ଦୁର୍ନୀତି କଥା କହି ବିଜେଡି ସରକାରକୁ ଘେରିଲେ ଶାହ, କହିଲେ-ସବୁଥାଇ ବି ସମୃଦ୍ଧିରୁ ଦୂରରେ ଓଡ଼ିଶା, ବିଜେପି ଆସିଲେ ଉଦ୍ୟୋଗ ଆଣିବ

Published By : Prameya-News7 Bureau | April 25, 2024 IST

ସୋନପୁର: ରାଜ୍ୟରେ ପାରଦ ଯେତିକି ଉପର ମୁହାଁ, ରାଜନୀତି ସେତିକି ଗରମ । ଲୋକସଭା ନିର୍ବାଚନ ପାଇଁ ଓଡ଼ିଶାରେ ମେ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ହେବାକୁ ଯାଉଛି । ଏଥିପାଇଁ ପ୍ରଚାର ମୈଦାନରେ ବିଜେପିର ହେଭିୱେଟ ନେତା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଶୁକ୍ରବାର ସୋନପୁରରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ବିଜେପି ସରକାର ଗଠନ ନେଇ କର୍ମୀଙ୍କ ମଧ୍ୟରେ ଯୋଶ ଭରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହ ଜୟ ଜଗନ୍ନାଥ, ଜୟ ଶ୍ରୀରାମ ନାରାକୁ ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, 'ଆଜି ପ୍ରଥମ ଥର ଓଡ଼ିଶାର ଲୋକସଭା ଏବଂ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଆସିଛି । ସାରା ଦେଶରେ ଲୋକସଭାର ନିର୍ବାଚନ ଚାଲିଛି । ପୂର୍ବ-ପଶ୍ଚିମ-ଉତ୍ତର-ଦକ୍ଷିଣ ସବୁ ଆଡେ ମୁଁ ଯାଉଛି, ସବୁଠି ମୋଦୀ ମୋଦୀ ନାରା ଗୁଞ୍ଜରିତ ହେଉଛି । ଆଜି ଓଡ଼ିଶାରେ ବି ମାହୋଲ ମୋଦୀମୟ । ସାରା ଦେଶର ଲୋକ ତୃତୀୟ ଥର ପାଇଁ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରି ପଠାଇବାକୁ ଯାଉଛନ୍ତି । ଓଡ଼ିଶାବାସୀ ବି ୨୦ରୁ ଅଧିକ ଆସନ ଦେଇ ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାକୁ ଯାଉଛନ୍ତି । ଏହାସହ ଓଡ଼ିଶାର ଲୋକ ଓଡ଼ିଶାର ଅସ୍ମିତା, ସାହିତ୍ୟ ପାଇଁ ପ୍ରଥମ ଥର ବିଜେପିର ପୂର୍ଣ୍ଣ ସରକାର ଗଠନ କରିବାକୁ ଯାଉଛନ୍ତି ।'

ଅମିତ୍ ଶାହ କହିଛନ୍ତି, 'ଯିଏ ନିଜ ରାଜ୍ୟର  ଭାଷା, ସାହିତ୍ୟ ଏବଂ ସଂସ୍କୃତିର ଗୌରବାନ୍ୱିତ କରି ନପାରିଛି ସେ ରାଜ୍ୟକୁ ଆଗକୁ ନେଇ ପାରିବ ନାହିଁ । ମୁଁ ସ୍ପଷ୍ଟତାର ସହ କହୁଛି ଯେ ଏଠି ଯେଉଁ ସରକାର ଅଛି ସେ ଓଡ଼ିଶାକୁ କେବଳ ବିକାଶଠାରୁ ଦୂରେଇ ରଖିନି ବରଂ ଅଫିସରଙ୍କ ସହ ମିଶି ଭୟଙ୍କର ଦୁର୍ନୀତି କରିଛି । ଓଡ଼ିଆ ଭାଷା ଏବଂ ସାହିତ୍ୟରୁ ବଞ୍ଚିତ କରିଛି । ଅନ୍ୟପଟେ ଗତ ୧୦ ବର୍ଷରେ ଯେଉଁଠି ବି ଡବଲ ଇଞ୍ଜିନ ସରକାର ଅଛି ସେହି ରାଜ୍ୟ ବିକାଶରେ ବହୁ ଆଗରେ ରହିଛି ।'

ଶାହ କହିଛନ୍ତି, 'ସବୁଠୁ ଅଧିକ ଖଣିଜ ସମ୍ପଦ ଓଡ଼ିଶାରେ ଅଛି, ସବୁଠୁ ଅଧିକ ପାଣି ଓଡ଼ିଶାରେ ଅଛି ତଥାପି ଓଡ଼ିଶାରେ ସମୃଦ୍ଧ ନାହିଁ । ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି । ମୁଁ ଆପଣଙ୍କୁ ବିଶ୍ୱାସ ଦେଉଛି ଯେ ଓଡ଼ିଶାରେ ନବୀନ ବାବୁଙ୍କ ସରକାରକୁ ହଟାଇ ବିଜେପିକୁ ଆଣନ୍ତୁ, ଓଡ଼ିଶାରୁ କେହି ପଳାୟନ କରିବେ ନାହିଁ । ବାହାରୁ ଉଦ୍ୟୋଗ କିପରି ଓଡ଼ିଶା ଆସିବ ବିଜେପି ତାର ବ୍ୟବସ୍ଥା କରିବ ।'

