ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ବିରୋଧରେ ଗିରଫ ପରୱାନା ଜାରି

Published By : Prameya-News7 Bureau | May 18, 2024 IST

indiatoday

ନୂଆଦିଲ୍ଲୀ: ଯୌନ କେଳେଙ୍କାରୀ ମାମଲାରେ ଅଭିଯୁକ୍ତ ନିଲମ୍ବିତ ଜେଡିଏସ୍ ନେତା ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି। ଗତ ମାସ ଯୌନ ନିର୍ଯାତନାର କିଛି ଭିଡିଓ ସୋସିଆଲ୍ ମିଡିଆରେ  ଭାଇରାଲ୍ ହେବା ପରେ ପ୍ରଜ୍ଜ୍ୱଳ ରେଭନ୍ନା ରାତାରାତି ଦେଶ ଛାଡ଼ି ପଳାଯାଇଥିଲେ। ଏବେ ସେ ଜର୍ମାନୀରେ ଥିବା କୁହାଯାଉଛି। ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବାକୁ କର୍ଣ୍ଣାଟକ ପୁଲିସ ଏସ୍ଆଇଟି ଟିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରଜ୍ଜ୍ୱଳଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡ଼ାଙ୍କ ନାତୀ ପ୍ରଜ୍ଜ୍ୱଳ ରେଭନ୍ନା ଏଥର ହସନ ଲୋକସଭାରୁ ଉଭୟ ବିଜେପି ଓ ଜେଡିଏସ୍ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଏପ୍ରିଲ ୨୬ ତାରିଖରେ ଏହି ଆସନରୁ ନିର୍ବାଚନ ସରିଯାଇଛି। ନିର୍ବାଚନ ସରିବା ପରେ ତାଙ୍କ ସହ ସମ୍ପୃକ୍ତି ଶତାଧିକ ଯୌନ କେଳେଙ୍କାରୀ ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ସେ ଫେରାର୍ ହୋଇଯାଇଥିଲେ। ପ୍ରଜ୍ଜ୍ୱଳଙ୍କ ବିରୋଧରେ ଦୁଷ୍କର୍ମ, ଅସଦାଚରଣ, ଧମକ ଦେବା ଓ ବ୍ଲାକମେଲ୍ କରିବା ଆଦି ଅଭିଯୋଗ ହୋଇଛି। ଅନ୍ତର୍ଜାତୀୟ ପୁଲିସ ଇଣ୍ଟରପୋଲ ପକ୍ଷରୁ ତାଙ୍କୁ ଧରିବାକୁ ଏକ ବ୍ଲୁ କର୍ଣ୍ଣର ନୋଟିସ୍ ଜାରି କରାଯାଇଛି। 

ସୂଚନା ଥାଉକି ଯୌନ କେଳେଙ୍କାରୀ ମାମଲାରେ କେବଳ ପ୍ରଜ୍ଜ୍ୱଳ ନୁହଁନ୍ତି ତାଙ୍କ ବାପା ଏଚ୍‌ଡି ରେଭନ୍ନାଙ୍କ ନାଁରେ ମଧ୍ୟ ଅଭିଯୋଗ ରହିଛି। ଏଚ୍‌ଡି ରେଭନ୍ନାଙ୍କୁ ପୂର୍ବରୁ ଅପହରଣ ମାମଲାର ବେଲ୍ ମିଳିଥିବା ବେଳେ ଯୌନ ନିର୍ଯାତନା ମାମଲାରେ ମଧ୍ୟ ଅନ୍ତରୀଣ ଜାମିନ ଦିଆଯାଇଛି। ଶୁକ୍ରବାର କୋର୍ଟ ତାଙ୍କର ଅନ୍ତରୀଣ ଜାମିନ ଅବଧିକୁ ମେ ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.