ପୋଲିସଠୁ ମାଡ ଖାଇ ଓଭର ବ୍ରିଜ ତଳେ ଶୋଇଲେ, ଦୁର୍ଦ୍ଦଶାରେ ବାନ୍ଦ୍ରାରେ ଏକାଠି ହୋଇଥିବା ଶ୍ରମିକ

Published By : Prameya-News7 Bureau | April 15, 2020 IST

ମୁମ୍ବାଇ, ୧୫|୦୪:  କରୋନା ସଂକ୍ରମଣ ରୋକିବାକୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହା ମଧ୍ୟରେ ମୁମ୍ବାଇର ବାନ୍ଦ୍ରାରେ ମଙ୍ଗଳବାର ହଜାର ସଂଖ୍ୟକ ଲୋକ ସଡକକୁ ଓହ୍ଲାଇ ଆସିଥିଲେ । ଏତେ ସଂଖ୍ୟକ ଲୋକ ଏକା ସାଙ୍ଗରେ ସଡକକୁ ଓହ୍ଲାଇ ଆସିବାରୁ କରୋନା ବ୍ୟାପିବାର ବିପଦ ବଢି ଯାଇଥିଲା। ସେମାନଙ୍କୁ ଘଉଡାଇବା ପାଇଁ ପୋଲିସ ଲାଠିଚାର୍ଜ କରିଥିଲା । ତେବେ ଅନେକ ଶ୍ରମିକ କେଉଁଆଡେ ନଯାଇ ଓଭର ବ୍ରିଜ ତଳେ ଶୋଇଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ଏହି ସବୁ ଲୋକ ଖାଇବା ସମସ୍ୟା ଅଭିଯୋଗ କରିବା ସହ ଘରକୁ ଯିବା ପାଇଁ ବ୍ୟବସ୍ଥା କରିବାକୁ ଦାବି କରି ବାନ୍ଦ୍ରା ରେଲଓ୍ଵେ ଷ୍ଟେସନ ପାଖରେ ରୁଣ୍ଡ ହୋଇଥିଲେ। କରୋନାରେ ସବୁଠୁ ଅଧିକ ପ୍ରଭାବିତ ମୁମ୍ବାଇରେ ଏହି ଧରଣର ଭିଡ ସଭିଙ୍କୁ ହତଚକିତ କରିଥିଲା। ଭିଡରେ ଏକତ୍ର ହୋଇଥିବା ଅଧିକାଂଶ ଲୋକ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକ। ଲୋକଙ୍କ କହିବା କଥା ଏଠାରେ ସେମାନଙ୍କୁ ଖାଇବା-ପିଇବା ଏବଂ ରହିବାରେ ସମସ୍ୟା ହେଉଛି, ଏଥିପାଇଁ ସେମାନେ ଘରକୁ ଯିବାକୁ ଚାହୁଁଛନ୍ତି। ଘଟଣାସ୍ଥଳରେ ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା। ଲାଠିଚାର୍ଜରେ ଅନେକ ଆହତ ମଧ୍ୟ ହୋଇଥିଲ। ଲାଠିଚାର୍ଜ ପରେ ସେଠାରୁ ଲୋକେ ହଟି ଯାଇଥିଲେ ମଧ୍ୟ ପରେ ସେମାନେ କେଉଁଆଡେ ଯାଇ ନପାରି ଓଭର ବ୍ରିଜ ତଳେ ଶୋଇ ରହିଥିଲେ ।

{"id":254591,"width":768,"height":473,"sizeSlug":"large"}

ଶ୍ରମିକ ଏହା ଭାବି ଷ୍ଟେସନ ପହଞ୍ଚି ଯାଇଥିଲେ ଯେ,  ଲକ୍‌ଡାଉନ୍‌ ଶେଷ ହୋଇ ଯାଇଛି। ସେମାନଙ୍କୁ ଏବେ ନିଜ ଘରକୁ ଯିବା ପାଇଁ ଟ୍ରେନ ମିଳିଯିବ। ହଜାର ସଂଖ୍ୟାରେ ଭିଡ ଦେଖି ପୋଲିସ ପ୍ରଶାସନର ହୋସ୍ ଉଡି ଯାଇଥିଲା ।

ବାନ୍ଦ୍ରା ରେଳ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ବିଶାଳ ସମାବେଶ ମାମଲାରେ ପୋଲିସ ବିନୟ ଦୁବେ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ବିନୟ ଦୁବେଙ୍କୁ ନାଭି ମୁମ୍ବାଇ ପୋଲିସ ଗିରଫ କରି ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିଥିଲା । ଲକ୍ ଡାଉନ୍ ବେଳେ ବିନୟ ଦୁବେ ଲୋକଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ଏହି ମାମଲାରେ ରାଜନୀତି ମଧ୍ୟ ଆରମ୍ଭ ହୋଇ ଯାଇଛି। ମହାରାଷ୍ଟ୍ରର ମନ୍ତ୍ରୀ ତଥା ଶିବସେନା ନେତା ଆଦିତ୍ୟ ଠାକରେ ଏହି ସ୍ଥିତି ପାଇଁ କେନ୍ଦ୍ର ସରକାରଙ୍କୁ ଦୋଷ ଦେଇଛନ୍ତି। ଆଦିତ୍ୟ ଟୁଇଟ୍ କରି କହିଛନ୍ତି ଯେ, ବାନ୍ଦ୍ରାରେ ଏକତ୍ର ହୋଇଥିବା ଲୋକେ ଏବେ ଚାଲି ଯାଇଛନ୍ତି। ମାତ୍ର ଏହି ସ୍ଥିତି ଏଥିପାଇ ଉପୁଜିଛି କାରଣ ସରକାର ସେମାନଙ୍କର କଥା ଶୁଣି ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.