MNF ଅଧ୍ୟକ୍ଷ ପଦରୁ ଜୋରମଥାଙ୍ଗାଙ୍କ ଇସ୍ତଫା

Published By : Prameya-News7 Bureau | December 05, 2023 IST

ଆଇଜୋଲ ୫।୧୨: ମିଜୋରାମର ନିବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ବିଧାନସଭା ନିର୍ବାଚନରେ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମଏନଏଫ)ର ସୋଚନୀୟ ପରାଜୟ ପରେ ମଙ୍ଗଳବାର ସେ ପାର୍ଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେ ଗତ ୩୩ ବର୍ଷ ହେଲା ପାର୍ଟିର ଅଧ୍ୟକ୍ଷ ଥିଲେ । ଜୋରମଥାଙ୍ଗା ଏମଏନଏଫର ବରିଷ୍ଠ ଉପାଧ୍ୟକ୍ଷ ତାଭଂଲୁଇୟାଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଏଥିରେ ଦଳର ନିର୍ବାଚନ ପରାଜୟ ପାଇଁ ସେ ନୈତିକ ରୂପେ ନିଜକୁ ଦାୟି କରୁଥିବା ଉଲ୍ଲେଖ କରିଛନ୍ତି।

ତେବେ ଜୋରମଥାଙ୍ଗାଙ୍କ ଇସ୍ତଫା ସ୍ୱୀକାର କରାଯିବ କି ନାହିଁ ସେ ନେଇ ନିଷ୍ପତ୍ତି ନେବାତୁ ବୁଧବାର ପାର୍ଟିର ଏକ ବୈଠକ ଅନୁଷ୍ଠିତ ହେବ ବୋଲି ଏମଏନଏଫର ଜନୈକ ବରିଷ୍ଠ ନେତା କହିଛନ୍ତି। ୧୯୯୦ରେ ଲାଲ ଡେଙ୍ଗାଙ୍କ ପରଲୋକ ପରେ ଜୋରମଥାଙ୍ଗା ଏମଏନଏଫର ଅଧ୍ୟକ୍ଷ ହୋଇଥିଲେ। ପାର୍ଟି ମିଡିଆ ପ୍ରକୋଷ୍ଠ ସାଧାରଣ ସମ୍ପାଦକ କ୍ରସ୍ନେହଜବା କହିଛନ୍ତି ଯେ ଏମଏନଏଫର ରାଷ୍ଟ୍ରୀୟ କୋର କମିଟି ଓ ଏହାର ରାଜନୈତିକ ବ୍ୟାପାର କମିଟିର ବୁଧବାର ଏକ ବୈଠକ ଅନୁଷ୍ଠିତ ହେବ। ଏଥିରେ ଜୋରମଥାଙ୍ଗାଙ୍କ ଇସ୍ତଫା ସ୍ୱୀକାର କରାଯିବ କି ନା ସେ ନେଇ ନିଷ୍ପତ୍ତି ହେବ।

ଗତ ବିଧାନସଭା ନିର୍ବାଚନରେ ଏମଏନଏଫକୁ ମାତ୍ର ୧୦ଟି ଆସନ ମିଳିଛି। ତେବେ ୨୦୧୮ ବିଧାନସଭା ନିର୍ବାଚନରେ ଦଳକୁ ୨୬ ଟି ସିଟ୍ ମିଳିଥିଲା। ନିର୍ବାଚନରେ ନିଜେ ଜୋରମଥାଙ୍ଗା ତାଙ୍କର ଆଇଜୋଲ ଇଷ୍ଟ-୧ ଆସନରୁ ଜେଡପିଏମ ଉପାଧ୍ୟକ୍ଷ ଲାଲଥନସାଙ୍ଗାଙ୍କ ଠାରୁ ୨,୧୦୧ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି। ୬୦ ବର୍ଷରୁ ଅଧିକ ପୁରୁଣା ପାର୍ଟି ଏମଏନଏଫକୁ ଜୋରମ ପ୍ୟୁପିଲସ୍ ମୁଭମେଣ୍ଟ (ଜେଡପିଏମ) ଠାରୁ ସୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ୪୦ ସଦସୀୟ ରାଜ୍ୟ ବିଧାନସଭାରେ ଜେଡପିଏମକୁ ୨୭ଟି ଆସନ ମିଳିଛି। ମିଜୋରାମରେ ଏମଏନଏଫ ୧୯୯୮, ୨୦୦୩ ଓ ୨୦୧୮ରେ ନିର୍ବାଚନ ଜିତି ରାଜ୍ୟରେ ସରକାର କରିଥିଲା।  

ରାଜସ୍ଥାନରେ ବିରୋଧୀ ଦଳ ନେତା କିଏ ହେବେ ତାହା ହାଇକମାଣ୍ଡ ସ୍ଥିର କରିବେ: ଗେହଲୋଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.