‘ଯୁବରାଜ ସିଂହଙ୍କୁ ଭାରତ ରତ୍ନ ମିଳୁ, କ୍ୟାନସରରେ ଥାଇ ସେ ବିଶ୍ୱକପ ଜିତାଇଲେ, ଧୋନୀ ତାଙ୍କ କ୍ୟାରିୟର ନଷ୍ଟ କରିଦେଲେ’

Published By : Prameya-News7 Bureau | September 01, 2024 IST

internet

ନୂଆଦିଲ୍ଲୀ: ଯୁବରାଜ ସିଂହଙ୍କୁ ଭାରତ ରତ୍ନ ମିଳୁ। ସେ ତାଙ୍କ କ୍ୟରିୟରରେ ଯାହା କରିଛନ୍ତି ତାହା ଅଦ୍ୱିତୀୟ। କ୍ୟାନସର ସହ ଲଢ଼ି କ୍ରିକେଟର ଦ୍ୱିତୀୟ ଇନିଂସ ଆରମ୍ଭ କଲେ। ହେଲେ ଧୋନୀ ଯୁବରାଜଙ୍କ କ୍ୟରିୟର ନଷ୍ଟ କରିଦେଲେ। ଏକଥା ଆମେ କହୁ ନାହୁଁ କ୍ରିକେଟ କୋଚ୍ ତଥା ଯୁବରାଜ ସିଂହଙ୍କ ବାପା ୟୋଗରାଜ ସିଂହ କହିଛନ୍ତି। ଏଥିସହିତ ସେ ଧୋନୀଙ୍କୁ ପୁଣି ସମାଲୋଚନା କରିଛନ୍ତି। 

କ୍ରିକେଟ ଓ କ୍ରକେଟରଙ୍କ ନେଇ ଖୋଲାଖୋଲି ଭାବେ ନିଜର ବୟାନ ଦେଉଥିବା ୟୋଗରାଜ ସିଂହ ପୁଣିଥରେ ଧୋନୀଙ୍କ ଉପରେ ବର୍ଷିଛନ୍ତି। ଯୁବରାଜ ଭାରତୀୟ ଟିମର ଜଣେ ଜବରଦସ୍ତ ଅଲ ରାଉଣ୍ଡର। ଦଳ ପାଇଁ ସେ ଆଉ କିଛି ବର୍ଷ ମ୍ୟାଚ୍ ଖେଳିପାରିଥାନ୍ତେ। ହେଲେ ଧୋନୀ ତାଙ୍କୁ ଖେଳିବାକୁ ଦେଲେନି ବୋଲି ୟୋଗରାଜ କହିଛନ୍ତି।

ୟୋଗରାଙ୍କ ଧୋନୀଙ୍କୁ ଏଭଳି ସମାଲୋଚନା କରିବା ନୂଆ ନୁହେଁ। ସେ ପୂର୍ବରୁ ଅନେକ ଥର ମାହିଙ୍କ ବିରୋଧରେ ବୟାନ ଦେଇଛନ୍ତି। ଯୁବରାଜ ଖେଳୁଥିବା ବେଳେ ଧୋନୀ ତାଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଥିଲେ ବୋଲି ୟୋଗରାଜ ଅନେକ ସମୟରେ ଅଭିଯୋଗ ମଧ୍ୟ କରିଛନ୍ତି। 

ନିକଟରେ ଏକ ୟୁଟ୍ୟୁବ୍ ଚ୍ୟାନେଲକୁ ସାକ୍ଷାତାକର ଦେଇ ୟୋଗରାଜ  କହିଛନ୍ତି “ମୁଁ ଏମ୍‌ଏସ ଧୋନୀଙ୍କୁ କେବେ ବି କ୍ଷମା କରିପାରିବି ନାହିଁ। ସେ ନିଜକୁ ଥରେ ମିରର ଦେଖିବା ଉଚିତ। ସେ ଜଣେ ବହୁତ ଖ୍ୟାତନାମା କ୍ରିକେଟର। ଏଥିପାଇଁ ମୁଁ ତାଙ୍କୁ ସାଲ୍ୟୁଟ କରେ। କିନ୍ତୁ ସେ ମୋ ପୁଅ ଯୁବରାଜଙ୍କ ବିରୋଧରେ ଯାହା କଲେ ତାହା ଅକ୍ଷମଣୀୟ। ବର୍ତ୍ତମାନ ସବୁକିଛି ସାମ୍ନାକୁ ଆସିଲାଣି। ଏହାକୁ କେବେ କ୍ଷମା କରିହେବନି।


ୟୋଗରାଜ ଆହୁରି କହିଛନ୍ତି “ ଏହି ଲୋକ ମୋ ପୁଅ ଜୀବନ ବର୍ବାଦ କରିଦେଇଛି। ମୋ ପୁଅ ଆହୁରି ୪-୫ ବର୍ଷ ଖେଳିପାରିଥାନ୍ତା। ସମସ୍ତଙ୍କୁ ଯୁବରାଜ ସିଂହ ଭଳି ପୁଅ ମିଳୁ। ଏମିତିକ ଗୌତମ ଗମ୍ଭୀର ଓ ବିରେନ୍ଦ୍ର ସେହେୱାଗ ବି କହିଛନ୍ତି ଯେ ଭବିଷ୍ୟତରେ ଆଉ ଜଣେ ଯୁବରାଜ ସୃଷ୍ଟି ହୋଇପାରିବ ନାହିଁ। କ୍ୟାନସର ରୋଗରେ ପୀଡ଼ିତ ହୋଇ ବି ଯୁବରାଜ କ୍ରିକେଟ ଖେଳି ବିଶ୍ୱକପ ଜିତାଇଲେ। ତେଣୁ ଭାରତ ସରକାର ତାଙ୍କୁ ଭାରତ ରତ୍ନ ଦେବା କଥା।” 

