ବେରୁଟ ବିସ୍ଫୋରଣର ପ୍ରଭାବ: ଜନତା ଆଗରେ ମୁଣ୍ଡ ନୁଆଁଇଲେ ସରକାର, ଲେବାନନ ପ୍ରଧାନମନ୍ତ୍ରୀ ସମେତ ପୂରା କ୍ୟାବିନେଟ୍‌ର ଇସ୍ତଫା

Published By : Prameya-News7 Bureau | August 11, 2020 IST

ନୂଆଦିଲ୍ଲୀ ୧୧।୦୮: ଲେବାନନର ରାଜଧାନୀ ବେରୁଟରେ ଘଟିଥିବା ବଡ ଧରଣର ବିସ୍ଫୋରଣର ଏକ ସପ୍ତାହ ପରେ ପ୍ରଧାନମନ୍ତ୍ରୀ ସମେତ ପୂରା ସରକାର ସୋମବାର ରାତିରେ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ହସନ ଦିୟାବ ସୋମବାର ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରି ପୂରା ସରକାର ଇସ୍ତଫା ଦେଇଥିବା ଖବର ନିଜେ ଘୋଷଣା କରିଛନ୍ତି। ଏହି ବିସ୍ଫୋରଣ ପରଠୁ ଦେଶରେ ସରକାର ବିରୋଧୀ ପ୍ରଦର୍ଶନ ଜାରି ରହିଥିଲା। ଲୋକେ ସରକାରଙ୍କ ଇସ୍ତଫା ଦାବି କରୁଥିଲେ। ଶେଷରେ ଜନତାଙ୍କ ଆକ୍ରୋଶ ଆଗରେ ମୁଣ୍ଡ ନୁଆଁଇଛନ୍ତି ସରକାର। ସୋମବାରେ ସନ୍ଧ୍ୟାରେ ଲୋକେ ପ୍ରଧାନମନ୍ତ୍ରୀ ବାସଭବନ ବାହାରେ ମଧ୍ୟ ପ୍ରଦର୍ଶନ କରିଛନ୍ତି। ଏହା ପୂର୍ବରୁ ଚାରି ମନ୍ତ୍ରୀ ଇସ୍ତଫା ଦେଇଥିଲେ।

{"id":313041,"sizeSlug":"large"}

ଏହି କ୍ରମରେ ସୋମବାର ଆଇନ ମନ୍ତ୍ରୀ ମେରି କ୍ଲାଉଡ ନଜମ ଓ ଅର୍ଥ ମନ୍ତ୍ରୀ ଗାଜି ଓଜନୀ ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷେ ରବିବାର ପରିବେଶ ମନ୍ତ୍ରୀ ଦାମିୟନୋସ କତ୍ତର ଓ ସୂଚନା ମନ୍ତ୍ରୀ ମନଲ ଅବ୍ଦଲ ସମଦ କ୍ୟାବିନେଟ୍‌ରୁ ଇସ୍ତଫା ଦେଇଥିଲେ। ଲୋକଙ୍କ ଅଭିଯୋଗ ଦେଶରେ ଜାରି ଆର୍ଥିକ ସଙ୍କଟର ମୁକାବିଲାରେ ବିଫଳ ହେବା ସହିତ ସରକାର ବିସ୍ଫୋରଣ ପରେ ଗମ୍ଭୀର ନାହାନ୍ତି। ଏତେ ବଡ ଅଘଟଣ ପରେ ବି ସରକାର ବେପରୁଆ ରହିଛନ୍ତି।

ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଲୋକେ ରବିବାର ବେରୁଟରେ ସଂସଦ ନିକଟସ୍ଥ ମାର୍ଗକୁ ବନ୍ଦ କରି ଦେଇଥିଲେ। ଏଠାରେ ସହିଦ ଛକରେ ପ୍ରାୟ ୧୦ ହଜାର ଲୋକ ରୁଣ୍ଡ ହୋଇଥିଲେ। ପୁଲିସ କର୍ମୀ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ମଧ୍ୟ ହୋଇଥିଲା। ଲୋକେ ପୁଲିସକର୍ମୀଙ୍କ ଉପରେ ପଥରମାଡ କରିଥିଲେ। ପ୍ରଦର୍ଶନକାରୀଙ୍କୁ ଘଉଡାଇବା ପାଇଁ ପୁଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା।

{"id":313042,"sizeSlug":"large"}

ବିବିସିର ରିପୋର୍ଟ ଅନୁଯାୟୀ ମୃତକଙ୍କ ସଂଖ୍ୟା ୨୦୦କୁ ବୃଦ୍ଧି ଘଟିଛି। ଦର୍ଜନ ଲୋକ ଏବେ ମଧ୍ୟ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ବିଦେଶୀ କର୍ମଚାରୀ ମଧ୍ୟ ସାମିଲ। ଆହତଙ୍କ ସଂଖ୍ୟା ୭୦୦୦ରୁ ଅଧିକ ରହିଛି। ଏହା ମଧ୍ୟରେ ସେନା ବିସ୍ଫୋରଣର କେନ୍ଦ୍ର ସ୍ଥଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ବନ୍ଦ କରି ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.