ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଗୋଚର (ଅର୍ଥାତ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ) କୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି | ଜନ୍ମ କୁଣ୍ଡଳୀରେ ବୃହଷ୍ପତ୍ତିକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଥିବାରୁ ତାଙ୍କର ଗୋଚର ଫଳ ବିଶେଷ ଭାବେ ପରିଲକ୍ଷିତ ହୋଇଥାଏ | ବୃହଷ୍ପତ୍ତିକୁ ଦେବଗୁରୁ କୁହାଯାଏ | ସେ ମଧ୍ୟ ଅତ୍ୟନ୍ତ ଶୁଭ ଗ୍ରହ | ତାଙ୍କୁ ସକାଳ ଉନ୍ନତିର କାରକ କୁହାଯାଏ |
ଚଳିତ ବର୍ଷ ବୃହସ୍ପତି ଅକ୍ଟୋବର ୧୧ ତାରିଖସନ୍ଧ୍ୟା ୭ଟାରୁ ତୁଳା ରାଶିରୁ ବିଛା ରାଶିକୁ ଗମନ କରିଛନ୍ତି | ବୃହସ୍ପତି ବିଛା ରାଶିକୁ ଗମନ କରିବା ହେତୁ ବିଭିନ୍ନ ରାଶିକୁ ଭିନ୍ନ ଭିନ୍ନ ଶୁଭାଶୁଭ ଫଳ ପ୍ରଦାନ କରିବେ | ବୃହସ୍ପତି ଚଳିତ ଥର ବିଛା ରାଶିରେ ଆସନ୍ତାବର୍ଷ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ହିଁ ରହିବେ | ସାଧାରଣତଃ ବୃହସ୍ପତି ଗୋଟିଏ ରାଶିରେ ୧୩ ମାସ ଅବସ୍ଥାନ କରିଥାନ୍ତି | ତେବେ ଜ୍ୟୋତିଷ ଶାସ୍ତ୍ର ଓ ଗଣନା ଅନୁସାରେ ଚଳିତବର୍ଷ ବୃହସ୍ପତି ତୀଵ୍ରଗାମୀ ବା ଅତିଚାରୀ ହୋଇଛନ୍ତି | ତେଣୁ ୧୩ ମାସ ସ୍ଥାନରେ ଚଳିତବର୍ଷ ସେ ଗୋଟିଏ ରାଶିରେ ୬ ମାସ ହିଁ ଅବସ୍ଥାନ କରିବେ | ତେବେ ବୃହସ୍ପତି କ୍ଷୀପ୍ରଗାମୀ ବା ଅତିଚାରୀ ହେବା ଶୁଭଙ୍କର ନୁହେଁ | ଆସନ୍ତୁ ଜାଣିବା ବିଛା ରାଶିରେ ତୀଵ୍ରଗାମୀ ବୃହସ୍ପତିଙ୍କ ଅବସ୍ଥାନ ଆସନ୍ତା ୬ମାସ ପାଇଁ ଆପଣଙ୍କୁ କଣ କଣ ଫଳ ପ୍ରଦାନ କରିବ |
