ନୂଆଦିଲ୍ଲୀ ୩୧/୮: ବିଶ୍ୱ ଚାମ୍ପିଅନସିରେ ସ୍ବର୍ଣ୍ଣ ପଦକ ପରେ ଏବେ ଜୁରିଖ୍ ଡାଏମଣ୍ଡ୍ ଲିଗ୍ରେ ରୌପ୍ୟ ପଦକ । ଭାରତର ଜାଭେଲିନ୍ ତାରକା ତଥା ଗୋଲ୍ଡେନ ବଏ ନୀରଜ ଚୋପ୍ରାଙ୍କୁ ସିଲଭର ମେଡାଲ ମିଳିଛି । ସେ ନିଜର ଚତୁର୍ଥ ପ୍ରୟାସରେ ୮୫.୭୧ ମିଟର ଦୂରକୁ ଜାଭେଲିନ ଥ୍ରୋ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଚେକ୍ ଗଣରାଜ୍ୟର ଜାକୁବ ଭାଲ୍ଡେଚ୍ ୮୫.୮୬ମିଟର ସହ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଜର୍ମାନୀର ଜୁଲିଆନ୍ ୱେବର ୮୫.୦୪ମିଟର ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।
ଜୁରିଖ୍ ଡାଏମଣ୍ଡ୍ ଲିଗ୍ରେ ନୀରଜଙ୍କ ପ୍ରଥମ ଥ୍ରୋ ୮୦.୭୯ମିଟର ରହିଥିଲା । ଏହାପରେ ତାଙ୍କର ପରବର୍ତ୍ତୀ ୨ଟି ଯାକ ଥ୍ରୋ ଫାଉଲ୍ ହୋଇଥିଲା । ଫଳରେ ୩ ରାଉଣ୍ଡ ସୁଦ୍ଧା ସେ ପଞ୍ଚମ ସ୍ଥାନରେ ରହିଥିଲେ । ଚତୁର୍ଥ ପ୍ରୟାସରେ ନୀରଜ ୮୫.୨୨ମିଟର ଦୂର ଜାଭେଲିନ ଫିଙ୍ଗି ପଦକ ପକ୍କା କରି ଦେଇଥିଲେ । ତେବେ ତାଙ୍କର ଅନ୍ତିମ ପ୍ରୟାସ ୮୫.୭୧ ମିଟର ରହିଥିଲା । ପୁରୁଷ ଲଙ୍ଗଜମ୍ପ ଇଭେଣ୍ଟରେ ଭାରତର ମୂରଲୀ ଶ୍ରୀଶଙ୍କର ୭.୯୯ମିଟର ଦୂର ଜମ୍ପ ସହ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି । ସେ ନିଜର ପ୍ରଥମ ପ୍ରୟାସ ଏହି ଦୂରତା ଛୁଇଁଥିଲେ ।
ସେହିପରି ବିଶ୍ୱ ଚାମ୍ପିଅନ୍ ଗ୍ରୀସ୍ରେ ମିଲ୍ଟିଆଡିସ୍ ଟେଣ୍ଟୋଗ୍ଲୋ ୮.୨୦ମିଟର ଦୂର ଜମ୍ପ କରି ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଜାମାଇକାର ତାଜୟ ଗେଲ ୮.୦୭ମିଟର ସହ ରୌପ୍ୟ ଏବଂ ଆମେରିକାର ଜାରିୟନ ଲସନ୍ ୮.୦୫ମିଟର ସହ ବ୍ରୋଞ୍ଜ ପଦକ ଜିତିଛନ୍ତି ।