ସେପ୍ଟେମ୍ବରରେ ୬.୫% ବଢ଼ିଲା ଜିଏସଟି ସଂଗ୍ରହ, ହେଲେ ମାସିକ ଆଧାରରେ କମିଲା କଲେକ୍ସନ

Published By : Prameya-News7 Bureau | October 01, 2024 IST

ନୂଆଦିଲ୍ଲୀ: ଭାରତର ଜିଏସଟି ସଂଗ୍ରହ ସେପ୍ଟେମ୍ବର ମାସରେ ବାର୍ଷିକ ଆଧାରରେ ୬.୫ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ଅକ୍ଟୋବର ୧ରେ ଅର୍ଥ ମନ୍ତ୍ରାଳୟ ତରଫରୁ ସୂଚନା ଜାରି ହୋଇଛି। ଯେଉଁଥିରେ କୁହାଯାଇଛି ଯେ, ସେପ୍ଟେମ୍ବର ମାସରେ ୧.୭୩ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି। ଗତ ବର୍ଷ ସମାନ ସମାନ ଅବଧିରେ ଅର୍ଥାତ ସେପ୍ଟେମ୍ବର ୨୦୨୩ରେ ଭାରତର ଜିଏସଟି ସଂଗ୍ରହ ୧.୬୩ ଲକ୍ଷ କୋଟି ଟଙ୍କା ଥିଲା। 

ତେବେ ବାର୍ଷିକ ଆଧାରରେ ଜିଏସଟି ସଂଗ୍ରହରେ ବୃଦ୍ଧି ଦେଖିବାକୁ ମିଳିଥିଲେବି, ମାସିକ ଆଧାରରେ ଏଥିରେ ସାମନ୍ୟ ହ୍ରାସ ଦେଖିବାକୁ ମିଳିଛି। କାରଣ ମାସିକ ଆଧାରରେ ୧.୫% ହ୍ରାସ ହୋଇଛି। ଅଗଷ୍ଟରେ ଭାରତର ଜିଏସଟି ସଂଗ୍ରହ ୧.୭୫ ଲକ୍ଷ କୋଟି ଟଙ୍କା ଥିଲା।

୩.୯% ବଢ଼ିଲା ନେଟ୍ ଜିଏସଟି କଲେକ୍ସନ

ରିଫଣ୍ଡ ଘଟାଇବା ପରେ ନେଟ ଜିଏସଟି କଲେକ୍ସନ ଗତ ବର୍ଷର ସମାନ ଅବଧି ତୁଳନାରେ ୩.୯ % ବଢ଼ି ସେପ୍ଟେମ୍ବର ୨୦୨୪ରେ ୧.୫୩ ଲକ୍ଷ କୋଟି ଟଙ୍କା ହୋଇଛି। 

ବଢ଼ିଲା ଘରୋଇ ରାଜସ୍ବ

ସେପ୍ଟେମ୍ବର ମାସରେ ଘରୋଇ ରାଜସ୍ବ ୫.୯ % ବଢ଼ି ପ୍ରାୟ ୧,୨୭,୮୫୦ କୋଟି ଟଙ୍କା ହୋଇଛି। ଗତ ବର୍ଷର ସମାନ ଅବଧିରେ ଭାରତର ଘରୋଇ ରାଜସ୍ବ ୧, ୨୦,୬୮୬ କୋଟି ଟଙ୍କା ଥିଲା। ୨୦୨୪ ଅଗଷ୍ଟ ଘରୋଇ ରାଜସ୍ବ ୯.୨ % ବଢ଼ି ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କା ହୋଇଛି। ସେହିଭଳି, ମାଲ୍‌ ଆମଦାନୀରେ ରାଜସ୍ବ ୮% ବଢ଼ି ୪୫,୩୯୦ କୋଟି ଟଙ୍କା ହୋଇଛି। ଯାହା ସେପ୍ଟେମ୍ବର ୨୦୨୩ରେ ୪୨,୦୨୬ କୋଟି ଟଙ୍କା ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.