ମେଷ : ବିଛା ରାଶିକୁ ବୃହସ୍ପତି ପ୍ରବେଶ କରିବା ମେଷ ରାଶିର ଅଷ୍ଟମ ଭାବରେ ବୃହସ୍ପତି ଅବସ୍ଥାନ କରିଛନ୍ତି ବୋଲି ଧରାଯିବ | ଅଷ୍ଟମ ଭାବରେ ଭୁହସ୍ପତିଙ୍କ ଅବସ୍ଥାନ ମେଷ ରାଶି ଜନ୍ମିତ ବ୍ୟକ୍ତିଙ୍କ ପାଇଁ ଶୁଭଙ୍କର ନୁହେଁ ବୋଲି ଶାସ୍ତ୍ରରେ ରହିଛି | ଏହି ସମୟରେ ଭାଗ୍ୟ ଆପଣଙ୍କୁ ବିଶେଷ ସହଯୋଗ କରିବା ନାହିଁ | ଆପଣଙ୍କୁ ଅସଫଳତାର ସମ୍ମୁଖୀନ ହେବାକୁ ପଡିପାରେ | ଧନହାନୀ ଯେପରି ନହୁଏ ସେଥିପ୍ରତି ଖାସ ଧ୍ୟାନ ଦେବାର ଆବଶ୍ୟକତା ରହିଛି | ବ୍ୟବସାୟରେ ପୁଞ୍ଜିନିବେଶ କଲାବେଳେ ମଧ୍ୟ ଅତିରିକ୍ତ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି | ଆର୍ଥିକ ପ୍ରସଙ୍ଗରେ ଆଖି ବନ୍ଦ କରି କାହା ଉପରେ ଅଧିକ ଭରସା କରିବା କ୍ଷତିକାରକ ସାବ୍ୟସ୍ତ ହୋଇପାରେ | ସବୁ କ୍ଷେତ୍ରରେ ଯଦି ଆପଣ ଧୈର୍ଯ୍ୟ ରଖନ୍ତି ତା'ହେଲେ ଆପଣଙ୍କୁ ଶୁଭଫଳ ପ୍ରାପ୍ତ ହୋଇପାରେ | ସଂଘର୍ଷର ଏହି ସମୟରେ ଅଧିକ ଦୂର ଯାତ୍ରା କରିବା ଆପଣଙ୍କ ପାଇଁ ଶୁଭନାକାର ନୁହେଁ | ସବୁଠୁ ଗୁରୁତ୍ୱପୂର୍ଣ କଥା ହେଉଛି ଯେତେବି ସଂଘର୍ଷ କରିବାକୁ ପଡୁ ବା କଠିନ ସମୟର ସମ୍ମୁଖୀନ ହୁଅନ୍ତୁ କିନ୍ତୁ ଭୁଲ ରାସ୍ତାରେ ଯାଆନ୍ତୁ ନାହିଁ | କାରଣ ଅତିଶୀଘ୍ର ଆପଣଙ୍କ ଭଲ ସମୟ ପହଂଚିବ | ସର୍ବୋପରି ଏହି ସମୟକୁ ଆପଣଙ୍କ ଧୈର୍ଯ୍ୟର ପରୀକ୍ଷା ସମୟ ବୋଲି କୁହାଯାଇପାରେ |
ବୃଷ : ବୃଷ ରାଶି ପାଇଁ ବିଛା ରାଶିରେ ଥିବା ବୃହସ୍ପତି ସପ୍ତମ ଭାଗରେ ରହୁଛନ୍ତି | ସାଧାରଣତଃ କୁଣ୍ଡଳିର ସପ୍ତମ ଭାଗକୁ ବୈବାହିକ କ୍ଷେତ୍ର ବୋଲି ବିଚାର କରାଯାଇଥାଏ | ତେଣୁ ବୃଷ ରାଶିରେ ଜାତ ବ୍ୟକ୍ତିଙ୍କ ଦାମ୍ପତ୍ୟ ଜୀବନ ଏହି ସମୟରେ ସୁଖଦ ହେବ | ଜୀବନସାଥୀଙ୍କ ସହ ଆପଣଙ୍କ ସମ୍ପର୍କ ଅଧିକ ଗଭୀର, ମଧୁର ଏବଂ ମଜବୁତ ହେବ | କାହାପ୍ରତି ଯଦି ଆପଣଙ୍କ ମନରେ ପ୍ରେମ ସୃଷ୍ଟି ହୋଇଛି ତାହେଲେ 'ପ୍ରପୋଜ' କରିବା ପାଇଁ ଏହି ୬ମାସ ପ୍ରକୃଷ୍ଟ ସମୟ ବୋଲି କୁହାଯାଇପାରେ | ଆପଣଙ୍କ ପ୍ରେମ ଜୀବନ ପାଇଁ ମଧ୍ୟ ଏହା ଅନୁକୂଳ ସମୟ ବୋଲି ଗ୍ରହଣ କରାଯାଇପାରେ | ଆର୍ଥିକ ପ୍ରସଙ୍ଗରେ ସମୟ ଓ ଭାଗ୍ୟ ଆପଣଙ୍କୁ ସହଯୋଗ କରିବ | ଭାଗିଦାରୀ ବ୍ୟବସାୟରୁ ଆପଣ ଏହି ସମୟରେ ଲାଭ ଆଶା କରିପାରନ୍ତି | ତେବେ ଚାକିରୀ ଓ କ୍ୟାରିଅର ସମ୍ପର୍କରେ ନିଷ୍ପତି ନେଲାବେଳେ ଭାବିଚିନ୍ତି ନିଷ୍ପତି ନେବା ଜରୁରୀ | କାରଣ ଭୁଲ ନିଷ୍ପତି ଆପଣଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ | କିନ୍ତୁ ଠିକ ନିଷ୍ପତି ଆପଣାକୁ ମାଲାମାଲ କରିଦେବ |
ମିଥୁନ : ଆପଣଙ୍କ ରାଶିକୁ ବୃହସ୍ପତି ଷଷ୍ଠଭାଗରେ ଅବସ୍ଥାନ କରିଛନ୍ତି | ଏହି ଘରକୁ ବୃହସ୍ପତିଙ୍କ ଆଗମନକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇପାରିବ ନାହିଁ | ବୃହସ୍ପତିଙ୍କ ଏହି ସ୍ଥିତି କାରଣରୁ ଶତ୍ରୁ ଆପଣଙ୍କୁ ଅଧିକ ହଇରାଣ କରିପାରନ୍ତି | ପାରିବାରିକ ଜୀବନରେ ମଧ୍ୟ ମତାନ୍ତର ସୃଷ୍ଟି ହୋଇପାରେ | ଏହି ସ୍ଥିତିରୁ ରକ୍ଷା ପାଇବା ପାଇଁ ମନକୁ ସର୍ବଦା ଶାନ୍ତ ରଖି ଧୈର୍ଯ୍ୟ ସହ ଆଗକୁ ବଢିବା ଉଚିତ | କଥାବାର୍ତ୍ତା ମାଧ୍ୟମରେ ସବୁ ବିବାଦର ସମାଧାନ କରିବା ଆବଶ୍ୟକ | କୌଣସି ବିଷୟରେ ଅତ୍ୟଧିକ ସମ୍ପୃକ୍ତ ନହେବା ଭଲ | ଅତ୍ୟଧିକ ଖର୍ଚ୍ଚ କାରଣରୁ ଆର୍ଥିକ ସ୍ଥିତି ବିଗିଡ଼ିଯିବାର ଆଶଙ୍କା ରହିଛି | ସେଥିପାଇଁ ଖର୍ଚ୍ଚ ଉପରେ ମଧ୍ୟ ନିୟନ୍ତ୍ରଣର ଆବଶ୍ୟକତା ରହିଛି | ଭାଗିଦାରୀଙ୍କୁ ସହ ଭଲ ସମ୍ପର୍କ ରଖିବା ପାଇଁ ଉଦ୍ୟମ କରନ୍ତୁ | ଚାକିରୀ କ୍ଷେତ୍ରରେ ଧୈର୍ଯ୍ୟ ଓ ସ୍ଥିର ଚିତ୍ତରେ ସମସ୍ୟାର ସମ୍ମୁଖୀନ ହୁଅନ୍ତୁ | ଅତିଶୀଘ୍ର ଆପଣଙ୍କ ପାଇଁ ମଧ୍ୟ ଭଲ ସମୟ ଆଗକୁ ରହିଛି |
କର୍କଟ : ବର୍ତ୍ତମାନ ଆପଣଙ୍କ ରାଶିର ପଞ୍ଚମ ଭାବରେ ବୃହସ୍ପତି ଅବସ୍ଥାନ କରିଛନ୍ତି | ବୃହସ୍ପତିଙ୍କ ଏହି ସ୍ଥିତି ଘରକୁ ନୂଆ ଅତିଥିଙ୍କ ଆଗମନ ଅର୍ଥାତ ସନ୍ତାନ ସନ୍ତତି ଆସିବା ସମୟ ବୋଲି ବିଚାର କରାଯାଇଛି | ସନ୍ତାନ ଦୃଷ୍ଟି କୋଣରୁ ବୃହସ୍ପତିଙ୍କ ଏହି ସ୍ଥିତିକୁ ଶୁଭ ବୋଲି ବିଚାର କରାଯାଇଛି | ଏଥି ସହ ଆପଣଙ୍କ ସାମାଜିକ ଯଶଖ୍ୟାତି ମଧ୍ୟ ବୃଦ୍ଧି ଘଟିବ | ଚାକିରୀ କ୍ଷେତ୍ରରେ ସହଯୋଗ ପ୍ରାପ୍ତ ହେବ | ବରିଷ୍ଠ ଅଧିକାରୀମାନେ ଆପଣଙ୍କ ପ୍ରତି ଅନୁକୂଳ ବ୍ୟବହାର ପ୍ରଦର୍ଶନ କରିବେ | ପରିବାରରେ ସୁଖ ଶାନ୍ତି ଆନନ୍ଦ ବିରାଜମାନ କରିବ | ବହୁଦିନ ଧରି ଅଟକି ରହିଥିବା ସରକାରୀ କାର୍ଯ୍ୟ ତୁଟିବା ସହ ଆପଣଙ୍କ ସପକ୍ଷରେ ଯିବ | ନୂତନ କ୍ଷେତ୍ରରେ ମଧ୍ୟ ଆପଣ ପ୍ରବେଶ କରିପାରନ୍ତି |
ସିଂହ : ଆପଣଙ୍କ ରାଶି ଠାରୁ ବୃହସ୍ପତି ଚତୁର୍ଥ ଭାବରେ ଅବସ୍ଥାନ କରିଛନ୍ତି | ବୃହସ୍ପତିଙ୍କ ଏହି ସ୍ଥିତି ଆପଣଙ୍କ ପାଇଁ କଷ୍ଟ ସମୟ ଆଣିପାରେ | ଏହି ସମୟରେ ବନ୍ଧୁ ପରିଜନଙ୍କ ସହ ଆପଣଙ୍କ ମତାନ୍ତର ହେବାର ଆଶଙ୍କା ରହିଛି | ଆପଣଙ୍କ ପାଇଁ ବାରମ୍ବାର ଅପମାନଜନକ ସ୍ଥିତି ଉତ୍ପନ୍ନ ହୋଇପାରେ | ଏଣୁ ସବୁଠୁ ବୁଦ୍ଧିମାନର କାମ ହେବ ଯଦି ଏହି ସମୟରେ ଆପଣ ଆପଣଙ୍କ ବ୍ୟବହାରକୁ ସନ୍ତୁଳିତ ରଖନ୍ତି | ଏହି ସମୟରେ ସବୁ କଥା ଆପଣଙ୍କ ପାଇଁ ଖରାପ ହିଁ ହେବ ଏହା ଭାବିବା ଭୁଲ | ଚତୁର୍ଥ ଭାବରେ ଥିବା ବୃହସ୍ପତି ଆପଣଙ୍କ ପାଇଁ ଖୁସି ମଧ୍ୟ ଆଣିପାରନ୍ତି | ଏହି ସମୟରେ ଘରେ କିଛି ମାଙ୍ଗଳିକ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇପାରେ | ତେବେ ହିଂସ୍ର ଜନ୍ତୁଙ୍କ ଠାରୁ ଦୁରେଇ ରହିବା ସହ ଗାଡିମଟର ଚାଳନା ସତର୍କତାର ସହ କରିବାର ଆବଶ୍ୟକତା ରହିଛି | ସବୁଠୁ ଗୁରୁତ୍ୱପୂର୍ଣ କଥା ହେଉଛି ସବୁ ଆହ୍ୱାନକୁ ଆତ୍ମା ବିଶ୍ୱାସର ସହିତ ସମ୍ମୁଖୀନ ହୁଅନ୍ତୁ |
