କୋଲାକାତା ଆସି ନିଖୋଜ ଥିଲେ ବାଂଲାଦେଶ ସାଂସଦ, ଫ୍ଲାଟ୍‌ରୁ ମିଳିଲା ଶବ

Published By : Prameya-News7 Bureau | May 22, 2024 IST

ନୂଆଦିଲ୍ଲୀ: ଚିକିତ୍ସା ପାଇଁ ଭାରତ ଆସିଥିବା ବାଂଲାଦେଶ ସାଂସଦଙ୍କ ମୃତ ଦେହ ଉଦ୍ଧାର। ବୁଧବାର ସକାଳେ କୋଲକାତାର ନ୍ୟୁ ଟାଉନ ଫ୍ଲାଟରୁ ମିଳିଛି ବାଂଲାଦେଶ ସାଂସଦ ଅନବାରୁଲ ଅଜୀମଙ୍କ ମୃତ ଦେହ । ଗତ ୧୨ ତାରିଖରେ ଚିକିତ୍ସା ପାଇଁ ଭାରତ ଆସିବା ପରେ ନିଖୋଜ ହୋଇଯାଇଥିଲେ ଅଜୀମ।ଏହା ପରେ ବାଂଲାଦେଶର ଗୁଇନ୍ଦା ବିଭାଗ ଯାଞ୍ଚ ଆରମ୍ଭ କରିଥିଲା। ମାମଲାକୁ ନେଇ ଭାରତ ସହ ଯୋଗାଯୋଗ କରାଯାଇଥିଲା। ଅଜୀମ ବାଂଲାଦେଶ ଆବାମୀ ଲିଗ୍‌ରୁ ତିନିଥର ସାଂସଦ ହୋଇଥିଲେ। ତେବେ ତାଙ୍କ ମୃତ ଦେହ ଉଦ୍ଧାର ପରେ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ତାଙ୍କର ମୃତ୍ୟୁ କିପରି ହେଲା ଆଉ ଏହା ପଛରେ କେହି ଗ୍ୟାଙ୍ଗ୍‌ ଜଡ଼ିତ ରହିଛି ଏହାକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି ?

ସୂଚନା ଅନୁଯାୟୀ, ଅଜୀମ ମେ ୧୨ରେ କୋଲକାତା ଆସିଥିଲେ। ସେ ଏକ ଫ୍ଲାଟରେ ରହିଥିଲେ। ତାଙ୍କ ସହ ତିନି ଅନ୍ୟ ଲୋକ ମଧ୍ୟ ରହିଥିଲେ। ଏହା ପରେ ମେ ୧୪ରେ ତାଙ୍କର ମୋବାଇଲ ବନ୍ଦ ହୋଇଯାଇଥିଲା। ପରିବାର ଲୋକେ ତାଙ୍କ ସହ ଯୋଗଯୋଗ ନକରିପାରିବାରୁ ବାଂଲାଦେଶ ପୋଲିସକୁ ସୂଚନା ଦେଇଥିଲେ। ଏପଟେ କୋଲକାତାରେ ସାଂସଦଙ୍କ ବନ୍ଧୁ ଗୋପାଳ ବିଶ୍ବାସ ମେ ୧୮ରେ ପୋଲିସ ଷ୍ଟେସନରେ ନିଖୋଜ ରିପୋର୍ଟ ରୁଜୁ କରିଥିଲେ। ଏହା ପରେ କୋଲକାତା ପୋଲିସ ସକ୍ରିୟ ହୋଇଥିଲା। 

