ଅଜିତ ପାୱାରଙ୍କ ବିପକ୍ଷରେ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱୀତା କରିଥିବା ୟୁଗେନ୍ଦ୍ର ECରେ ଜମା କଲେ ୯ ଲକ୍ଷ ଟଙ୍କା, ଜାଣନ୍ତୁ କାହିଁକି?

Published By : Prameya-News7 Bureau | December 01, 2024 IST

ମୁମ୍ବାଇ ୧।୧୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ଫଳାଫଳ ଆସିବା ପରେ ମହାଯୁତୀ ମେଣ୍ଟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ପେଞ୍ଚ ଫଶିଛି। ଏଥି ମଧ୍ୟରେ ଖବର ଆସୁଛି ନିର୍ବାଚନ ଫଳାଫଳକୁ ନେଇ କେତେକ ପରାଜିତ ପ୍ରାର୍ଥୀ ଇଭିଏମ ମାଇକ୍ରୋ କଣ୍ଟ୍ରୋଲର ଭେରିଫିକେସନ ପାଇଁ ଆବେଦନ ଦାଖଲ କରିଛନ୍ତି। ଏଥିରେ ପୁଣେର ୨୧ରୁ ୧୧ ପ୍ରାର୍ଥୀ ଅଧିକାରୀକ ଭାବେ ମାଇକ୍ରୋ କଣ୍ଟ୍ରୋଲରର ଦ୍ୱିତୀୟବାର ଯାଞ୍ଚ ନିମନ୍ତେ ନିର୍ବାଚନ ଆୟୋଗ(ଇସି)ଙ୍କୁ ଆବେଦନ ଦାଖଲ କରିଥିବା ଜଣାପଡିଛି। 

ଏଥିରେ ବାରାମତୀରୁ ଏନସିପି (ଶରଦ) ପ୍ରାର୍ଥୀ ଯୁଗେନ୍ଦ୍ର ପାୱାର ୧୯ ଇଭିଏମର ମାଇକ୍ରୋ କଣ୍ଟ୍ରୋଲର ସତ୍ୟାପିତ କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଏକ ଆବେଦନ ଦାଖଲ କରିଥିବା ବେଳେ ଏଥି ନିମନ୍ତେ ୮ଲକ୍ଷ ୯୬ ହଜାର ଟଙ୍କା ପୈଠ କରିଛନ୍ତି। ଯୁଗେନ୍ଦ୍ର ପାୱାରଙ୍କ ବ୍ୟତୀତ ହଡପସର ପ୍ରାର୍ଥୀ ପ୍ରଶାନ୍ତ ଜଗତାପ, ପୁଣେ କ୍ୟାଣ୍ଟନମେଣ୍ଟର କଂଗ୍ରେସ ପ୍ରାର୍ଥୀ ରମେଶ ବାଗବେ ମଧ୍ୟ ଇଭିଏମ ସତ୍ୟାପିତ କରିବା ପାଇଁ ଆବେଦନ କରିଛନ୍ତି। 

ଇଭିଏମ ସତ୍ୟାପନ ନିମନ୍ତେ ନିର୍ବାଚନ ଫଳାଫଳ ଘୋଷଣାର ୭ ଦିନ ମଧ୍ୟରେ ଆବେଦନ କରିବାକୁ ହୋଇଥାଏ। ଏଣୁ ଏଥି ପାଇଁ ନଭେମ୍ବର ୩୦ ଶେଷ ତାରିଖ ଥିଲା। ପୁରା ଜିଲ୍ଲାରେ ୧୩୭ ଇଭିଏମ ସେଟ୍‌ର ମାଇକ୍ରୋ କଣ୍ଟ୍ରୋଲର ଯାଞ୍ଚ ନିମନ୍ତେ ସବୁ ପ୍ରାର୍ଥୀମାନେ ମିଶି ୬୬ଲକ୍ଷ ୬୪ ହଜାର ଟଙ୍କା ପୈଠ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ ଯେଉଁ ପ୍ରାର୍ଥୀ ସମ୍ବଦ୍ଧିତ ନିର୍ବାଚନ କ୍ଷେତ୍ରରେ ତୃତୀୟ ସ୍ଥାନରେ ଥିବେ ସେ ତାଙ୍କ ନିର୍ବାଚନମଣ୍ଡଳିରେ ବ୍ୟବହୃତ ହୋଇଥିବା ଇଭିଏମର ୫ ପ୍ରତିଶତ ଯାଞ୍ଚ ପାଇଁ ଆବେଦନ କରିପାରିବେ। 

ଜିଲ୍ଲା ନିର୍ବାଚନ ଅଧିକାରୀ ଏ କଥା ପୁଷ୍ଟି କରିଥିବା ବେଳେ ତାଙ୍କ ନିକଟକୁ ଆସିଥିବା ଅନୁରୋଧକୁ ସେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଇ ଦେଇଥିବା କହିଛନ୍ତି। ଏଣୁ ଇଭିଏମ ମାଇକ୍ରୋ କଣ୍ଟ୍ରୋଲରର ଯାଞ୍ଚ କଡ଼ା ତଦାରଖରେ କରାଯିବ। ଏଥିରେ ପ୍ରାର୍ଥୀ, ଇଭିଏମ ନିର୍ମାଣକାରୀ କମ୍ପାନୀର ଇଞ୍ଜିନିୟର ମଧ୍ୟ ସାମିଲ ହେବେ। ଉଲ୍ଲେଖଯୋଗ୍ୟ ଯେ ପ୍ରଶାନ୍ତ ଜଗତାପ ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳିର ୨୭ ଇଭିଏମର ଭେରିଫିକେସନ ଦାବି କରିଛନ୍ତି। ଏଥି ପାଇଁ ସେ ୧୨ଲକ୍ଷ ଟଙ୍କା ପୈଠ କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.