କନ୍ୟା : ଆପଣଙ୍କ ରାଶିଠାରୁ ବୃହସ୍ପତି ତୃତୀୟ ଭାବରେ ଅବସ୍ଥାନ କରୁଛନ୍ତି | ବୃହସ୍ପତିଙ୍କ ଏହି ସ୍ଥିତି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ | କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ବହୁ ଆହ୍ୱାନର ସମ୍ମୁଖୀନ ହେବାକୁ ପଡିପାରେ | ବିଶେଷ କରି ବ୍ୟବସାୟୀଙ୍କ ପାଇଁ ଏହି ସମୟ ସତର୍କ ରହିବାର ସମୟ ବୋଲି କୁହାଯାଇପାରେ | ଜଗି ରଖି ବ୍ୟବସାୟରେ ପୁଞ୍ଜିନିବେଶ କରିବ ଆବଶ୍ୟକ | ବିଶେଷ କରି ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ଜରୁରୀ | ଚାକୀରିଆମାନେ କାର୍ଯ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ | ଅଯଥା କଥାବାର୍ତ୍ତା ଓ ତର୍କଠୁ ନିଜକୁ ଦୁରେଇ ରଖିବା ଆପଣଙ୍କ ପାଇଁ ଭଲ | ସର୍ବୋପରି ନିଷ୍ଠାର ସହ କଠିନ ପରିଶ୍ରମ କଲେ ସୁଫଳ ନିଶ୍ଚୟ ପ୍ରାପ୍ତ ହେବ |
ତୁଳା : ଆପଣଙ୍କ ରାଶିର ଦ୍ୱିତୀୟ ଭାବରେ ବୃହସ୍ପତି ଅବସ୍ଥାନ କରିଛନ୍ତି | ଦ୍ୱିତୀୟ ଭାବକୁ ଧାନ ସ୍ଥାନ ବୋଲି କୁହାଯାଏ | ଦ୍ୱିତୀୟ ଭାବରେ ବୃହସ୍ପତି ଆପଣଙ୍କ ପାଇଁ ଶୁଭ ସଂକେତ ପ୍ରଦାନ କରୁଛନ୍ତି | ଆପଣଙ୍କ ଆର୍ଥିକ ସ୍ଥିତି ଉତ୍ତମ ରହିବ | ପୁଞ୍ଜିନିବେଶରୁ ଲାଭପ୍ରାପ୍ତ ହେବ | ପରିବାରରେ ସୁଖ ଶାନ୍ତି ଓ ଖୁସି ବିରାଜମାନ କରିବ | ବ୍ୟବସାୟରେ ଲାଭଯୋଗ ରହିଛି | ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ପ୍ରାପ୍ତ ହେବ | ପ୍ରମୋସନର ମଧ୍ୟ ସମ୍ଭାବନା ରହିଛି |
ବିଛା : ଆପଣଙ୍କ ରାଶିରେ ହିଁ ବୃହସ୍ପତି ଅବସ୍ଥାନ କରିଛନ୍ତି | ଜନ୍ମ ରାଶିରେ ବୃହସ୍ପତିଙ୍କ ଅବସ୍ଥାନ ଆପଣଙ୍କୁ କଷ୍ଟ ପ୍ରଦାନ କରିପାରନ୍ତି | ପାରିବାରିକ ଜୀବନରେ ବିଷମ ପରିସ୍ଥିତି ସୃଷ୍ଟି କରିପାରେ | ବ୍ୟବସାୟରେ ପୁଞ୍ଜିନିବେଶ ପୂର୍ବରୁ ସବୁ ଦିଗକୁ ଧ୍ୟାନ ଦିଅନ୍ତୁ ଓ ଶହେ ଥର ଚିନ୍ତା କରନ୍ତୁ | ଚାକିରୀ କ୍ଷେତ୍ରରେ ରହିଥିବା ବ୍ୟକ୍ତି ବିଶେଷ ଅଯଥା କଥାରେ ମୁଣ୍ଡ ପୁରାନ୍ତୁ ନାହିଁ | ଅନ୍ୟ ମାନଙ୍କ ମାମଲାରେ ହସ୍ତକ୍ଷେପ ବିଲକୁଲ କରନ୍ତୁ ନାହିଁ | ଆପଣଙ୍କ ପାଇଁ ବଦନାମର ଭୟ ରହିଛି | ଚରିତ୍ରକୁ ସଂଯତ କରିବା ପାଇଁ ଆପଣଙ୍କ ପାଇଁ ଏକାନ୍ତ ଜରୁରୀ |
