ଶାହଙ୍କ ଫେକ୍ ଭିଡିଓ ମାମଲାରେ ଆକ୍ସନ, ତେଲଙ୍ଗାନା ସିଏମଙ୍କୁ ଫୋନ ସହ ହାଜର ହେବା ପାଇଁ ଦିଲ୍ଲୀ ପୋଲିସର ସମନ

Published By : Prameya-News7 Bureau | April 29, 2024 IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଏଡିଟେଡ୍ ଭିଡିଓ ମାମଲାରେ ଏବେ ଦିଲ୍ଲୀ ପୋଲିସ ଆକ୍ସନ ମୋଡକୁ ଆସିଛି । ଦିଲ୍ଲୀ ପୋଲିସର ଆଇଏଫଏସଓ ୟୁନିଟ୍ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡିଙ୍କୁ ସମନ ପଠାଇଛି । ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ପଚରାଉଚରା ପାଇଁ ଡକାଯାଇଛି । ଦିଲ୍ଲୀ ପୋଲିସର ଏହି ୟୁନିଟ୍ ସିଏମ୍ ରେଭନ୍ଥା ରେଡ୍ଡୀଙ୍କୁ ମେ ୧ରେ ତଦନ୍ତରେ ସହଯୋଗ ପାଇଁ ହାଜର ହେବାକୁ କହିଛି । ନ୍ୟୁଜ୍ ଏଜେନ୍ସି ଏନଆଇନ ସୂତ୍ରକୁ ନେଇ ସୂଚନା ଦେଇଛି ଯେ ଦିଲ୍ଲୀ ପୋଲିସ ନୋଟିସରେ ସିଏମଙ୍କୁ ନିଜ ମୋବାଇଲ ଫୋନ ଧରି ଆସିବାକୁ କୁହାଯାଉଛି ଯେଉଁଥିରେ ଫେକ୍ ଭିଡିଓ ଏକ୍ସରେ ସେୟାର କରାଯାଇଥିଲା ।

ସୂତ୍ର ଅନୁସାରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍ ଫୋନର ଯାଞ୍ଚ କରାଯିବ । କୁହାଯାଉଛି ଯେ ସିଏମ୍ ରେଭନ୍ଥ ରେଡ୍ଡି ନିଜ ଏକ୍ସ ଆକାଉଣ୍ଟରୁ ଅମିତ୍ ଶାହଙ୍କ ଫେକ୍ ଭିଡିଓ ସେୟାର କରିଥିଲେ । ସେହି ଭିଡିଓକୁ ତେଲଙ୍ଗାନା କଂଗ୍ରେସର ଅଫିସିଆଲ୍ ଏକ୍ସ ଆକାଉଣ୍ଟ ସହ କିଛି ଅନ୍ୟ ନେତା ମଧ୍ୟ ସେୟାର କରିଥିଲେ । ସେପଟେ ଖବର ଅନୁସାରେ ଦିଲ୍ଲୀ ପୋଲିସର ଗୋଟିଏ ଟିମ୍ ହାଇଦ୍ରାବାଦରେ ଉପସ୍ଥିତ ଅଛି ।

ଉଲ୍ଲେଖଯୋଗ୍ୟ ଯେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଏକ ଫେକ୍ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ମାମଲାରେ ଦିଲ୍ଲୀ ପୋଲିସ ରବିବାର ଅଭିଯୋଗ ମିଳିବା ପରେ ମାମଲା ରୁଜୁ କରିଥିଲା । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରା ସହ ଆଇଟି ଆକ୍ଟ ଅଧିନରେ ମାମଲା ରୁଜୁ କରିଛି । ସ୍ପେଶାଲ ସେଲ୍ ସହ ଜଡିତ ସୂତ୍ର ଅନୁସାରେ ଏହି ମାମଲାରେ ପୋଲିସ ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ଗିରଫଦାରୀ କରିପାରେ ।

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.