ହିରୋସୀମାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ଜେଲେନସ୍କୀ, ଯୁଦ୍ଧ ପରଠାରୁ ପ୍ରଥମ ଥର ସାକ୍ଷାତ କରିବେ ଦୁଇ ନେତା

Published By : Prameya-News7 Bureau | May 19, 2023 IST

ନୂଆଦିଲ୍ଲୀ, ୧୯/୦୫: ଜାପାନରେ ହେବାକୁ ଥିବା ଜି-୭ ସମ୍ମିଳନୀ ପାଇଁ ହିରୋସୀମା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀ ଏହି ସମ୍ମିଳନୀ ବ୍ୟତୀତ ସେଠାରେ ଅନ୍ୟ ଦେଶର ବଡ଼ ନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ କରିବେ। ଏଥିରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମୀର ଜେଲେନସ୍କୀ ମଧ୍ୟ ସାମିଲ୍‌ ଅଛନ୍ତି।

ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ପରଠାରୁ ପିଏମ ମୋଦୀ ପ୍ରଥମ ଥର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କୀଙ୍କୁ ଭେଟିବେ। ଉଭୟ ନେତାଙ୍କ ମଧ୍ୟରେ ଯୁଦ୍ଧ ସ୍ଥିତି ଉପରେ ଏବଂ ଏହାର ରାଜନୀତିକ ସମାଧାନ ଉପରେ ଚର୍ଚ୍ଚା ହୋଇପାରେ। ପିଏମ ମୋଦୀ ଶୁକ୍ରବାର ହିରୋସୀମା ପହଞ୍ଚିବେ ଯେ​‌ତେବେଳେକି ଜେଲନସ୍କୀ ଜି-୭ରେ ଭାଗ ନେବା ପାଇଁ ଶନିବାର ହିରୋସୀମା ଯିବେ।

ସୂଚନାଥାଉକି, ଗତ ମାସରେ ଜେଲନସ୍କି ପିଏମ ମୋଦୀଙ୍କୁ ଚିଠି ଲେଖି ଅତିରିକ୍ତ ସହାୟତା ପାଇଁ ଅନୁରୋଧ କରିଥିଲେ। ସେହିଭଳି ୟୁକ୍ରେନର ଉପ ବିଦେଶମନ୍ତ୍ରୀ ଏମୀନ ଜାବରୋଭା ମଧ୍ୟ ଭାରତର ତିନି ଦିନିଆ ଗସ୍ତରେ ଆସିଥିଲେ।

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କୀଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ହିରୋସୀମାରେ ଜାପାନ, କୋରିଆ, ଭିଏତନାମ, ଫ୍ରାନ୍ସର ନେତାଙ୍କ ସହ ମଧ୍ୟ ଦ୍ବିପାକ୍ଷିକ  ବୈଠକରେ ଭାଗ ନେବେ। ଏହା ବ୍ୟତୀତ ସେ ରବିବାର ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ମଧ୍ୟ ଦ୍ବିପାକ୍ଷିକ ଆଲୋଚନା କରିବେ।

ଉଲ୍ଲେଖଯୋଗ୍ୟ, ଜାପାନରେ ଜି-୭ ସମ୍ମିଳନୀର ଆୟୋଜନ ହିରୋସୀମା କରିଛି। ଅର୍ଥାତ୍‌ ସେହି ସ୍ଥାନ ଯେଉଁଠାରେ ଦୁନିଆର ପ୍ରଥମ ପରମାଣୁ ବୋମା ଆକ୍ରମଣ ହୋଇଥିଲା। ଏମିତିରେ ପ୍ରଧାନମନ୍ତ୍ରୀ ଫୁମିଓଙ୍କ ପରମାଣୁ ବିରୋଧ ସନ୍ଦେଶକୁ ଉତ୍ସାହିତ କରିବାକୁ ଚେଷ୍ଟା କରିପାରନ୍ତି।

ସୂଚନାଥାଉ, ପିଏମ ମୋଦୀ ୬ ଦିନିଆ ବିଦେଶ ଗସ୍ତରେ ଜାପାନ ପରେ ପାପୁଆଁ ନ୍ୟୁଗିନି ଯିବାର ମଧ୍ୟ କାର୍ଯ୍ୟକ୍ରମର ରହିଛି। ଯାହା ପିଏମ ମୋଦୀଙ୍କ ପ୍ରଥମ ପାପୁଆଁ ନ୍ୟୁଗିନି ଗସ୍ତ ହେବ। ଏହାପରେ ଶେଷରେ ସିଡନୀ ଯିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.