ଚହଲଙ୍କ ନାମରେ ଅଲୋଡା ରେକର୍ଡ, ହେଲେ ସବୁଠୁ ମହଙ୍ଗା ଭାରତୀୟ ସ୍ପିନର
27/11/2020 at 3:59 PM

ସିଡନୀ ୨୭।୧୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଭାରତୀୟ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ନିଜ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ଦିନିକିଆ ମ୍ୟାଚ୍ର ଗୋଟିଏ ଇନିଂସରେ ସର୍ବାଧିକ ରନ ଦେବାରେ ତୃତୀୟ ଭାରତୀୟ ବୋଲର ହୋଇଛନ୍ତି। ଏଥିସହ ଭାରତୀୟ ସ୍ପିନର ଭାବେ ସର୍ବାଧିକ ରନ ବ୍ୟୟ କରିଛନ୍ତି। ଏହି ତାଲିକାରେ କେବଳ ବିନୟ କୁମାର ଓ ଭୁବନେଶ୍ଵର କୁମାର ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଚହଲ ୧୦ ଓଭରରେ ୮୯ ରନ ଦେଇ ମାତ୍ର ଗୋଟିଏ ଓ୍ଵିକେଟ୍ ନେଇଛନ୍ତି। ଗତ ବର୍ଷ ମଧ୍ୟ ସେ ସବୁଠୁ ଅଧିକ ରନ ଦେବାରେ ଭାରତୀୟ ସ୍ପିନର ହୋଇଥିଲେ। ସ୍ପିନର ହିସାବରେ ସେଚହଲ ପିୟୁଷ ଚାଓ୍ଵାଲଙ୍କ ରେକର୍ଡ ଭାଙ୍ଗିଥିଲେ। ଚହଲ ଇଂଲଣ୍ଡ ବିପକ୍ଷରେ ୮୮ ରନ ବ୍ୟୟ କରିଥିଲେ। ଏହା ପୂର୍ବରୁ ୨୦୦୮ରେ ଚାଓ୍ଵଲା ପାକିସ୍ତାନ ବିପକ୍ଷର ୮୫ ରନ ଦେଇଥିଲେ।
ଶୁକ୍ରବାର ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ୟୁଜବେନ୍ଦ୍ର ଚହଲଙ୍କୁ ନିର୍ଧୁମ ପ୍ରହାର କରିଥିଲେ। ଚହଲଙ୍କ ବଲରେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ୫ ଚୌକା ଓ ୫ ଛକା ଲଗାଇଥିଲେ। ଏହା ବ୍ୟତୀତ ସେ ୩ ଓ୍ଵାଇଡ୍ ଓ ଗୋଟିଏ ନୋ ବଲ ଫିଙ୍ଗିଥିଲେ। ତୃତୀୟ ଥର ଚହଲ ଦିନିକିଆ ମ୍ୟାଚ୍ରେ ୮୦ କିମ୍ବା ସେଥିରୁ ଅଧିକ ରନ ବ୍ୟୟ କରିଛନ୍ତି। ଗତ ବର୍ଷ ବିଶ୍ଵ କପରେ ସେ ଇଂଲଣ୍ଡ ବିପକ୍ଷରେ ୮୮ ରନ ଦେଇଥିଲେ। ୨୦୧୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ମୋହାଲିରେ ଖେଳାଯାଇଥିବା ମ୍ୟାଚ୍ରେ ୮୫ ରନ ବ୍ୟୟ କରିଥିଲେ।
ଭାରତ ପକ୍ଷରୁ ଗୋଟିଏ ଇନିଂସରେ ସର୍ବାଧିକ ବ୍ୟୟବହୁଳ ବୋଲର ହେଉଛନ୍ତି ଭୁବନେଶ୍ଵର କୁମାର। ସେ ୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମୁମ୍ବାଇ ଖେଳାଯାଇଥିବା ମ୍ୟାଚ୍ରେ ୧୦୬ ରନ ଦେଇଥିଲେ। ଦ୍ଵିତୀୟରେ ଥିବା ବିନୟ କୁମାର ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦ ଓଭରରେ ୧୦୨ ରନ ଦେଇଥିଲ। ଏଥିସହ ୨୦୧୭ରେ ଭୁବନେଶ୍ଵର କୁମାର ୨୦୧୭ରେ କାନପୁର ମଇଦାନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୦ ଓଭରରେ ୯୨ ରନ ଦେଇଥିଲେ।
ଗୋଟିଏ ଇନିଂସରେ ସର୍ବାଧିକ ରନ ଦେବାର ରେକର୍ଡ ଅଷ୍ଟ୍ରେଲିଆ ବୋଲର ମିକ୍ ଲେଭିସ୍ଙ୍କ ନାମରେ ରହିଛି। ସେ ୨୦୦୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦ ଓଭରରେ ୧୧୩ ରନ ଦେଇଥିଲେ। ଲେଭିସ୍ ଏହା ପରଠୁ ଅଷ୍ଟ୍ରେଲିଆ ଦଳକୁ ପ୍ରତ୍ୟାବର୍ତ୍ତନ କରି ପାରିନଥିଲେ। ଏହି ତାଲିକାରେ ଦ୍ଵିତୀୟରେ ରହିଛନ୍ତି ପାକିସ୍ତାନୀ ବୋଲର ଓ୍ଵାହବ ରିୟାଜ। ସେ ଇଂଲଣ୍ଡ ବିପକ୍ଷରେ ୧୧୦ ରନ ବ୍ୟୟ କରିଥିଲେ। ଆଫଗାନିସ୍ତାନ ବୋଲର ରଶିଦ ଖାନ ୧୧୦ ରନ ସହ ତୃତୀୟରେ ରହିଛନ୍ତି।