ସେକ୍ସ ରାକେଟ୍ : ବାଂଲା ଦିଦିଙ୍କ ପାସପୋର୍ଟ ଜାଲ୍ ,ଅନ୍ୟକୁ ଦେଇଛନ୍ତି ଡୁପ୍ଲିକେଟ୍,ଏବେ ବି ଲୁଚାଛପାରେ ଚାଲିଛି ରାକେଟ୍

Published By : Prameya-News7 Bureau | February 01, 2020 IST

ଭୁବନେଶ୍ୱର ୧/୨: ସେକ୍ସ ରାକେଟ୍‌ର ଦୁଇ ମୁଖ୍ୟ ଅଭିଯୁକ୍ତ ରୁକ୍‌ସାର ବେଗମ୍‌ ଓରଫ ଅଞ୍ଜଳି ଦିଦି ଓ ତାଙ୍କ ତଥାକଥିତ ସ୍ୱାମୀ ଇବ୍ରାହିମ୍‌ଙ୍କୁ ଜେରା କରି ଏସ୍‌ଟିଏଫ୍‌ ଅନେକ ତଥ୍ୟ ପାଇଛି । ରୁକସାର୍ ଜାଲ କାଗଜପତ୍ର ଜରିଆରେ ଭୁବନେଶ୍ୱରରୁ  ଭାରତୀୟ ପାସ୍‌ପୋର୍ଟ ହାତେଇଛନ୍ତି । ଖାଲି ସେ ନିଜେ ନୁହନ୍ତି, ଏମିତି ଅନେକ ବାଂଲାଦେଶୀଙ୍କୁ ମଧ୍ୟ ପାସ୍‌ପୋର୍ଟ କରାଇ ଦେଇଛନ୍ତି । ଏସବୁ ସୂଚନା ମିଳିବା ପରେ ଏସ୍‌ଟିଏଫ୍‌ ଆରମ୍ଭ କରିଛି ଖୋଳତାଡ଼ ।
  

୨୦୧୩ରେ ରୁକସାର୍ କଟକର ଏକ ଠିକଣା ଦେଇ ପାସ୍‌ପୋର୍ଟ ହାତେଇଥିଲେ । ସେ ପାସ୍‌ପୋର୍ଟ ଜରିଆରେ ୭ ଥର ବାଂଲାଦେଶ ଯାଇଥିଲେ । ସେଠାରୁ ଯୁବତୀମାନଙ୍କୁ ଚାକିରି ଲୋଭ ଦେଖାଇ ଓଡ଼ିଶା ଆଣି ଏଠାରେ ଦେହ ବେପାରରେ ଲଗାଇଥିଲେ । ସେପଟେ ଏସ୍‌ଟିଏଫ୍‌ ଉକ୍ତ ପାସ୍‌ପୋର୍ଟ ରଦ୍ଦ କରିବା ପାଇଁ ଆଞ୍ଚଳିକ ପାସ୍‌ପୋର୍ଟ କେନ୍ଦ୍ରକୁ ଚିଠି ଲେଖିଥିଲେ। ଅନ୍ୟ ପକ୍ଷରେ ଯେଉଁ ଥାନା ଅଞ୍ଚଳରୁ ସେ ପାସ୍‌ପୋର୍ଟ ନେଇଥିଲେ, ସେ ଥାନାର ତତ୍‌କାଳୀନ ଆଇଆଇସିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଥିଲେ। ବଡ଼କଥା ହେଲା କଟକର ଯେଉଁ ଠିକଣା ଦେଇ ସେ ପାସ୍‌ପୋର୍ଟ ହାତେଇଥିଲେ, ସେଠାକୁ ଏସ୍‌ଟିଏଫ୍‌ ଟିମ୍‌ ଯାଇ ଯାଞ୍ଚ କରିଛି । ସ୍ଥାନୀୟ ଲୋକ କହିଛନ୍ତି ସେମିତି ଲୋକ ଏହି ଠିକଣାରେ ଦୀର୍ଘ ୨୦ ବର୍ଷ ହେବ କେହି ରହି ନାହାନ୍ତି । ତେଣୁ ତାଙ୍କୁ ଜାଲ୍‌ କାଗଜପତ୍ର ଦେବାରେ ଯେଉଁମାନେ ସହଯୋଗ କରିଥିଲେ, ସେମାନଙ୍କୁ ଗିରଫ କରିବାକୁ ଯୋଜନା କରିଛି ଏସଟିଏଫ ।

ଶୁକ୍ରବାର ସନ୍ଧ୍ୟାରେ ଏସ୍‌ଟିଏଫ୍‌ ପୁରୁଣା ଭୁବନେଶ୍ୱରରୁ ଆଉ ଜଣେ ବାଂଲା ଲଳନାଙ୍କୁ ଧରିଛି । ରୁକସାରର ସେ ଖାସ ଥିବା ପୁଲିସ୍‌ କହିଛି । ତାଙ୍କୁ ସୁଧାର ଗୃହରେ ଛଡା ଯାଇଛି । ତାଙ୍କୁ ଗିରଫ କରାଯିବ ନାଁ ଛାଡି ଦିଆଯିବ ସେ ବିଷୟରେ କିଛି କହି ନାହାନ୍ତି ଏସ୍‌ଟିଏଫ୍‌ ଏସ୍‌ପି । ଆହୁରି ଅନେକ ବାଂଲାଦେଶୀ ଯୁବତୀ କଟକ ଏବଂ ଭୁବନେଶ୍ବରରେ କେତେକ ସ୍ଥାନରେ ଆତ୍ମଗୋପନ କରିଛନ୍ତି।
  

ପୁରୁଣା ଭୁବନେଶ୍ୱରର ଗୋସାଗରେଶ୍ୱର ଅଞ୍ଚଳରୁ ଗିରଫ ହୋଇଥିବା ଏକ ସେକ୍ସ ରାକେଟ୍‌ର ଦୁଇ ମୁଖ୍ୟ ଅଭିଯୁକ୍ତ ରୁକ୍‌ସାର ବେଗମ୍‌ ଓରଫ ଅଞ୍ଜଳି ଦିଦି ଓ ତାଙ୍କ ସ୍ୱାମୀ ଇବ୍ରାହିମ୍‌ଙ୍କୁ ୩୦ ତାରିଖରେ ଦୁଇ ଦିନିଆ ରିମାଣ୍ଡରେ ଆଣି ଜେରା କରୁଥିଲା ଏସଟିଏଫ । ଆଜି ରିମାଣ୍ଡ ସରିଛି । ଦିଦିଙ୍କ ଠାରୁ ସଂପୂର୍ଣ୍ଣ ତଥ୍ୟ ମିଳି ନଥିବାରୁ ଏସ୍‌ଟିଏଫ୍‌ ତାଙ୍କୁ ପୁଣି ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.