୫ଟି ଦେଶର ଅଜବ ନିୟମ: ସାମାନ୍ୟ ଭୁଲ କଲେ ଭୋଗିବାକୁ ପଡ଼ିବ କଠୋର ଦଣ୍ଡ

Published By : Prameya-News7 Bureau | May 05, 2024 IST

The Star

ପ୍ରତି ଦେଶରେ କିଛି ନା କିଛି କାର୍ଯ୍ୟକଳାପ ଉପରେ ଥାଏ ପ୍ରତିବନ୍ଧକ। ସାମାନ୍ୟ ଭୁଲ କଲେ ଭୋଗିବାକୁ ପଡ଼ିବ କଠୋର ଦଣ୍ଡ। ଅନେକ କଠୋର ନିୟମ ସମାଜ, ପରିବେଶ କିମ୍ବା ମାନବିକତା ଦୃଷ୍ଟିକୋଣରୁ ଭଲ ନୁହେଁ।  ଏପରି କିଛି  କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଏ ଯାହାକୁ ଆପଣ ନିଜ ଜୀବନରେ ପ୍ରାୟତଃ ବ୍ୟବହାର କରନ୍ତି। ଆସନ୍ତୁ ଆଜି ଆପଣଙ୍କୁ ସେହି ୫ଟି ଦେଶ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ଏପରି ଜିନିଷ ନିଷେଧ ଯାହାକି ଆପଣ କଳ୍ପନା କରିପାରିବେ ନାହିଁ।

ହ୍ୱିସିଲ୍: ଗ୍ୱାଟେମାଲା ମଧ୍ୟ-ଆମେରିକାର ଏକ ଦେଶ। ଏଠାରେ ହ୍ୱିସିଲ୍ ମାରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ଦେଶରେ, ଆପଣ ହ୍ୱିସିଲ୍ ତିଆରି କିମ୍ବା ବିକ୍ରୟ କରିପାରିବେ ନାହିଁ। ଏଠାରେ କେବଳ ପୋଲିସ ବିଭାଗର କର୍ମଚାରୀ ଏହାକୁ ବ୍ୟବହାର କରିପାରିବେ। ସରକାର ଏହି ପ୍ରସଙ୍ଗରେ କହିଛନ୍ତି ଯେ ସାଧାରଣ ଲୋକମାନେ ପୋଲିସ ବ୍ୟବହାର କରୁଥିବା ହ୍ୱିସିଲର ଅପବ୍ୟବହାର କରିପାରନ୍ତି, ତେଣୁ ଏହି ନିଷ୍ପତ୍ତି ନିଆଯାଇଛି।

ବେବି ୱାକର୍: ବେବି ୱାକର୍ ଛୋଟ ପିଲାଙ୍କ ପାଇଁ ସବୁଠୁ ଅଧିକ ବିକ୍ରି ହେଉଥିବା ଖେଳନା। ଭାରତ ସମେତ ଅନେକ ଦେଶରେ ଶିଶୁ ଚାଲି ଶିଖିବା ପାଇଁ ବ୍ୟବହାର କରାଯାଏ। ତେବେ କାନାଡାରେ ଏହାକୁ ବ୍ୟାନ୍ କରାଯାଇଛି। ସେଠାରେ କେହି ବେବି ୱାକର୍ ତିଆରି କିମ୍ବା କିଣି ପାରିବେ ନାହିଁ। କାନାଡା ସରକାର ଏହାର ନିଷେଧାଦେଶର ଯୁକ୍ତି ମଧ୍ୟ ଦର୍ଶାଇଛନ୍ତି। ଏଥିରେ ପିଲାମାନେ ପଡ଼ିଯିବା କିମ୍ବା ଆହତ ହେବାର ଆଶଙ୍କା ରହିଥାଏ।  ଯଦି କୌଣସି ପରିବାର ନିଜ ପିଲାଙ୍କ ପାଇଁ ବେବି ୱାକର ବ୍ୟବହାର କରି ଧରାପଡ଼ନ୍ତି, ତେବେ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ।

ହିଲ୍ ଚପଲ: ମହିଳାମାନେ ହିଲ୍ ଚପଲକୁ ବହୁତ ପସନ୍ଦ କରନ୍ତି। ଏହାକୁ ପିନ୍ଧିବା ଦ୍ୱାରା ମହିଳାମାନଙ୍କର ଉଚ୍ଚତା ବଢିଥାଏ। ତେବେ ଗ୍ରୀସରେ ମହିଳାମାନେ ଏହି ଚପଲକୁ ବ୍ୟବହାର କରିବା ମନା। ଏହି ନିଷେଧ ସମଗ୍ର ଗ୍ରୀସରେ ନାହିଁ। କେବଳ ଐତିହାସିକ ସ୍ଥାନ ବା ସ୍ମାରକୀ ପୀଠ ପରିଦର୍ଶନ କରିବା ସମୟରେ ଏହାକୁ ପିନ୍ଧିବା ନିଷେଧ ରହିଛି। ଏହି ନିୟମ ଗ୍ରୀସରେ ୨୦୦୯ରେ ଲାଗୁ କରାଯାଇଥିଲା।

ମାନଚିତ୍ର: ମରକ୍କୋ ଉତ୍ତର ଆଫ୍ରିକାର ଏକ ଦେଶ, ଯେଉଁଠି ମାନଚିତ୍ର ବା ମ୍ୟାପ୍ ନିଷେଧ। ଏହି ଦେଶରେ ସବୁ ମାନଚିତ୍ର ଉପରେ ନିଷେଧ ନଥାଏ। ପଶ୍ଚିମ ସାହାରାର ବିବାଦୀୟ ଅଞ୍ଚଳକୁ ଦର୍ଶାଇଥିବା ସମସ୍ତ ମାନଚିତ୍ର ଏଠି ବ୍ୟାନ୍ କରାଯାଇଛି। କାରଣ ମରକ୍କୋରେ ବ୍ୟବହୃତ ମାନଚିତ୍ରରେ ପଶ୍ଚିମ ସାହାରା ନାହିଁ ବୋଲି କୁହାଯାଏ।

ଚୁଇଙ୍ଗମ୍: ଏସିଆରେ ମଧ୍ୟ ଏପରି ଏକ ଦେଶ ଅଛି ଯେଉଁଠାରେ ଚୁଇଙ୍ଗମ୍ ଭଳି ଏକ ସାଧାରଣ ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସିଙ୍ଗାପୁରରେ ଏହାକୁ କରାଯାଇଛି ବ୍ୟାନ୍। ୧୯୯୧ ମସିହାରେ, ଚୁଇଙ୍ଗମର ଆମଦାନୀ ଏବଂ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଯଦି କୌଣସି ବ୍ୟକ୍ତି ସିଙ୍ଗାପୁରରେ ଚୁଇଙ୍ଗମ୍ ବିକ୍ରୟ, କିଣିବା କିମ୍ବା ଖାଇବା ଦେଖିବାକୁ ମିଳେ, ତେବେ ତାଙ୍କୁ ୮୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.