ଯୁବରାଜ ସିଂହଙ୍କ ପିତା ଯୋଗରାଜ ସିଂହଙ୍କ ଗିରଫ ଦାବୀ ଜୋରଦାର, କୃଷକ ଆନ୍ଦୋଳନରେ ଦେଇଥିଲେ ବିବାଦୀୟ ବୟାନ
5/12/2020 at 5:10 PM

ନୂଆଦିଲ୍ଲୀ ୦୫/୧୨ : ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ପିତା ଯୋଗରାଜ ସିଂହଙ୍କ ଗିରଫଦାବୀ ତୀବ୍ର ହୋଇଛି । ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ସହିତ ଆନ୍ଦୋଳନରେ ସାମିଲ ହେବାକୁ କୃଷକମାନଙ୍କ ପାଖରେ ପହଞ୍ଚିଥିଲେ ଯୋଗରାଜ ସିଂହ । ତେବେ ସେଠାରେ ହିନ୍ଦୁମାନଙ୍କ ପ୍ରତି ଦେଇଥିବା ବିବାଦୀୟ ବୟାନ ପାଇଁ ସୋସିଆଲ ମିଡିଆରେ ଯୋଗରାଜଙ୍କୁ ଗିରଫ ଦାବୀ ଜୋର ଧରିଛି ।
ସୋସିଆଲ ମିଡିଆରେ ତାଙ୍କର ବିବାଦୀୟ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଭାଇରାଲ ଭିଡିଓରେ ଯୋଗରାଜ ପଞ୍ଜାବୀ ଭାଷାରେ ଭାଷଣ ଦେଇଥିବା ଦେଖିବାକୁ ମିଳିଛି । ସେ ଭାଷଣ ମଧ୍ୟରେ ହିନ୍ଦୁଙ୍କ ପାଇଁ ‘ଗଦ୍ଦାର’ ଶବ୍ଦ ବ୍ୟବହାର କରିଥିଲେ । ସେ କହିଥିଲେ ‘ହିନ୍ଦୁମାନେ ହେଉଛନ୍ତି ଗଦ୍ଦାର, ଶହ ଶହ ବର୍ଷ ମୋଗଲମାନଙ୍କ ଗୋଲାମୀ କରିଥିଲେ’ । ଏହା ପରେ ସାମାଜିକ ଗଣମାଧ୍ୟମରେ ଯୋଗରାଜଙ୍କ ବିବାଦୀୟ ଭାଷଣକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
କେବଳ ଏତିକି ନୁହେଁ ସେ ମହିଳାଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ଯୋଗରାଜ ସିଂହ ପ୍ରଥମ ଥର ପାଇଁ ବିବାଦରେ ଫସିନାହାନ୍ତି । ପୂର୍ବରୁ ମଧ୍ୟ ଅନେକ ଥର ବିବାଦୀୟ ବୟାନ ଦେଇ ବିବାଦରେ ଫସିଛନ୍ତି ଯୋଗରାଜ । କିଛି ଦିନ ପୂର୍ବରୁ ସେ ଭାରତର ପୂର୍ବତନ ଅଧିନାୟକ ତଥା ଭାରତକୁ ଦୁଇ ଥର ବିଶ୍ବ ଚାମ୍ପିୟନ କରାଇଥିବା ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ମଧ୍ୟ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ ଧୋନୀଙ୍କ ବିରୁଦ୍ଧରେ ପକ୍ଷପାତିତା ଅଭିଯୋଗ ଆଣିଥିଲେ ।