ଆଇଏଏସ ସ୍ବାମୀଙ୍କ ଠାରୁ ମଧ୍ୟ କରୁଛନ୍ତି ଅଧିକ ଆୟ, ଏହି ୟୁଟ୍ୟୁବରଙ୍କ ସଫଳତାକୁ ନେଇ ଚର୍ଚ୍ଚା
27/12/2022 at 11:08 PM

ନୂଆଦିଲ୍ଳୀ, ୨୭/୧୨: ଆଜିର ସମୟରେ ଯୁବପିଢ଼ୀଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପାଇଁ ଆୟର ଉତ୍ସ ପାଲଟିଛି ୟୁଟ୍ୟୁବ। ଅନେକ ଏହାକୁ କ୍ୟାରିୟର ଭାବରେ ମଧ୍ୟ ଆପଣାଉଛନ୍ତି। କିନ୍ତୁ ଆଜି ଜଣେ ଏଭଳି ୟୁଟ୍ୟୁବରଙ୍କର ବିଷୟରେ ଜାଣିବା ଯିଏକି ନିଜ ଆଇଏଏସ ସ୍ବାମୀଙ୍କ ଠାରୁ ମଧ୍ୟ ଅଧିକ ଆୟ କରୁଛନ୍ତି। ତାହାବି ପୁଣି ୟୁଟ୍ୟୁବରୁ। ଆଉ ତାଙ୍କର ଏହି ସଫଳତାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି। ଖାଲି ସେତିକି ନୁହେଁ ସେ ମହିଳାଙ୍କ ପାଇଁ ଏକ ପ୍ରେରଣା ମଧ୍ୟ ସାଜିଛନ୍ତି।
ୟୁଟ୍ୟୁବ୍ କଣ୍ଟେଣ୍ଟ କ୍ରିଏଟର ଶ୍ରୁତି ଶିଭା । ତାଙ୍କ ସ୍ବାମୀ ହେଉଛନ୍ତି ଆଇଏଏସ ଅଫିସର। ଉଭୟ ଉତ୍ତର ପ୍ରଦେଶରେ ରହୁଛନ୍ତି। ଶ୍ରୁତି ଶିବା ସାର୍ବଜନୀନ ଭାବରେ ଏକ ଭିଡିଓରେ କହିଛନ୍ତି ଯେ ସେ ୟୁଟ୍ୟୁବ୍ରୁ ତାଙ୍କ ସ୍ବାମୀଙ୍କ ଠାରୁ ଅଧିକ ଆୟ କରୁଛନ୍ତି। ଆଉ ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।
୨ ବର୍ଷ ତଳେ କୌତୁହଳବଶତଃ ଏକ ୟୁଟ୍ୟୁବ୍ ଚାନେଲ ଆରମ୍ଭ କରିଥିବା ଶ୍ରୁତି ଏବେ ଖୁବ୍ ଲୋକପ୍ରିୟ। ଶ୍ରୁତି ମଧ୍ୟ ନିଜ ସ୍ବାମୀଙ୍କ ପରି ଉଚ୍ଚଶିକ୍ଷତ। ପାରମ୍ପରିକ ବୃତ୍ତିରୁ ବାହାରି କିଛି ଅଲଗା କରିବାକୁ ଚାହୁଁଥିବା ମହିଳାଙ୍କ ଏବେ ସାଜିଛନ୍ତି ପ୍ରେରଣା । ଶ୍ରୁତିଙ୍କର ଇନଷ୍ଟାଗ୍ରାମରେ ମଧ୍ୟ ଫଲୋଅର ରହିଛନ୍ତି। କବିତାକୁ ନେଇ ଅନେକ କ୍ରିଏଟିଭ ଭିଡିଓ ପୋଷ୍ଟ କରିଥାନ୍ତି ଶ୍ରୁତି। ବଡ଼ କଥା ହେଉଛି ଏହିସବୁ ପରିଚୟ ସେ ମାତ୍ର ୨ ବର୍ଷ ମଧ୍ୟରେ ହାସଲ କରିଛନ୍ତି।
ଶ୍ରୁତି ଉତ୍ତରାଖଣ୍ଡ କୋଟଦ୍ବାରର ବାସିନ୍ଦା। ତାଙ୍କର ପ୍ରାରମ୍ଭିକ ଶିକ୍ଷା ଦେହରାଦୁନରେ ହୋଇଥିଲା। ଶ୍ରୁତି ଆମେରିକାର ସାଉଥ୍ ଫ୍ଲୋରିଡାରୁ ପବ୍ଲିକ୍ ହେଲ୍ଥରେ ମାଷ୍ଟର୍ସ କରିଛନ୍ତି। ଏବେ ସେ ମେରଠରେ ସ୍ବାମୀ ଅଭିଷେକ ପାଣ୍ଡେଙ୍କ ସହ ରହୁଛନ୍ତି। ଶ୍ରୁତି ପିଲାଦିନେ ବାପାଙ୍କୁ ହରାଇଥିଲେ, ଏହାପରେ ତାଙ୍କ ମା’ ହିଁ ତାଙ୍କର ଲାଳନପାଳନ କରିଥିଲେ। ୨୦୨୦ ରେ ଆଇଏଏସ୍ ଅଭିଷେକଙ୍କ ସହ ବିବାହ ହୋଇଥିଲା।
