ନୂଆଦିଲ୍ଳୀ, ୧୮/୧୧: ଜୋମାଟୋର କୋ ଫାଉଣ୍ଡର ମୋହିତ ଗୁପ୍ତା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ କମ୍ପାନୀର ଦୁଇ ବଡ଼ ଅଧିକାରୀ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି। ଏବେ ମୋହିତ ଗୁପ୍ତାଙ୍କ ଇସ୍ତଫା ପରେ କମ୍ପାନୀକୁ ବଡ଼ ଝଟକା ଲାଗିଛି।
ଅବଶ୍ୟ କେଉଁ କାରଣରୁ ତାଙ୍କୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଚି ତାହା ସ୍ପଷ୍ଟ ହୋଇନାହିଁ। କୁହାଯାଉଛି ଯେ ମୋହିତ କୋ-ଫାଉଣ୍ଡର ପଦରୁ ଇସ୍ତଫା ଦେଇଛନ୍ତି, କିନ୍ତୁ ସେ ନିବେଶକ ଭାବରେ କମ୍ପାନୀ ସହ ରହିବେ। ଏହା ପୂର୍ବରୁ ସେପ୍ଟେମ୍ବରରେ କମ୍ପାନୀର ନ୍ୟୁ ଇନିସିଏଟିଭ ମୁଖ୍ୟ ରାହୁଲ ଗଞ୍ଜୁ ଏବଂ ଗ୍ଲୋବାଲ ଗ୍ରୋଥର ଭାଇସ ପ୍ରେସିଡେଣ୍ଟ ସିଦ୍ଧାର୍ଥ ଝାବର ଇସ୍ତଫା ଦେଇଥିଲେ। ବର୍ତ୍ତମାନ କମ୍ପାନୀ ଅନେକ ଚାଲେଞ୍ଜର ସାମ୍ନା କରୁଛି ଏବଂ ମହାମାରୀ ପରେ ହୋଇଥିବା କ୍ଷତିର ପୁନରୁଦ୍ଧାର ପାଇଁ ଚେଷ୍ଟା ଜାରି ରଖିଛି।
ସୂଚନାଯୋଗ୍ୟ, ସେପ୍ଟେମ୍ବର ତ୍ରୈମାସିକର କମ୍ପାନୀକୁ ୨୫୧ କୋଟି କ୍ଷତି ହୋଇଛି। ଗତ ବର୍ଷ ଏହି ତ୍ରେମାସିକରେ ଏହି କ୍ଷତି ୪୩୦ କୋଟି ରହିଥିଲା। ସେହିଭଳି ଏହି ତ୍ରୈମାସିକରେ ଆୟ ୬୨ ପ୍ରତିଶତ ବଢ଼ି ୧୬୬୧ କୋଟି ଟଙ୍କା ରହିଛି। ଯାହାକି ଗତ ବର୍ଷ କମ୍ପାନୀ ୧୦୨୪ କୋଟି ଟଙ୍କାର ଆୟ କରିଥିଲା।