ଧନୁ : ବୃହସ୍ପତି ଆପଣଙ୍କ ରାଶିଠାରୁ ଦ୍ୱାଦଶ ସ୍ଥାନରେ ଅବସ୍ଥାନ କରିଛନ୍ତି | ଦ୍ୱାଦଶ ଭାଗକୁ ବ୍ୟୟ ଭାବ ବୋଲି କୁହାଯାଏ | ଏହି ଭାବରେ ବୃହସ୍ପତିଙ୍କ ଅବସ୍ଥାନରେ ଲାଭପ୍ରଦ ହୋଇନଥାଏ | ବ୍ୟୟ ଭାବ ହୋଇଥିବାରୁ ଏହି ସମୟରେ ଆପଣଙ୍କର ଅଧିକ ଖର୍ଚ୍ଚ ହୋଇ ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦେଇପାରେ | ତେଣୁ ଏଥି ପ୍ରତି ଆପଣ ବିଶେଷ ସତର୍କ ରହିବାର ଆବଶ୍ୟକତା ରହିଛି | ପଇସା ଲେଣଦେଣ, ପୁଞ୍ଜି ଲଗାଣ, ଧାର କରଜ ଆଦି କ୍ଷେତ୍ରରେ ବୁଝି ବିଚାରି ନିଷ୍ପତି ନେବାକୁ ହେବ | ପାରିବାରିକ ଜୀବନରେ ମଧ୍ୟ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି | ଦାମ୍ପତ୍ୟ ଜୀବନ ପ୍ରଭାବିତ ହୋଇପାରେ | ଭୁଲ ସମ୍ପର୍କ ଯୋଗୁଁ କ୍ଷତିଗ୍ରସ୍ତ ହୋଇପାରନ୍ତି | ଚାକିରୀ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ଲାଂଛିତ ହେବାର ସମ୍ଭାବନା ରହିଛି | ଶାରୀରିକ କ୍ଳେଶ ଦେଖାଦେଇପାରେ | ବିଶ୍ୱାସ ଘାତକତାର ସମ୍ମୁଖୀନ ହୋଇପାରନ୍ତି |
ମକର : ଆପଣଙ୍କ ରାଶିଠାରୁ ବୃହସ୍ପତି ଏକାଦଶ ସ୍ଥାନ ବା ଭାବରେ ଅବସ୍ଥାନ କରିଛନ୍ତି | ଏକାଦଶ ଭାବକୁ 'ଲାଭ' ସ୍ଥାନ ବୋଲି ଜ୍ୟୋତିଷ ଶାସ୍ତ୍ରରେ ବିଚାର କରାଯାଏ | ତେଣୁ ଏହି ସ୍ଥିତିରେ ବୃହସ୍ପତିଙ୍କ ରହିବା ଆପଣଙ୍କ ପାଇଁ ବିଶେଷ ଲାଭପ୍ରଦ | ଏହି ସମୟରେ ପାରିବାରିକ ଜୀବନ ପ୍ରେମମୟ ହେବ | ଦାମ୍ପତ୍ୟ ଜୀବନ ଅଧିକ ମଧୁରମୟ ହେବ | ବ୍ୟବସାୟରେ ଲାଭ ହେବାର ଯଥେଷ୍ଟ ସମ୍ଭାବନା ରହିଛି | ଚାକିରୀ କ୍ଷେତ୍ରରେ ପଦୋନ୍ନତି ଏବଂ ଦରମା ବୃଦ୍ଧିର ସମ୍ଭାବନା ରହିଛି | ପରିବାରକୁ ନୂଆ ଅତିଥି ଅର୍ଥାତ ସନ୍ତାନ ସନ୍ତତିଙ୍କ ଆଗମନ ଯୋଗ ରହିଛି | ସୁଖଦ ଭ୍ରମଣ ଯୋଗ ମଧ୍ୟ ରହିଛି | ବିଶେଷ ଭାବେ ଧନ ଜନ ଗୋପ ଲକ୍ଷ୍ମୀ ଆସିବାର ଏହା ପ୍ରକୃଷ୍ଟ ସମୟ |