ଯୁବରାଜ ଓ ଧୋନୀ ଏକାଠୀ ୨୭୩ ମ୍ୟାଚ୍ ଖେଳିଛନ୍ତି। ସମସ୍ତ ଫର୍ମାଟ୍‌ରେ ଦୁହିଁଙ୍କ ମଧ୍ୟରେ ଅନେକ ସ୍ମରଣୀୟ ପାର୍ଟନର୍ସିପ୍ ହୋଇଛନ୍ତି। ହେଲେ ଭାରତକୁ ଉଭୟ ଟି-୨୦ ଓ ଦିନିକିଆ ବିଶ୍ୱକପ ଜିତାଇବାରେ ଯୁବରାଜଙ୍କ ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ୨୦୦୭ରେ ପ୍ରଥମ ଟି-୨୦ ବିଶ୍ୱକପରେ ଅଲରାଉଣ୍ଡର ଯୁବରାଜ ଜବରଦସ୍ତ ବ୍ୟାଟିଂ କରି ମିଡିଲ ଅର୍ଡରକୁ ମଜଭୁତ କରିଥିଲେ।  ଆଉ ୨୦୧୧ରେ ଦିନିକିଆ ବିଶ୍ୱକପରେ ମଧ୍ୟ ଚମକ୍ତାର ପ୍ରଦର୍ଶନ କରିଥିଲେ। ଏଥିପାଇଁ ତାଙ୍କୁ ପ୍ଲେୟାର ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ବି ଚୟନ କରାଯାଇଥିଲା। ହେଲେ ବିଶ୍ୱକପ୍‌ ସମୟରେ ସେ କ୍ୟାନ୍‌ସରରେ ପୀଡ଼ିତ ଥିଲେ ବୋଲି ଜଣାପଡ଼ିଥିଲା।

ଯୁବରାଜଙ୍କ ବାମପଟ ଫୁସ୍‌ଫୁସ୍‌ରେ କ୍ୟାନସର ଟ୍ୟୁମର ଜଣାପଡ଼ିବା ପରେ ଆମେରିକାର ବୁଷ୍ଟନ ଓ ଇଣ୍ଡିଆନାପୋଲିସରେ ତାଙ୍କର କ୍ୟାମୋଥେରାପି ଚିକିତ୍ସା ହୋଇଥିଲା। ଶେଷରେ କ୍ୟାନସର ଉପରେ ବିଜୟ ପାଇ ୨୦୧୨ ସେପ୍ଟେମ୍ବର ମାସରେ ପୁଣି କ୍ରିକେଟର ମଇଦାନକୁ ଓହ୍ଲାଇଥିଲେ ଟିମ୍ ଇଣ୍ଡିଆର ଟପ୍ ଅଲ୍‌ରାଉଣ୍ଡର। ହେଲେ କ୍ୟାନସର କବଳରୁ ଫେରି ଆସିବା ପରେ ପଡ଼ିଆରେ କିନ୍ତୁ ଯୁବରାଜଙ୍କ ଯାଦୁ ଆଉ ଦେଖିବାକୁ ମିଳିଲା ନାହିଁ। ଖରାପ ପ୍ରଦଦର୍ଶନ ଯୋଗୁ ତାଙ୍କୁ ନ୍ୟାସ୍‌ନାଲ ଟିମ୍‌ରୁ ବାହାର କରିଦିଆଯାଇଥିଲା। ତେବେ ୨୦୧୪ ଟି-୨୦ ବିଶ୍ୱକପ ଓ ୨୦୧୭ ଚାମ୍ପିୟନ ଟ୍ରଫି ଖେଳିଥିଲେ ଯୁବରାଜ। ହେଲେ ୨୦୧୫ ଦିନିକିଆ ବିଶ୍ୱକପ୍‌ରେ ତାଙ୍କୁ ଟିମ୍‌ରେ ସ୍ଥାନ ମିଳି ନଥିଲା। 

ଜାତୀୟ ଟିମ୍‌ରେ ସ୍ଥାନ ହରାଇବା ପରେ ଯଦିଓ ଯୁବରାଜ ଆଇପିଏଲ୍‌ ଖେଳ ଜାରି ରଖିଥିଲେ। ହେଲେ ତାଙ୍କ ପୂର୍ବ ଫର୍ମ ଆଉ ଫେରି ନଥିଲା। କିଛି ବର୍ଷ ସଂଘର୍ଷ କରିବା ପରେ ୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଯାଇଥିଲେ। କ୍ରିକେଟ ଜଗତର ତାଙ୍କର ବିଶାଳ କ୍ୟାରିୟରରେ ଶେଷରେ ଏମିତି ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.