କର୍ମଚାରୀ ଛଟେଇ ଘୋଷଣା କଲା ଜୋମାଟୋ, ଜାଣନ୍ତୁ କେତେ ଜଣଙ୍କୁ କରିବ ବାହାର ?

Published By : Prameya-News7 Bureau | November 19, 2022 IST

ନୂଆଦିଲ୍ଲୀ: ଟ୍ୱିଟର ଏବଂ ଫେସବୁକର ପେରେଣ୍ଟ କମ୍ପାନି ମେଟା ପରେ ଏବେ ଫୁଡ୍ ଡେଲିଭରି କମ୍ପାନି ଜୋମାଟୋ ମଧ୍ୟ କର୍ମଚାରୀଙ୍କୁ ଛଟେଇ କରିବା ନେଇ ଘୋଷଣା କରିଛି । ଜୋମାଟୋ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ନିଜ କର୍ମଚାରୀଙ୍କ ସଂଖ୍ୟାକୁ ତିନି ପ୍ରତିଶତ କମ କରିବ । ଜୋମାଟୋ ପାଖରେ ପ୍ରାୟ ୩,୮୦୦ କର୍ମଚାରୀ ଅଛନ୍ତି । ଯଦି ତିନି ପ୍ରତିଶତ କର୍ମଚାରୀଙ୍କୁ କମ୍ପାନି ବାହାର କରେ ତେବେ ଏହି ସଂଖ୍ୟା ପ୍ରାୟ ୩୫୦ରୁ ଅଧିକ ହୋଇପାରେ । କରୋନାର ପ୍ରଥମ ଲହରରେ ଜୋମାଟୋ ନିଜ ୱାରଫୋର୍ସର ୧୩ ପ୍ରତିଶତ ଅର୍ଥାତ ୫୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଥିଲା ।

ଜୋମାଟୋରେ ଛଟେଇର ଏହି ଖବର ଏପରି ଏକ ସମୟରେ ଆସିଛି, ଯେତେବେଳେ କମ୍ପାନିର ମ୍ୟାନେଜମେଣ୍ଟରେ ଇସ୍ତଫା ଝଡ ଜାରି ରହିଛି । ଗତ ଶୁକ୍ରବାର କମ୍ପାନିର ସହ-ପ୍ରତିଷ୍ଠାତା ମୋହିତ ଗୁପ୍ତା ନିଜ ପଜରୁ ଇସ୍ତଫା ଦେଇଥିଲେ । ଗତ କିଛି ଦିନରେ ଜୋମାଟୋ ମ୍ୟାନେଜମେଣ୍ଟର ଏହା ତୃତୀୟ ଇସ୍ତଫା ଥିଲା । ଚଳିତ ସପ୍ତାହରେ କମ୍ପାନିର ନ୍ୟୁ ଇନିସିଏଟିଭ ହେଡ୍ ରାହୁଲ ଗଞ୍ଜୁ ନିଜ ପଦରୁ ଇସ୍ତଫା ଦେଇଥିଲେ ।

ବିଶ୍ୱ ସ୍ତରରେ ମାନ୍ଦାବସ୍ଥାର ଭୟକୁ ନେଇ ଆଇଟି ସହ ଅନ୍ୟ ସେକ୍ଟରରେ ଛଟେଇ ଆରମ୍ଭ ହୋଇଛି । ନିକଟରେ ମେଟା ୧୧୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଥିଲା । ଏହାପରେ ଆମାଜନ, ଟ୍ୱିଟର ଏବଂ ମାଇକ୍ରୋସଫ୍ଟ ସହ ଅନ୍ୟ କମ୍ପାନି ମଧ୍ୟ ଛଟେଇ କରୁଛନ୍ତି । ଭାରତରେ ମଧ୍ୟ ଅନେକ ଷ୍ଟାର୍ଟଅପ କମ୍ପାନି କର୍ମଚାରୀ ଛଟେଇ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.