ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ୍‌ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଋଣ ପରିମାଣ
  • ||

ଅପରାଧ ଶୂନ୍ୟ, ନିଶାମୁକ୍ତ ଗାଁ, ୪୦ ବର୍ଷ ହେଲା ନାହିଁ ଏତଲା

7/10/2022 at 10:25 AM

ମୁମ୍ଵାଇ ୦୭।୧୦: ପ୍ରତିଦିନ ଥାନାରେ ଶହ ଶହ ଅପରାଧିକ ମାମଲା ରୁଜୁ ହେଉଥିବାବେଳେ ତେଲଙ୍ଗାନାର ଏକ ସୁଦୂର ଗାଁ ଏ ମାମଲାରେ ସମସ୍ତଙ୍କୁ ଚକିତ କରିଛି। ଗତ ୪୦ ବର୍ଷରୁ ଗାଁର ନିକଟସ୍ଥ ଥାନାରେ ଗୋଟିଏ ବି ମାମଲା ରୁଜୁ ହୋଇନାହିଁ । ବିଶ୍ୱାସ ନ ହେଲେ ବି ଏହା ସତ। ଗାଁର ନାଁ ର‌ରାଗତ୍‌ଲାପାଲ୍ଲି। ତେଲଙ୍ଗାନାର କାମାରେଡ୍ଡୀ ଜିଲ୍ଲାର ଭିକନୁର ମଣ୍ଡଳରେ ଅବସ୍ଥିତ ଏହି ଗାଁର ଲୋକସଂଖ୍ୟା ୯୩୦। ଏଠାରେ ୧୮୦ ପରିବାର ରହୁଛନ୍ତି। କାମାରେଡ୍ଡୀ ସ୍ପେଶାଲ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ଅଫ୍‌ ଫାର୍ଷ୍ଟ କ୍ଲାସ୍‌ ଓ ଡିଷ୍ଟ୍ରିକ୍ଟ ଲିଗାଲ୍‌ ସର୍ଭିସେସ୍‌ ଅଥରିଟି ଚେୟାରମ୍ୟାନ୍‌ ଜଷ୍ଟିସ୍‌ ଶ୍ରୀଦେବୀ ଏହି ଗାଁକୁ ‘ଅଭିଯୋଗମୁକ୍ତ ଗାଁ’ ଘୋଷଣା କରିଛନ୍ତି ।

ସେତିକି ନୁହେଁ, ନିକଟରେ ପାଳିତ ସ୍ୱାଧୀନତା ଦିବସ ଅବସରରେ ଗାଁର ପ୍ରଶାସନିକ କମିଟିର ପ୍ରତିନିଧିମାନଙ୍କୁ ସେ ଅଭିଯୋଗମୁକ୍ତ ଗାଁର ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗମୁକ୍ତ ଗାଁର ଶ୍ରେୟ ସମଗ୍ର ଗ୍ରାମବାସୀଙ୍କୁ ଯାଏ । କାରଣ ଗତ ୪୦ ବର୍ଷ ଧରି ଏଠାକାର ଲୋକେ ଗାଁ ମୁଖିଆଙ୍କ ପାଖକୁ ଯାଇ ନିଜ ନିଜ ସମସ୍ୟା ସମାଧାନ କରୁଛନ୍ତି । କାମାରେଡ୍ଡୀ ଏସ୍‌ପି ଶ୍ରୀନିବାସଙ୍କ କହିବା ଅନୁସାରେ, ରେକର୍ଡ ଅନୁସାରେ ଗାଁରେ ଗୋଟିଏ ବି ଘରୋଇ ହିଂସା ଓ ଅନ୍ୟ ମାମଲା ଗ୍ରାମବାସୀଙ୍କ ତରଫରୁ ଥାନାକୁ ଆସିନାହିଁ । ଦୀର୍ଘ ବର୍ଷ ଧରି ଗୋଟିଏ ବି ଅଭିଯୋଗ କରିନଥିବା ଗାଁକୁ ନେଇ ସେ ଖୁବ୍‌ ଖୁସି ହୋଇଛନ୍ତି ।

ଗାଁର ମୁଖିଆମାନଙ୍କ ଅନୁସାରେ, ଗ୍ରାମବାସୀଙ୍କ ମଧ୍ୟରେ ମଦ୍ୟପାନକୁ ନେଇ କଳି ଝଗଡ଼ାର ଆଶଙ୍କା ଥିଲା । ସେଥିପାଇଁ ଗତ ୧୨ ବର୍ଷ ଧରି ବ୍ୟବସାୟ କରିଆସୁଥିବା ଗାଁର ଏକ ମଦ ଦୋକାନକୁ ନିକଟରେ ବନ୍ଦ କରି ଦିଆଯାଇଛି । ଆହୁରି ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ ଯଦି କେହି ମଦ ବିକ୍ରି କରେ, ତେବେ ଗାଁର ପ୍ରଶାସନିକ କମିଟିକୁ ତାକୁ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଗାଁରେ ୬୩ ଜଣିଆ ସଦସ୍ୟବିଶିଷ୍ଟ ଏକ ବରିଷ୍ଠ ନାଗରିକ କମିଟି ରହିଛି । ବରିଷ୍ଠ ବ୍ୟକ୍ତି କୌଣସି ସମସ୍ୟାର ସମ୍ମୁଖୀନ ହେଲେ, କମିଟି ତା’ର ସମାଧାନ କରେ । ଘରକୁ ଘର ବୁଲି ବରିଷ୍ଠ ନାଗରିକ ଓ ସେମାନଙ୍କ ପରିବାର ମଧ୍ୟରେ ସମସ୍ୟା ମଧ୍ୟ ଏମାନେ ତୁଟାଇଥାନ୍ତି । ଚାଷ ଉପରେ ପୂର୍ଣ୍ଣ ନିର୍ଭରଶୀଳ ଏହି ଗାଁର ଲୋକେ ନିକଟସ୍ଥ ବଜାରରେ ପରିବା ବିକ୍ରି କରି ନିଜକୁ ଆର୍ଥିକ ରୂପେ ସଶକ୍ତ କରୁଛନ୍ତି । ଗ୍ରାମବାସୀଙ୍କ ମଧ୍ୟରେ ଏକତା ଓ ଭାଇଚାରା ଭାବ ଗାଁକୁ ବିକାଶୋନ୍ମୁଖୀ କରୁଛି ।

   Related Posts