ସୂଚନା ଅନୁଯାୟୀ, ଅଜୀମ ବାଂଲାଦେଶର ଟ୍ରାନ୍ସପୋର୍ଟ ୟୁନିୟନ ସହ ଜଡ଼ିତ ଥିଲେ। ତାଙ୍କର ନିଜର ମଧ୍ୟ ଟ୍ରାନ୍ସପୋର୍ଟ ବ୍ୟବସାୟ ରହିଛି। କୁହାଯାଉଛି  ଅଜୀମଙ୍କ ମ୍ୟାନେଜରଙ୍କ ପାଖକୁ ଏକ ଫୋନ୍‌ ଆସିଥିଲା ଆଉ ଏଥିରେ ମୋଟା ଅଙ୍କର ଟଙ୍କା ମାଗିଥିଲେ ଦୁର୍ବୁତ୍ତ। ପୋଲିସର କହିବା ଅନୁଯାୟୀ, ଏହି ହତ୍ୟାରେ ଅନ୍ତରାଷ୍ଟ୍ରୀୟ ଆପରାଧିକ ଗ୍ୟାଙ୍ଗର ହାତ ରହିଛି। କିଛି ରିପୋର୍ଟରେ କୁହାଯାଇଛି ଯେ, ସାଂସଦ ନିଜେ ସୁନା ତସ୍କରୀରେ ଜଡ଼ିତ ।

ସେପଟେ ବାଂଲାଦେଶର ଗୃହମନ୍ତ୍ରୀ ଅସଦୁଜ୍ଜମାଂ ଖାନା ଢାକାରେ କହିଛନ୍ତି ଯେ, ସାଂସଦଙ୍କୁ କୋଲକାତାରେ ହତ୍ୟା କରାଯାଇଛି। ଏହା ଏକ ସୁଚିନ୍ତିତ ହତ୍ୟା। ଖୁବଶୀଘ୍ର ହତ୍ୟାର କାରଣ ବିଷୟରେ ଜଣାପଡ଼ିବ। ଭାରତୀୟ ପୋଳିସ ମାମଲାରେ ସହଯୋଗ କରୁଛନ୍ତି। ବାଂଲାଦେଶ ପୋଲିସ ଏହି ପ୍ରସଙ୍ଗରେ ତିନି ଜଣକୁ ଗିରଫ କରିଛି। ଏପର୍ଯ୍ୟନ୍ତ ଏଥିରେ ସାମିଲ୍‌ ଥିବା ସବୁ ହତ୍ୟାକାରୀ ବାଂଲାଦେଶୀ ବୋଲି ଜଣାପଡ଼ିଛି।

ଶେଷ ଥର ପାଇଁ ତାଙ୍କୁ ୧୩ ମେରେ ମେଡିକାଲ ଯାଞ୍ଚ ପାଇଁ କୋଲକାତା ବିଧାନନଗର ସ୍ଥିତ ଏକ ଘରକୁ ଯାଇଥିଲେ। କୋଲକାତାର ବିଧାନନଗରରେ ରହୁଥିବା ତାଙ୍କ ବନ୍ଧୁ କହିଛନ୍ତି ସାଂସଦ ଦିଲ୍ଲୀ ଯିବାର ଥିଲା କିନ୍ତୁ ଏହା ପରଠାରୁ ତାଙ୍କ ସହ କୌଣସି ଯୋଗାଯୋଗ ହୋଇନଥିଲା। 

ବାଂଲାଦେଶ ପୋଲିସ ପ୍ରାରମ୍ଭିକ ଯାଞ୍ଚରେ ଜଣେ ମହିଳାଙ୍କ ସମେତ ଚାରି ଜଣକୁ ଅଭିଯୁକ୍ତ ଭାବରେ ଚିହ୍ନଟ କରିବା ସହ ତିନି ଜଣକୁ ଗିରଫ କରିଛି। ସେମାନଙ୍କୁ ପଚରା ଉଚରା କରାଯାଉଛି। ଆକ୍ରମଣକାରୀ ବାଂଲାଦେଶୀ। ମୃତ ସାଂସଦଙ୍କ ବିରୋଧରେ ୨୧ ଆପରାଧିକ ମାମଲା ରୁଜୁ ହୋଇଛି। ଆକ୍ରମଣକାରୀ ପୁରୁଣା ଅପରାଧୀ। ଏହି ଆକ୍ରମଣକାରୀଙ୍କ ସହ ଏକ ପୁରୁଣା ମାମଲାରେ ଜଡ଼ିତ। କୁହାଯାଉଛି ଏହି କାରଣରୁ ହତ୍ୟା ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.