ଉଦଳା: ରାତିରେ ସ୍କୁଟିରେ ଆସୁଥିଲେ, କାନ୍ଥ ତାଡ଼ି ମୋବାଇଲ ଦୋକାନରୁ ଚୋରି କରି ନେଉଥିଲେ । ଅନେକ ଦିନରୁ ଚଳାଇଥିଲେ ଆତଙ୍କରାଜ। ହେଲେ ଏବେ ପୋଲିସ କବଜାରେ ଏବେ ଏହି ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ।
ସୂଚନାଥାଉକି, ଗତ ମାସ ୨୫ ତାରିଖରେ ଖୁଣ୍ଟା ଅଞ୍ଚଳରେ ଏକ ମୋବାଇଲ ଦୋକାନ କାନ୍ଥ ତାଡି ଚୋରମାନେ ସବୁ ମୋବାଇଲ ଲୁଟି ନେଇଥିବା ଖୁଣ୍ଟା ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ତଦନ୍ତକ୍ରମେ ପୋଲିସ ଘଟଣାରେ ସମ୍ପୃକ୍ତ ୫ ଜଣ ଆନ୍ତଃ ଜିଲ୍ଲା ଲୁଟେରାଙ୍କୁ ପୋଲିସ ଗିରଫ କରିଛି।
ଗିରଫଙ୍କ ମଧ୍ୟରେ ୪ ଜଣ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କର ମାଷ୍ଟରମାଇଣ୍ଡ ଲୁଟେରା କପ୍ତିପଦା ଥାନା ଅଞ୍ଚଳର ଅମରଜିତ ପ୍ରଧାନକୁ ମଧ୍ୟ ପୋଲିସ ଗିରଫ କରିଛି। ଗିରଫ ଲୁଟେରାମାନଙ୍କ ନିକଟରୁ ଚୋରି କରିଥିବା ୨ଟି ଟାବଲେଟ, ୩୬ଟି ମୋବାଇଲ, ସିସିଟିଭି କ୍ୟାମେରା ସମେତ ଗୋଟିଏ ସ୍କୁଟି ଏବଂ ଲୁଟରେ ବ୍ୟବହାର କରୁଥିବା କଟର ପୋଲିସ ଜବତ କରିଛି।
ଏହି ଲୁଟେରାମାନେ ବିଶେଷକରି ବିଭିନ୍ନ ମୋବାଇଲ ଦୋକାନକୁ ଟାର୍ଗେଟ କରି ଲୁଟ କରୁଥିବା ବେଳେ ଏମାନେ ମୟୁରଭଞ୍ଜ, ବାଲେଶ୍ୱର ଜିଲ୍ଲା ଅଞ୍ଚଳରେ ଅନେକ ଦୋକାନ ଲୁଟ ଅପରାଧରେ ସାମିଲ ରହିଛନ୍ତି। ଗିରଫ ୫ ଜଣକ ହେଲେ ରେମୁଣା ଅଞ୍ଚଳର ଶିବ ଦାସ, ପୃଥିରାଜ ପାତ୍ର, ଦିବ୍ୟରଞ୍ଜନ ବେହେରା, ନସୀମ ଖାନ ଏବଂ ମାଷ୍ଟରମାଇଣ୍ଡ କପ୍ତିପଦା ଅଞ୍ଚଳର ଅମରଜିତ ପ୍ରଧାନ।