କୁମ୍ଭ : ଆପଣଙ୍କ ରାଶିଠାରୁ ବୃହସ୍ପତି ଦଶମ ସ୍ଥାନରେ ଅବସ୍ଥାନ କରିଛନ୍ତି | ଜାତକର ଦଶମ ଭାବକୁ କର୍ମ ସ୍ଥାନ ବୋଲି କୁହାଯାଏ | ଏହି ଭାବରେ ବୃହସ୍ପତିଙ୍କ ଅବସ୍ଥାନ ବିଶେଷ ଶୁଭପ୍ରଦ ନୁହେଁ | ଏହି ସମୟରେ ପରିବାରର ଅଯଥା କଳହର ସୂତ୍ରପାତ ହୋଇପାରେ | ଚାକିରୀ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ | ଉପରିସ୍ଥ ଅଧିକାରୀ ଏବଂ ସହକର୍ମୀଙ୍କ ସହ ସମ୍ପର୍କ ତିକ୍ତ ନକରିବା ଭଲ | ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ବିଶେଷ ଆବଶ୍ୟକ | କାର୍ଯ୍ୟକ୍ଷେତ୍ରରେ ସତର୍କତାର ସହ ପଦକ୍ଷେପ ନେବାର ବିଶେଷ ଆବଶ୍ୟକତା ରହିଛି | ଧୈର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରିବା ଜରୁରୀ | ସଫଳତା ଆପଣଙ୍କ ପଦ ଚୁମ୍ବନ କରିବାକୁ ଅପେକ୍ଷା କରିଛି |
ମୀନ : ଆପଣଙ୍କ ଜନ୍ମ ରାଶି ଠାରୁ ବୃହସ୍ପତି ନବମ ସ୍ଥାନରେ ଅବସ୍ଥାନ କରିଛନ୍ତି | ନବମ ସ୍ଥାନକୁ ଭାଗ୍ୟ ସ୍ଥାନ ବୋଲି କୁହାଯାଏ | ଏହି ଭାବରେ ବୃହସ୍ପତିଙ୍କ ଅବସ୍ଥାନ ଶୁଭପ୍ରଦ ବୋଲି ବିବେଚନା କରାଯାଇଛି | ଏହି ସମୟରେ ଆପଣଙ୍କ ପାରିବାରିକ ଜୀବନ ସୁସ୍ଥ ରହିବ | ଆଧ୍ୟାତ୍ମ୍ୟ ଦିଗ ପ୍ରତି ଆପଣଙ୍କ ରୁଚି ବୃଦ୍ଧି ପାଇବ | କାର୍ଯ୍ୟ କ୍ଷେତ୍ରରେ ଆପଣ ଯଶ ଲାଭ କରିବେ | ଆପଣଙ୍କ ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇବ | ଯେଉଁ ଦିଗରେ ଆପଣ ଉଦ୍ୟମ କରିବେ ସେ ଦିଗରେ ସଫଳତା ପ୍ରାପ୍ତିର ସମ୍ଭାବନା ରହିଛି | ବ୍ୟବସାୟରେ ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତିରେ ଉନ୍ନତି ଆସିବାର ସମ୍ଭାବନା ରହିଛି |