ରିଲିଜ୍‌ ହେଲା ଜୀ ସାର୍ଥକର ନୂଆ ସିନେମା ’ଡିଟେକ୍ଟିଭ୍ କରନ୍‌- ଅର୍ଜୁନ’ର ଅଡିଓ, ମାର୍କେଟରେ ଚହଳ ସୃଷ୍ଟି କରିବ ‘ଭାଉଜ ଗୋ ଭାଉଜ’ ଗୀତ

Published By : Prameya-News7 Bureau | May 05, 2022 IST

ଭୁବନେଶ୍ୱର ୦୫/୦୫ : ଜୀ ସାର୍ଥକର ନୂଆ ସିନେମା ‘ଡିଟେକ୍ଟିଭ୍ କରନ୍‌- ଅର୍ଜୁନ’ର ସଂଗୀତ ମୁକ୍ତିଲାଭ କରିଛି। ଫିଲ୍ମରେ  ୩ ଟି ଗୀତ ରହିଥିବା ବେଳେ ଏଥିରେ ଡ. ନିର୍ମଳ ନାୟକ ଓ ଅଭିଜିତ ମଜୁମଦାରଙ୍କୁ ସଙ୍ଗୀତକାର ଯୋଡ଼ି ଭାବେ ପୁଣିଥରେ ଦେଖିବାକୁ ମିଳିବେ। ଯେଉଁଥିରୁ ‘ଭାଉଜ ଗୋ ଭାଉଜ’ ଗୀତଟି ମାର୍କେଟରେ ଚହଳ ସୃଷ୍ଟି କରିବ ବୋଲି ଜୀସାର୍ଥକ ଆଶା ରଖିଛି । ଏହି ଗୀତକୁ ନିଜେ ପପୁ ପମପମ ଗାଇଥିବା ବେଳେ ତାଙ୍କ ସହ କଣ୍ଠ ଶୀଳ୍ପି ସ୍ମୃତି ସାଥ ଦେଇଛନ୍ତି  । ସେହିପରି  ଏଥିରେ ‘ ଏକ୍ ଦୋ ତିନି ଚାର୍‌, ଚାରିଆଡେ ଦିଶୁଛି ମୋ ପ୍ୟାର’ ଗୀତରେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଓ କଣ୍ଠଶୀଳ୍ପି ସଂଜୁ କଣ୍ଠଦାନ କରିଛନ୍ତି। ‘ଛାଡରେ ସାଙ୍ଗ ଗନ୍ଧିଆ କଥା’ ଗୀତକୁ ଗାୟିକା ଇଶ୍ୱରୀ ଗାଇଛନ୍ତି । ସମସ୍ତ ଗୀତକୁ ଗୀତିକାର ଡ. ନିର୍ମଳ ନାୟକ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ସଂଗୀତରେ ସଜାଇଛନ୍ତି । ସବୁତକ ଗୀତ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ପୁରା ଟିମ୍ ଆଶାବାଦୀ  ଅଛନ୍ତି।

ଆସନ୍ତା ୧୫ ତାରିଖ ସଂଧ୍ୟା ୬ଟା ୩୦ରେ ଏହି ଚଳଚ୍ଚିତ୍ରଟି ଜୀ ସାର୍ଥକରେ ରିଲିଜ ହେବ । କିନ୍ତୁ ତା ପୂର୍ବରୁ ଅଡିଓ ରିଲିଜ କରିବାର ପରମ୍ପରା ଜୀ ସାର୍ଥକ ଆରମ୍ଭ କରିଛି। ‘ଦିଦି ନମସ୍କାର’ରୁ ଏହି ପରମ୍ପରା ଆରମ୍ଭ ହୋଇଥିବା ବେଳେ ସିନେମା ରିଲିଜ୍ ହେବା ପୂର୍ବରୁ ଅଡିଓ ରିଲିଜ କରି ଜୀ-ସାର୍ଥକ ଓଲିଉଡରେ ନୂଆ ମାଇଲଷ୍ଟୋନ ତିଆରି କରିପାରିଛି । ଜୀ ସାର୍ଥକ ଫିଲ୍ମସ ଓ ଲିପ୍ସା ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ହେଉଛି ନୂଆ ସିନେମା ‘ଡିଟେକ୍ଟିଭ୍ କରନ୍-ଅର୍ଜୁନ’ । ଏହି ଚଳଚ୍ଚିତ୍ରରେ ନୂଆ ଅବତାରରେ  ଓଲିଉଡ୍‌ର କମେଡି କିଙ୍ଗ ପପୁ ପମପମଙ୍କୁ ଦେଖିବାକୁ ମିଳିବ। ତାଙ୍କ ସହ ପ୍ରଜ୍ଞା ଖଟୁଆଙ୍କ ଦମଦାର ଅଭିନୟର ମଜା ନେବେ ଦର୍ଶକ। ଉଭୟ ପପୁ ଓ ପ୍ରଜ୍ଞା ‘କରନ୍‌- ଅର୍ଜୁନ୍‌’ ଭୂମିକାରେ ଅଭିନୟ କରିଛନ୍ତି। ସେହିପରି ନାୟିକା ସାଜିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ମହାନ୍ତି, ପ୍ରିୟଙ୍କା ମହାପାତ୍ର ଏବଂ ଲିପ୍ସା ମିଶ୍ର ।

 ଅନ୍ୟମାନଙ୍କ ମଧ୍ୟରେ ଟୁକୁନା ଷ୍ଟାଇଲିସ୍‌, ପ୍ରଜ୍ଞା ମହାନ୍ତି, ଜୀବନ ପଣ୍ଡା, କୁନା ତ୍ରିପାଠୀ, ହାଡ଼ୁ, ଅରବିନ୍ଦ ଷଢ଼ଙ୍ଗୀ, ରାଜୀବ, କାଳୀ, ମନୋଜ, ସୁଶା ଦିଗବିଜୟ, ସୁମିତ ଓ ସଂଗ୍ରାମ ପ୍ରମୁଖ ଅଭିନୟ କରିଛନ୍ତି । ପପୁ ପମ୍‌ପମ୍‌ ନିଜେ ସିନେମାର କାହାଣୀ ଲେଖିଥିବା ବେଳେ ଅଶ୍ୱିନୀ ଗଡ଼ନାୟକ ନିର୍ଦ୍ଦେଶନା ଦେଇଛନ୍ତି । ଏହି ସିନେମାର ସଂଳାପ ଟୁକୁନା ଷ୍ଟାଇଲିସ୍ ଲେଖିଛନ୍ତି । ଚଳଚ୍ଚିତ୍ରର କାହାଣୀ ସହିତ ସଙ୍ଗୀତ ମଧ୍ୟ ଲୋକାଦୃତ ହୋଇ ପାରିବ ବୋଲି ଜୀସାର୍ଥକ ପକ୍ଷରୁ ଆଶା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.