ସଫଳତାକୁ ନେଇ ଶ୍ରୁତି କହିଛନ୍ତି। ୨ ବର୍ଷ ତଳେ ଆମେରିକାରୁ ହିଁ ବ୍ଲଗିଂ ଆରମ୍ଭ କରିଥିଲେ। କୌତୁହଳବଶତଃ ଆରମ୍ଭ କରିଥିବା ୟୁଟ୍ୟୁବ୍ ଚାନେଲ ଏବେ ତାଙ୍କ ପାଇଁ ଫୁଲ୍ ଟାଇମ୍ କ୍ୟାରିୟରେ ପରିଣତ ହୋଇଛି। ଏଥିପାଇଁ ତାଙ୍କର ବଡ଼ ଭଉଣୀ ଉତ୍ସାହିତ କରିଥିଲେ ଏବଂ ଏହାକୁ ଏକ କ୍ୟାରିୟର ଭାବରେ ଗ୍ରହଣ କରିବାକୁ କହିଥିଲେ। ଏହାପରେ ଭିଡିଓ ଏଡିଟିଂ ସ୍କ୍ରିପ୍ଟ ଲେଖିବା ସବୁ ନିଜେ ଶିଖିଥିଲି ବୋଲି କହିଛନ୍ତି ଶ୍ରୁତି।
ପ୍ରଥମେ ସେ ସରକାରୀ ଘର ଦେଖାଇଥିଲେ ଯାହା ଭାଇରାଲ ହୋଇଥିଲା। ଏହାପରେ ଆମାଜନ୍ ହୋମ ଡେକରକୁ ନେଇ ଏକ ଭିଡିଓ କରିଥିଲେ ଯାହା ଭାଇରାଲ ହୋଇଥିଲା। ତାଙ୍କ ୟୁଟ୍ୟୁବ୍ ଚାନେଲ ଧୀରେ ଧୀରେ ଲୋକପ୍ରିୟ ହୋଇଥିଲା। ଏହାପରେ ଆୟ ମଧ୍ୟ ଆରମ୍ଭ ହୋଇଥିଲା। ଏହାପରେ ମୁଁ ଏହାକୁ ଫୁଲ୍ ଟାଇମ୍ କରିବାକୁ ଲାଗିଥିଲି। ଏବେ ଏହାହିଁ ମୋର କ୍ୟାରିୟର ବୋଲି କହିଛନ୍ତି ଶ୍ରୁତି।
ଏକ ସାକ୍ଷାତ୍କାରରେ ଶ୍ରୁତି ତାଙ୍କର ଲଭ୍ ଷ୍ଟୋରୀ ବିଷୟରେ ମଧ୍ୟ ସେୟାର କରିଛନ୍ତି। ସେ କହିଥିଲେ ଅଭିଷେକ ଆଇଆଇଟି ରୁରକି ଛାତ୍ର ଥିବା ସମୟରେ ତାଙ୍କର ଅଭିଷେକଙ୍କ ସହ ଦେଖାହୋଇଥିଲା। ସେତେବେଳେ ସେ ଡେଣ୍ଟାଲ କଲେଜ୍ରେ ଛାତ୍ରୀ ଥିଲେ। ଆଇଆଇଟି ଫେଷ୍ଟିଭାଲରେ ଏକ କାର୍ଯ୍ୟକ୍ରମରେ ଅଭିଷେକଙ୍କ ଉପସ୍ଥାପନା ତାଙ୍କୁ ପସନ୍ଦ ଆସିଥିଲା। ଆଉ ସେ ଅଭିଷେକଙ୍କ ପାଖକୁ ଯାଇ ପ୍ରଶଂସା କରିଥିଲେ। ଏହାପରେ ଅଭିଷେକଙ୍କ ସହ ସୋସିଆଲ ମିଡିଆରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଉଭୟଙ୍କ କଲେଜ ପାଖାପାଖି ଥିବାରୁ ଦେଖାସାକ୍ଷାତ୍ ମଧ୍ୟ ବଢ଼ିଥିଲା ଏବଂ ପରସ୍ପର ମଧ୍ୟରେ ସମ୍ପର୍କ ଗଢ଼ିଉଠିଥିଲା।
ଗ୍ରାଜୁଏସନ ପରେ ଅଭିଷେକ ଟାଟା ଷ୍ଟିଲରେ ଚାକିରି ପାଇଥିଲେ। ଏହାପରେ ଅଭିଷେକ ଆଇଏଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ ଏବଂ ଶ୍ରୁତି ଅଧିକ ଶିକ୍ଷା ପାଇଁ ଆମେରିକା ଚାଲିଯାଇଥିଲେ । ଅଭିଷେକ ଆଇଏଏସ ହେବା ପରେ ଏବଂ ସେ ତାଙ୍କର ମାଷ୍ଟର ଡିଗ୍ରୀ ସାରିବା ପରେ ଉଭୟ ୨୦୨୦ରେ ବିବାହ କରିଥିଲେ। ଶ୍ରୁତି କହିଛନ୍ତି ଯେ ସେ ତାଙ୍କ ସ୍ବାମୀଙ୍କ ଠାରୁ ଅଧିକ ଆୟ କରୁଛନ୍ତି। ତାଙ୍କର ପ୍ରାୟ ଅର୍ଥ ସ୍ପନସରସିପ୍ରୁ ଆସିଥାଏ।