ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ହାଫିଜ ସୟିଦର ୩ ସହଯୋଗୀଙ୍କୁ ୧୬ ବର୍ଷ ଜେଲ୍

Published By : Prameya-News7 Bureau | November 06, 2020 IST

ଲାହୋର ୦୬/୧୧ :  ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ହାଫିଜ ସୟିଦର ୩ ସହଯୋଗୀଙ୍କୁ ୧୬ ବର୍ଷ ଜେଲ୍ ଦଣ୍ଡ ହୋଇଛି । ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଲାହୋରର ଏକ ଆତଙ୍କବାଦ ବିରୋଧି ଅଦାଲତ । ସୂଚନା ଅନୁସାରେ ଏମାନେ ସମସ୍ତେ ଜମାତ-ଉଦ-ଦାବା ସଂଗଠନର ସଦସ୍ୟ ଏବଂ କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦର ଘନିଷ୍ଠ ସହଯୋଗୀ । ଏମାନଙ୍କ ବିରୁଦ୍ଧରେ ପାକିସ୍ତାନରେ ସଙ୍ଗିନ ମାମଲା ରହିଛି । ସେହି ମାମଲାର ଶୁଣାଣି କରି ଲାହୋରର ଏକ ଆତଙ୍କବାଦ ବିରୋଧି ଅଦାଲତ ଏହି ରାୟ ଶୁଣାଇଛନ୍ତି ।

କେବଳ ଏତିକି ନୁହେଁ ଅଦାଲତ ଯେଉଁ ମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସେମାନଙ୍କ ମଧ୍ୟରେ ହାଫିଜ ସୟିଦର ପରିଜନ ମଧ୍ୟ ସାମିଲ ଅଛନ୍ତି । ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଲାହୋରର ଆତଙ୍କବାଦୀ ବିରୋଧି ଏକ ଅଦାଲତ ହାଫିଜ ସୟିଦର ୩ ସହଯୋଗୀ ରେହମାନ ମକ୍କି, ଜାଫର ଇକବାଲ ଏବଂ ମହମ୍ମଦ ଅସରଫକୁ ୧୬ ବର୍ଷର ଦଣ୍ଡ ଶୁଣାଇଛନ୍ତି । ୩ ଜଣଙ୍କୁ କଡା ସୁରକ୍ଷା ମଧ୍ୟରେ କୋର୍ଟକୁ ନିଆଯାଇଥିଲା ଏବଂ  କୋର୍ଟ ପରିସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । 

ସୂଚନା ଥାଉକି, ୨୬/୧୧ ମୁମ୍ବାଇ ବିସ୍ଫୋରଣରେ ପ୍ରାୟ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିଲା ଯେଉଁଥିରେ ଅନେକ ସାଧାରଣ ଲୋକ ଏବଂ କିଛି ପୋଲିସ କର୍ମଚାରୀ ସାମିଲ ଥିଲେ ।  ପାକିସ୍ତାନର ଲସ୍କର-ଇ-ତୋଇବା ଆତଙ୍କବାଦୀ ସଂଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିଲା । ଲସ୍କର-ଇ-ତୋଇବାର କମାଣ୍ଡର କସାବକୁ ଜୀବିତ ଗିରଫ କରାଯାଇଥିଲା ଏବଂ ପରେ ତାକୁ ଫାଶୀ ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.