ଆଜି ସକାଳୁ ଦୁଇ ଘଣ୍ଟା ବନ୍ଦ ହୋଇଗଲା ୟୁଟ୍ୟୁବ୍, ସମସ୍ୟାରେ ପଡିଲେ ବ୍ୟବହାରକାରୀ

Published By : Prameya-News7 Bureau | October 17, 2018 IST

ନୂଆଦିଲ୍ଲୀ ୧୭।୧୦: ଆଜିକାଲି ୟୁଟ୍ୟୁବ୍‌ର ବ୍ୟବହାର ବହୁଳ ମାତ୍ରାରେ ହେଉଛି । ଏମିତିରେ ଆଜି ୨ଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା ୟୁଟ୍ୟୁବ । ଫଳରେ ସାରା ବିଶ୍ବରେ ୧୫୦କୋଟି ୟୁଟ୍ୟୁବ୍ ବ୍ୟବହାରକାରୀ ସମସ୍ୟାରେ ପଡିଥିଲେ । ସୂଚନା ଅନୁସାରେ ଭିଡିଓ ସେୟାରିଂ ଓ୍ବେବସାଇଟ୍ ୟୁଟ୍ୟୁବ୍ ଆଜି ସକାଳ ପ୍ରାୟ ୨ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଯାଇଥିଲା । ଭାରତୀୟ ସମୟ ଅନୁସାରେ ସକାଳ ୬ଟା ୩୦ମିନିଟ୍ ରୁ ଏହା କାମ କରିବା ବନ୍ଦ କରିଦେଇଥିଲା । ସାରା ବିଶ୍ବର ବ୍ୟବହାରକାରୀଙ୍କ ତରଫରୁ ହୋଇଥିବା ଅଭିଯୋଗରୁ ଏଭଳି ଘଟଣା ଜଣାପଡିଥିଲା । ପାଖାପାଖି ୮ଟା ୩୯ମିନିଟ୍ ରେ କମ୍ପାନୀ ଟ୍ବିଟର ମାଧ୍ୟମରେ ଏହାକୁ ଠିକ୍ କରିବାର ସୂଚନା ଦେଇଥିଲା । ୟୁଟ୍ୟୁବ୍‌ର ଡେସ୍କଟପ୍ ଭର୍ସନରେ ଓ୍ବେବସାଇଟ୍ ଟେମ୍ପଲେଟ୍ ଦେଖାଯାଉଥିଲା । ମାତ୍ର ଭିଡିଓ ଚାଲୁନଥିଲା । ଭିଡିଓ ଉପରେ କ୍ଲିକ୍ କରିବାରୁ ଇଣ୍ଟରନାଲ ସର୍ଭର ଏରର ଦେଖାଉଥିଲା । ବିଶ୍ବର କେତେକ ଦେଶରେ ୟୁଟ୍ୟୁବ୍ ର ମୋବାଇଲ ଆପ୍, ୟୁଟ୍ୟୁବ୍ ଟିଭି ଏବଂ ୟୁଟ୍ୟୁବ୍ ମ୍ୟୁଜିକ୍ ମଧ୍ୟ କାମ କରୁନଥିଲା । ଏଥିପାଇଁ କମ୍ପାନୀ ବ୍ୟବହାରକାରୀଙ୍କୁ କ୍ଷମା ମଧ୍ୟ ମାଗିଛି । ସାରା ବିଶ୍ବରେ ୧୫୦କୋଟି ଲୋକ ୟୁଟ୍ୟୁବ୍ ବ୍ୟବହାର କରୁଛନ୍ତି । ଭାରତରେ ୨.୫ କୋଟିରୁ ଅଧିକ ଲୋକ ମୋବାଇଲରେ ୟୁଟ୍ୟୁବ୍ ବ୍ୟବହାର କରୁଛନ୍ତି । ୟୁଟ୍ୟୁବ୍‌ରେ ପ୍ରତି ମିନିଟ୍‌ରେ ୧୦୦ଘଣ୍ଟାର ବିଷୟବସ୍ତୁ ଅପଲୋଡ୍ ହେଉଛି । ଗତ ମାସରେ ଫେସବୁକ୍, ହ୍ବାଟସଅପ୍ ଏବଂ ଇନଷ୍ଟାଗ୍ରାମର ବ୍ୟବହାରକାରୀଙ୍କୁ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ସେପ୍ଟେମ୍ବର ୩ତାରିଖ ରାତି ୨ଟା ୩୦ମିନିଟ୍‌ରୁ ୩ଟା ୩୦ ମିନିଟ୍ ପର୍ଯ୍ୟନ୍ତ ତିନି ସୋସିଆଲ ସାଇଟ୍ ବନ୍ଦ ରହିଥିଲା । ଫେସବୁକ୍ ଏହାକୁ ନେଟଓ୍ବର୍କ ସମସ୍ୟା ବୋଲି କହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.