ଶାହ କହିଛନ୍ତି, 'ଗତ ୧୦ ବର୍ଷରେ ମୋଦୀ ଜୀ ଦୀର୍ଘ ଦିନରୁ ଝୁଲି ରହିଥିବା ମାମଲାର ସମାଧନ କରିଛନ୍ତି । କଂଗ୍ରେସ ପାର୍ଟି ରାମ ମନ୍ଦିର ପ୍ରସଙ୍ଗକୁ ଅଟକାଇ ରଖିଥିଲା । ମୋଦୀ ଜୀ ଦ୍ୱିତୀୟ କାର୍ଯ୍ୟକାଳରେ ମନ୍ଦିର ନିର୍ମାଣ କରି ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା କଲେ । ଏଠାକାର ସରକାର ରାମ ମନ୍ଦିର କାର୍ଯ୍ୟକ୍ରମରୁ ଧ୍ୟାନ ହଟାଇବାକୁ ଚକ୍ରାନ୍ତ କଲେ, କିନ୍ତୁ ଓଡ଼ିଶାବାସୀ ତାକୁ ବିଫଳ କରାଇଲେ ।' 

ଏହାସହ ଅମିତ୍ ଶାହ କଂଗ୍ରେସକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, 'କଂଗ୍ରେସ ସରକାର ସମୟରେ ପାକିସ୍ତାନରୁ ଆଲିଆ, ମାଲିଆ ଆସି ବିସ୍ଫୋରଣ କରି ଚାଲି ଯାଉଥିଲେ । କିନ୍ତୁ ମୋଦୀ ସରକାରରେ ସର୍ଜିକାଲ ଷ୍ଟ୍ରାଇକ୍, ଏୟାରଷ୍ଟ୍ରାଇକ୍ କରି ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ।' 

ଏହାସହ ସେ ମୋଦୀ ସରକାରଙ୍କ ୧୦ ବର୍ଷର ଉପଲବ୍ଧିକୁ ମଧ୍ୟ ଲୋକଙ୍କ ସାମନାରେ ରଖିଛନ୍ତି । ସେ କହିଛନ୍ତି, 'ମୋଦୀ ସରକାର ୮୦ କୋଟି ଲୋକଙ୍କୁ ରାସନ ଦେଉଛନ୍ତି । କିନ୍ତୁ ବିଜେଡି ସରକାର ଏହା ଦେଉଛି ବୋଲି କହି ମିଛ ପ୍ରଚାର କରୁଛି । ସାରା ଦେଶରେ ୧୨ କୋଟି ଶୌଚାଳୟ, ୪ କୋଟି ଘର, ୧୪ କୋଟି ଘରେ ନଳରେ ଜଳ ଯୋଗାଣ ମୋଦୀ ସରକାର କରିଛନ୍ତି । ଓଡ଼ିଶାକୁ ବି ୧୦ ହଜାର କୋଟି ଟଙ୍କା ଦିଆଗଲା, କିନ୍ତୁ ବିଜେଡି ସରକାର ଖର୍ଚ୍ଚ କରିପାରିଲା ନାହିଁ । ଦେଶରେ ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ଟଙ୍କ ଖର୍ଚ୍ଚ କରୁଛନ୍ତି ମୋଦୀ । କିନ୍ତୁ ଓଡ଼ିଶାରେ ନବୀନ ସରକାର ଏହାକୁ ଲାଗୁ କରୁ ନାହାନ୍ତି । ବିଜେପି ସରକାର ଆସିଲେ, ଏହାକୁ ଲାଗୁ କରାଯିବ ।'

ଶାହ କହିଛନ୍ତି, 'ବିଜେପି ସରକାର ଆସିଲେ ରାଜ୍ୟରେ ଟେକ୍ସଟାଇଲ୍ ମିଲ୍ ନିର୍ମାଣ କରି କପା ଚାଷୀଙ୍କ କଲ୍ୟାଣ କରିବୁ । ରାଜ୍ୟରେ ଫିସରି କଲେଜ କରି ମତ୍ସ୍ୟଜୀବୀଙ୍କ ମଙ୍ଗଳ କରିବୁ । ଅନ୍ୟପଟେ ବିଜେଡି କେନ୍ଦ୍ରର ସବୁ ଯୋଜନାକୁ ହାଇଜ୍ୟାକ୍ କରୁଛି । କିନ୍ତୁ ଓଡ଼ିଶାବାସୀ ସବୁ ଜାଣିଛନ୍ତି । ଆମ ମହାପ୍ରଭୂଙ୍କ ଗୌରବମୟ ସ୍ଥାନକୁ ପର୍ଯ୍ୟଟନ ନାଁରେ ତାର ଗୌରବକୁ କମ କରିବାକୁ ଉଦ୍ୟମ କରାଯାଇଛି । ବିଜେପି ସରକାର ଆସିଲେ କାଶୀ ବିଶ୍ୱନାଥଙ୍କ ପରି ପୁରୀ ସମଗ୍ର ବିଶ୍ୱରେ ଜଗନ୍ନାଥଙ୍କ ମହିମା ମଣ୍ଡନ କରିବ ।'

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.