ଓ୍ବାଇଏସଆର କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡିଙ୍କୁ ଛୁରାମାଡ଼
25/10/2018 at 2:02 PM

ଭାଇଜାଗ ୨୫/୧୦: ଆନ୍ଧ୍ର ପ୍ରଦେଶର ମୁଖ୍ୟବିରୋଧୀ ଦଳ ଓ୍ବାଇଏସଆର କଂଗ୍ରେସର ମୁଖ୍ୟ ଜଗନମୋହନ ରେଡ୍ଡିଙ୍କ ଉପରେ ଭାଇଜାଗ ବିମାନବନ୍ଦରଠାରେ ଆକ୍ରମଣ ହୋଇଛି। ଜଣେ ଅଜଣା ବ୍ୟକ୍ତି ଜଗନମୋହନ ରେଡ୍ଡୀଙ୍କୁ ଛୁରାରେ ଆକ୍ରମଣ କରିଛି। ଆକ୍ରମଣରେ ଜଗନମୋହନଙ୍କ ବାହୁରେ କ୍ଷତ ହୋଇଛି। ବିମାନବନ୍ଦର ମଧ୍ୟରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି। ଭାଇଜାଗରୁ ହାଇଦ୍ରାବାଦ ଅଭିମୁଖେ ଯିବାପାଇଁ ଜଗନମୋହନ ଅପେକ୍ଷା କରିଥିବାବେଳେ ଏହି ଆକ୍ରମଣ ହୋଇଛି। ଆକ୍ରମଣକାରୀକୁ ପୋଲିସ୍ ତୁରନ୍ତ ଗିରଫ କରି ପଚରାଉଚୁରା କରୁଛି। ଆକ୍ରମଣକାରୀର ନାଁ ଶ୍ରୀନିବାସ ବୋଲି ଜଣାପଡିଛି । ସେ ବିମାନବନ୍ଦର କ୍ୟାଣ୍ଟିନର ଜଣେ କର୍ମଚାରୀ । ଯେଉଁ ଛୁରୀରେ ସେ ଜଗନମୋହନଙ୍କୁ ଆଘାତ କରିଥିଲା ତାହା ସାଧାରଣତଃ ଗଂଜା ଲଢେଇବେଳେ କୁକୁଡାମାନଙ୍କ ଗୋଡରେ ବନ୍ଧାଯାଇଥାଏ । ଆକ୍ରମଣରେ ବ୍ୟବହାର ହୋଇଥିବା ଛୁରା ପୋଲିସ୍ ଜବତ କରିଛି।
ଭାଇଜାଗ ଜିଲ୍ଲାର ସାଲୁରଠାରେ ପଦଯାତ୍ରା ସରିବାପରେ ଜଗନମୋହନ ହାଇଦ୍ରାବାଦ ଫେରୁଥିଲେ। ଆସନ୍ତାକାଲି ଜଗନମୋହନ ହାଇଦ୍ରାବାଦଠାରେ ଏକ ମାମଲାରେ ଅଦାଲତରେ ହାଜର ହେବାକୁ ଥିଲା । ବିମାନପାଇଁ ସେ ଅପେକ୍ଷା କରୁଥିବାବେଳେ ଶ୍ରୀନିବାସ ଆସି ସେଲଫି ନେବାପାଇଁ ଅନୁରୋଧ କରିଥିଲା । ଜଗନମୋହନ ସେଲଫି ଦେଉଥିବାବେଳେ ଶ୍ରୀନିବାସ ଅଚାନକ ଆକ୍ରମଣ କରିଥିଲା । ଯଦିଓ ଆକ୍ରମଣ ପଛର କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ ତେବେ ଜଗନମୋହ କ୍ଷମତାକୁ ଆସି ରାଜୁତି କରନ୍ତୁ ବୋଲି ସଂପୃକ୍ତ ଆକ୍ରମଣକାରୀ ଚାହୁଁନଥିବା ଜଣାପଡିଛି ।
ଅପରପକ୍ଷରେ ଆନ୍ଧ୍ରପ୍ରଦେଶରେ କ୍ଷମତାସୀନ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କର ଏହା ଷଡଯନ୍ତ୍ର ବୋଲି ଜଣେ ୱାଇଏସଆର କଂଗ୍ରେସ ନେତା କହିଛନ୍ତି । କାରଣ ବିମାନମନ୍ଦର ମଧ୍ୟରେ ଥିବା କ୍ୟାଣ୍ଟିନଟି ଜଣେ ଟିଡିପି ନେତଙ୍କ ମାଲିକାନାରେ ରହିଛି ।