ବାପା ଓ ଶିଶୁକନ୍ୟାକୁ ହାଣି ପଙ୍ଗୁ କରିଥିିଲା, ଦୋଷୀ ଯୁବକକୁ କୋର୍ଟ ଦେଲେ ୭ ବର୍ଷ ଜେଲ୍‌ଦଣ୍ଡ

Published By : Prameya-News7 Bureau | September 20, 2021 IST

ନୀଳଗିରି ୨୦।୯: ତିନି ମାସର ଶିଶୁ କନ୍ୟା ଓ ତାଙ୍କ ବାପାଙ୍କୁ ଅତି ଅମାନୁଷିକ ଭାବେ ହାଣି ପଙ୍ଗୁ କରିଦେଇଥିବା ମାମଲାରେ ଆକ୍ରମଣକାରୀ ଦୋଷୀ ସାବ୍ୟସ୍ତ । ନୀଳଗିରି ସହକାରୀ ଦୈରାଜଜ୍ ମଧୁସ୍ମିତା ଜେନା ବର୍ଷେ ତଳେ ଘଟିଥିବା ଘଟଣାରେ ରାୟ ଶୁଣାଇ ଅଭିଯୁକ୍ତ ଗଣେଶ ନାଇକିକୁ ଦୋଷୀ ଘୋଷଣା କରିବା ସହ ୭ ବର୍ଷ ଜେଲ୍‌ ଏବଂ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ସୂଚନା ଅନୁଯାୟୀ ୨୦୨୦ ମସିହା ଅଗଷ୍ଟ ମାସ ୧୧ତାରିଖରେ ନୀଳଗିରି ଅନ୍ତର୍ଗତ ଔପଦା ଥାନା ଅଧିନ ପାଇକପଡା ଗାଁରେ ଏହି ଲୋମହର୍ଷଣକାରୀ ଘଟଣାଟି ଘଟିଥିଲା । ପାଇକପଡା ଗାଁରେ ପଙ୍କଜ ନାଇକି ତାଙ୍କ ୩ ମାସର ଶିଶୁ କନ୍ୟାକୁ କାଖେଇ ଘରେ ଥିବାବେଳେ ସେହି ଗ୍ରାମର ଗଣେଶ ଏକ ଧାରୁଆ ଅସ୍ତ୍ରରେ ଆତର୍କିତ ଭାବେ ଉଭୟଙ୍କୁ ଆକ୍ରମଣ କରିଥିଲା । ଫଳରେ ଶିଶୁ କନ୍ୟାର ଶରୀରରୁ ହାତ ଛିଣ୍ଡି ଯାଇଥିଲା ଏବଂ ତାର ପଙ୍କଜ ନାଇକିଙ୍କ ହାତରେ ଗଭୀର କ୍ଷତ ଲାଗିଥିଲା। ଉଭୟ ବିକଳାଙ୍ଗ ହୋଇଥିବା ସୂଚନା ମିଳିଛି। ପାରିବାରିକ ଶତ୍ରୁତାକୁ ନେଇ ଗଣେଶ ଏଭଳି ଆକ୍ରମଣ କରିଥିଲା ବୋଲି ଜଣାପଡିଥିଲା ।

ଏହି ମାମଲାର ଚୂଡ଼ାନ୍ତ ଶୁଣାଣି କରି ନୀଳଗିରି ସହକାରୀ ଦୈରାଜଜ୍ ମଧୁସ୍ମିତା ଜେନା ଅଭିଯୁକ୍ତ ଗଣେଶ ନାଇକିଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଦୋଷୀକୁ ୩ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ହେବ ବୋଲି ନୀଳଗିରି ସହକାରୀ ଦୌରାଜଜ ନିର୍ଦ୍ଦେଶରେ ଦର୍ଶାଇଛନ୍ତି । ୧୧ ଜଣ ସାକ୍ଷ୍ୟ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ସହକାରୀ ଦୈରା ଜଜ୍ ଦଣ୍ଡିତ କରିଥିବା ସୂଚନା ମିଳିଛି। ଏହି କେଶକୁ ସରକାରୀ ଓକିଲ ଅମରେନ୍ଦ୍ର ପଟ୍ଟନାୟକ ପରିଚାଳନା କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.