ଚୁପ୍‌ ଚାପ୍‌ ଚାଲିଯାଅ ମୁଁ ଏଠି ଶୋଇଛି...

Published By : Prameya-News7 Bureau | June 14, 2020 IST

ଭୁବନେଶ୍ୱର ୧୪।୦୬: ଅଶୀ ଦଶକର ଲୋକପ୍ରିୟ ଚଳଚ୍ଚିତ୍ର ସଙ୍ଗୀତ ଆମେ ତ ଭାଇ ବେହୋସ୍‌ ଅଛ!!! ଯାହା ଯୁବକଠୁ ଆରମ୍ଭ କରି ପ୍ରାପ୍ତ ବୟସ୍କ ଯାଏ ସମସ୍ତଙ୍କ ମନକୁ ଛୁଇଁ ପାରିଥିଲା । ଆଉ ଏଇ ଗୀତଟି ଗାଇଥିଲେ ଭେଟେରାନ୍‌ ସଂଗୀତଜ୍ଞ ସ୍ୱର୍ଗତ ଖୋକା ଭାଇ ଓରଫ୍‌ ଅକ୍ଷୟ ମହାନ୍ତି । ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ବି ଏବେ ଏହି ଗୀତର ଚାହିଦା କମିନି । ହେଲେ ରାଜଧାନୀର ଜନଗହଳିପୂର୍ଣ୍ଣ ଛକ ରସୁଲଗଡ଼ରେ ଏଇ ଗୀତର ସମ ଭାବାପର୍ଣ୍ଣ ପରିସ୍ଥିତି ଦେଖିବାକୁ ମିଳିଥିଲା । ଜଣେ ନିଶାସକ୍ତ ଯୁବକଙ୍କ ଅବସ୍ଥା ଦେଖି ସ୍ପଷ୍ଟ ତୁଳନା କରି ହେଉଥିଲା ଖୋକା ଭାଇଙ୍କ ଏଇ ଗୀତଟିକୁ… ଆମେ ତ ଭାଇ ବେହୋସ୍‌ ଅଛ… ତମର ହୋସ୍‌ ଅଛି । ଅର୍ଥାତ ଯୁବକ ଏପରି ନିଶାରେ ବୁଡ଼ିଥିଲେ ଯେ ନିଜ ସ୍କୁଟର ସିଟ୍‌ ତଳେ ମୁଣ୍ଡ ପୋତି ବେହୋସ୍‌ ଅବସ୍ଥାରେ ଥିଲେ । ପରୋକ୍ଷ ଭାବରେ ସେ କହିଥିଲେ ଯେ, ମୁଁ ଶୋଇଛି, ପଛରେ କଣ ହେଉଛି । ତାହାର ଜାଣିବାର ମୋ ଆବଶ୍ୟକତା ନାହିଁ ।

ପୂରା ଘଟଣାଟି ଏମିତି….
ସମୟ ଦିନ ପ୍ରାୟ ସାଢ଼େ ୧୨ଟା । ରସୁଲଗଡ଼ ଓଭରବ୍ରିଜ ତଳେ ଏକ ଆକ୍ଟିଭା ସାଇଡ୍‌ ଷ୍ଟାଣ୍ଡ୍‌ ମରାହୋଇ ଥୁଆ ହୋଇଥିଲା । ଗାଡ଼ିର ଡିକି ଖୋଲାଥାଏ । ତା’ ଭିତରେ ମୁଣ୍ଡ ପୂରାଇ ଜଣେ ଯୁବକ ଓହଳି ଥିଲେ । ପ୍ୟାଣ୍ଟ୍‌ ଓ ସାର୍ଟରେ ଲାଗିଥିଲା କାଦୁଅ ଛିଟା । ସେ ପୂୂର୍ବରୁ କେଉଁଠି ପଡ଼ି ଉଠି ଆସିଥିବା ଜଣା ପଡ଼ୁଥିଲା । ତାଙ୍କୁ ଦେଖିବାକୁ ଧୀରେ ଧୀରେ ଭିଡ଼ ଜମିଥିଲା । କିଏ ଏ ଯୁବକ ? କ’ଣ ପାଇଁ ଏଭଳି ଲଟକି ରହିଛନ୍ତି କେହି କିଛି ବୁଝିପାରି ନଥିଲେ । କରୋନା ଭୟରେ କେହି ତାଙ୍କୁ ଛୁଇଁବାକୁ ସାହସ କରୁ ନଥିଲେ । ଶେଷରେ ମଞ୍ଚେଶ୍ୱର ଥାନା ପୁଲିସକୁ ଖବର ଦିଆ ଯାଇଥିଲା ।
ପୁଲିସ ପହଞ୍ଚି ଯୁବକଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ସେ ଟିକେ ବି ହଲ୍‌ଚଲ ହୋଇ ନଥିଲେ । ପୁଲିସ ତାଙ୍କୁ ଗାଡ଼ି ଡିକିରୁ ଟାଣି ବାହାର କରିବାକୁ ଉଦ୍ୟମ କରିଥିଲା । ଏହି ସମୟରେ ପେଡ଼ିରୁ ସାପ ମୁଣ୍ଡ କାଢ଼ିବା ଭଳି ଡିକି ଭିତରୁ ମୁଣ୍ଡ କାଢ଼ିଥିଲେ ଯୁବକ ଜଣକ । କହିଥିଲେ, କିଏ ବେ…ଶ… । ଉଡ଼େଇ ଦେବି ବେ… ଏମିତି କହି ମୋଡ଼ି ହୋଇ ତଳେ ପଡ଼ିଥିଲେ । ଉଠିବାକୁ ଚେଷ୍ଟା କଲେ ବି ପାରୁ ନଥିଲେ । ପୁଲିସ ଉଠାଇବାରୁ ସେ ଠେଲାପେଲା କରିଥିଲେ ।

