ସୋଆରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ, ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କଲେ ଅମିତ ବାନାର୍ଜୀ

Published By : Prameya-News7 Bureau | January 27, 2022 IST

ଭୁବନେଶ୍ୱର, ୨୭/୦୧ : ୨୦୨୨ ବର୍ଷ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଓ ଶୁଭପ୍ରଦ । ଚଳିତ ବର୍ଷ ଦେଶ ୭୫ତମ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବା ସହ ୭୩ ତମ ଗଣତନ୍ତ୍ର ଦିବସ ମଧ୍ୟ ପାଳନ କରୁଛି । ସେହିପରି ଚଳିତ ବର୍ଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜନ୍ମ ବାର୍ଷିକୀ । ଏଥିସହିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟ ଏହି ବର୍ଷ ୨୫ ବର୍ଷ ପୂରଣ କରିଛି । ତେଣୁ ଏସବୁ ଦୃଷ୍ଟିରୁ ୨୦୨୨ ସୋଆ ପରିବାର ପାଇଁ ଖୁବ୍ ଗର୍ବର ବର୍ଷ ବୋଲି ମତ ରଖିଛନ୍ତି ସୋଆର ପ୍ରୋ-ଚ୍ୟାନ୍‌ସେଲର ପ୍ରଫେସର ଅମିତ ବାନାର୍ଜୀ ।

୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ସୋଆ ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିବା ଅବସରରେ ଏହା କହିଛନ୍ତି ପ୍ରଫେସର ବାନାର୍ଜୀ । ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଆମ ପାଠ୍ୟକ୍ରମ ସହ ସଂଶ୍ଲିଷ୍ଟ କରିବା ନେଇ ଆମେ ସମସ୍ତେ ଶପଥ କରିବା ଉଚିତ୍‌ ବୋଲି ପ୍ରଫେସର ବାନାର୍ଜୀ କହିଛନ୍ତି । ଏହି ଅବସରରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଯୋଗ ଦେଇ ଆଗାମୀ ପିଢ଼ି କିଭଳି ଗଣତନ୍ତ୍ର ଦିବସର ଗାରିମା ଓ ଗୁରୁତ୍ୱକୁ ବୁଝିବେ ସେ ଦିଗରେ ସମସ୍ତେ ଯତ୍ନବାନ ହେବା ଉଚିତ୍ ବୋଲି କହିଥିଲେ ।

କୋଭିଡ ମହାମାରୀର ୨ ବର୍ଷ ଭିତରେ ପିଲାମାନଙ୍କର ପାଠପଢ଼ା ଅନେକ ମାତ୍ରାରେ କ୍ଷତିଗ୍ରସ୍ତ ହେବା ନେଇ ସେ ଉଦ୍‌ବେଗ ପ୍ରକାଶ କରିଥିଲେ । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା ସୋଆ ସାରା ରାଜ୍ୟ ଓ ଦେଶରେ ଉଦାହରଣ ସୃଷ୍ଟି କରିଛି । ମହାମାରୀ ସମୟରେ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ପ୍ରଦାନ କରିବାରେ ସୋଆ ପକ୍ଷରୁ ଉତ୍ତମ ପଦକ୍ଷେପ ଗ୍ରହଣ କରାଯାଇଛି । ତେଣୁ ୨୫ ବର୍ଷ ପୂରଣ କରିଥିବା ସୋଆ ସ୍ୱାସ୍ଥ୍ୟ, ଶିକ୍ଷା ଓ ଗବେଷଣା କ୍ଷେତ୍ରରେ କିଭଳି ଆଗାମୀ ବର୍ଷରେ ଆହୁରି ଉଚ୍ଚକୋଟୀର କାର୍ଯ୍ୟ କରିବ ସେ ଦିଗରେ ସମସ୍ତେ ପ୍ରଚେଷ୍ଟା କରିବା ଉଚିତ୍ ବୋଲି ପ୍ରଫେସର ମହାପାତ୍ର କହିଥିଲେ ।

ଏହି ଅବସରରେ ପ୍ରୋ-ଭିସି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଚିଫ୍ ଆଡ୍‌ମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା, ଜଏଂଟ ରେଜିଷ୍ଟ୍ରାର ଡଃ ଶଶାଙ୍କ ମିଶ୍ର ଓ ସୋଆ ଆଉଟ୍‌ରିଚ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଊପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.