ନୂଆଦିଲ୍ଲୀ ୨୦/୦୫ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କର ୨୦୨୨ ମେ ୨୧ ରେ ଦୁଇ ଦିନିଆ ଅରୁଣାଚଳ ପ୍ରଦେଶ ଗସ୍ତର କାର୍ଯ୍ୟକ୍ରମ ରହିଛି। ମେ ୨୧ରୁ ୨୨ ପର୍ଯ୍ୟନ୍ତ ତାଙ୍କର ପୁର୍ବୋତ୍ତର ରାଜ୍ୟରେ ଦୁଇ ଦିନିଆ ଯାତ୍ରା ସମୟରେ ସେ ସାମୁହିକ କାର୍ଯ୍ୟକ୍ରମରେ ଭାଗନେବା ସହିତ ବିଭିନ୍ନ ବିକାସ ଯୋଜନାର ଉଦଘାଟନ କରିବେ। ଏହାସହ ସେଠାରେ ସେ ଭାରତ-ତିବ୍ବତ ବୋର୍ଡର ପୋଲିସ (ଆଟିବିପି) ଓ ସଶସ୍ତ୍ର ସୀମାବଳ (ଏସଏସବି)ର ଯବାନ ମାନଙ୍କ ସହିତ କଥାବାର୍ତ୍ତା କରିବେ।
ଗୃହ ମନ୍ତ୍ରଣାଳୟ ତରଫରୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ଦେଶର ଅଭ୍ୟନ୍ତରିଣ ସୁରକ୍ଷା ଓ ସୀମା ସୁରକ୍ଷା ପାଇଁ ବିଭିନ୍ନ ସମ୍ବେଦନ ଶୀଳ ଅଞ୍ଚଳରେ ନିୟୋଜିତ ଅଛନ୍ତି। ଯାତ୍ରାର ପ୍ରଥମ ଦିନ ଗୃହମନ୍ତ୍ରୀ ଅରୁଣାଚଳ ପ୍ରଦେଶରେ ଥିବା ତିରପ ଜିଲ୍ଲାରେ ୧୧:୪୦ରେ ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେବେ। ପରେ ସେ ମଧ୍ୟାହ୍ଣ ୨:୪୫ରେ ଲୋହିତ ଜିଲ୍ଲାରେ ଥିବା ପର୍ଶୁରାମ କୁଣ୍ଡ ଯାତ୍ରା କରିବେ।
ଗସ୍ତର ଦ୍ୱିତୀୟ ଦିନରେ ଅମିତ ଶାହ ସକାଳ ୯:୩୦ରେ ଅରୁଣାଚଳ ପ୍ରଦେଶର ନାମସାଇ ସହରରେ ସାମାଜିକ ସଙ୍ଗଠନ ସହିତ ବୈଠକ କରିବେ। ପରେ ସେଠାରେ ଥିବା ଗୋଲଡେନ ପାଗୋଡ଼ା ମନ୍ଦିରରେ ପୂଜା କରିବେ। ସେଠାରୁ ଯାଇ ଗୃହମନ୍ତ୍ରୀ ଏକ ଜନସଭା ଓ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ ଓ ରବିବାର ସକାଳ ୧୧ ଟା ସମୟରେ ନାମସାଇ ଅଞ୍ଚଳରେ ବିଭିନ୍ନ ବିକାସ ପରିଯୋଜନାରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
ଏହାପରେ ଗୃହମନ୍ତ୍ରୀ ସୁରକ୍ଷା ଓ ବିକାସ ଓ ପରିଯୋଜନାର ସମୀକ୍ଷା କରିବେ। ପରେ ସେ ନମସାଇରେ ସେନା, ଆଇଟିବିପି, ଏସଏସବି, ଆସାମ ରାଇଫଲ୍ସ , ସୀମା ସଡ଼କ ସଙ୍ଗଠନ ଓ ରାଷ୍ଟ୍ରୀୟ ରାଜମାର୍ଗ ଅବସଂରଚନା ନିଗମ ଲିମିଟେଡର କର୍ମଚାରୀମାନଙ୍କ ସହିତ କଥାବାର୍ତ୍ତା କରିବେ। ସେଠାରେ ‘ବଡ଼ା ଖାନା’ କାର୍ଯ୍ୟକ୍ରମପରେ ମଧ୍ୟ ସେ ଭାଗ ନେବେ। ‘ବଡ଼ା ଖାନା’ ଏକ ସାମୁହିକ ଭୋଜନ କାର୍ଯ୍ୟକ୍ରମ ଯେଉଁଠି ସେନାର ସମସ୍ତ ରେଙ୍କର ଯବାନ ଓ ସିଏପିଏଫ (କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ) ଯବାନ ଏକାଠି ଭୋଜନ କରନ୍ତି ।