ଠେଲାପେଲା ବେଳେ ପୁଣି ହାମୁଡ଼େଇ ହୋଇ ତଳେ ପଡ଼ିଲେ । ଶେଷରେ ପୁଲିସ ତାଙ୍କ ମୁହଁରେ ପାଣି ବାଡ଼େଇ ଥିଲା । ତା’ପରେ ଯୁବକ ଜଣଙ୍କ ଟିକେ ଚେତା ଅବସ୍ଥାକୁ ଆସିଥିଲେ । ତାଙ୍କ ଗାଡ଼ି ଡିକିରୁ ଅଧା ବୋତଲ ବିଦେଶୀ ମଦ, ପାଣି ପାଉଚ ଓ ଗ୍ଲାସ୍‌ ମିଳିଥିଲା । ମାତାଲ ଅବସ୍ଥାରେ ଥାଇ ବି ସେ ଆଉ ମଦ ପିଇବା ପାଇଁ ବୋଧେ ସେଠାରେ ଅଟକିଥିଲେ। କୌଣସି ମତେ ଗାଡ଼ି ଷ୍ଟାଣ୍ଡ୍‌ ମାରିଥିଲେ । ସିଟ୍‌ ଟେକି ମଦ କାଢ଼ିବା ସମୟରେ ନିଶା ଜୋର ଧରିନେଲା । ସେଇ ସିଟ୍‌ ତଳେ ମୁହଁମାଡ଼ି ପଡ଼ିଗଲେ । ମାତାଲ ଯୁବକଙ୍କ ଏଭଳି ନାଟକବାଜିକୁ ଦେଖି ସେହିବାଟ ଦେଇ ଯାଉଥିବା ଲୋକେ ଟିକେ ଅଟକି ଯାଉଥିଲେ । କେହିକେହି ନିଜ ମୋବାଇଲ୍‌ରେ ତାଙ୍କ ନାଟକବାଜିକୁ ରେକର୍ଡ ମଧ୍ୟ କରୁଥିଲେ । ଫଳରେ ସେଠାରେ କିଛି ସମୟ ପାଇଁ ରାସ୍ତା ଜାମ୍‌ ହୋଇ ଯାଇଥିଲା ।

ଖବରପାଇ ଯୁବକଙ୍କ ଜଣେ ସଂପର୍କୀୟ ସେଠାରେ ପହଞ୍ଚି ଥିଲେ । ନିଜେ ବାଇକ୍‌ ଚଳାଇ ପଛରେ ବସାଇ ତାଙ୍କୁ ନେବାକୁ ଚେଷ୍ଟା କରିଥିଲେ । ହେଲେ ଯୁବକ ଜଣକ ପୁଣି ବାଇକ୍‌ରୁ ତଳକୁ ଖସି ପଡ଼ୁଥିଲେ । ଶେଷରେ ସଂପର୍କୀୟ ଜଣଙ୍କ ତାଙ୍କୁ ଆକ୍ଟିଭା ପଛରେ ବସାଇ ତାଙ୍କ ଦେହ ସହ ଗାମୁଛାରେ ବାନ୍ଧି ନେଇଥିଲେ । ଯୁବକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ଓ ଅନେକ ସମୟରେ ରାସ୍ତାଘାଟରେ ମାତାଲ ଅବସ୍ଥାରେ ଏପରି ପଡ଼ୁଥିବା ପୁଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.