମଧ୍ୟରେ କଂଗ୍ରେସ ଭୋଟ ଭାଗ ହେବ ତଥାପି କଂଗ୍ରେସର ସ୍ଥିତି ଖରାପ ବୋଲି କହିହେବ ନାହିଁ | ତେବେ କଲ୍ୟାଣୀ ଗଜପତିଙ୍କ ଠାରୁ ଯେଉଁ ଆଶା ରଖି ତାଙ୍କୁ ପ୍ରାର୍ଥୀ କରିଥିଲା ସମ୍ଭବତଃ ସେଥିରେ ବିଜେଡିକୁ ହତାଶ ହେବାକୁ ପଡିବ | କାରଣ ଏଠାରେ ବିଜେପିର ନାରାୟଣ ରାଓଙ୍କର ସ୍ଥିତି ମଧ୍ୟ ବେଶ ଭଲ ରହିଛି | ଅବଶ୍ୟ କେ.ସୂର୍ଯ୍ୟରାଓ ଓ ନାରାୟଣ ରାଓଙ୍କ ମଧ୍ୟରେ ତେଲୁଗୁ ଭୋଟ ଭାଗ ହେଲାପରେ କଲ୍ୟାଣୀଙ୍କୁ ଲାଭ ମିଳିବ ବୋଲି ଆଲୋଚନା ହେଉଛି | କିନ୍ତୁ ତେଲୁଗୁ ଭୋଟ ଭାଗରୁ ଯଦି ତିରୁପତି ପାଣିଗ୍ରାହୀ ଲାଭ ଉଠାନ୍ତି ତାହେଲେ କଲ୍ୟାଣୀଙ୍କ ପାଇଁ ବିପଦଜନକ ସ୍ଥିତି ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.