ଚଳନ୍ତା କାର୍‌ରେ ଯୁବକଙ୍କ ସହ ଦୁଷ୍କର୍ମ, ଇନ୍‌ଷ୍ଟାଗ୍ରାମ ଫଟୋରୁ ଯୁବକଙ୍କୁ ଠାବ କରି ୪ ଅଭିଯୁକ୍ତ କରିଥିଲେ ଅପହରଣ

Published By : Prameya-News7 Bureau | December 12, 2019 IST

ମୁମ୍ବାଇ ୧୨।୧୨: ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ଯେ କେତେ ଭୟଙ୍କର ସାବ୍ୟସ୍ତ ହୋଇପାରେ ତାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ମୁମ୍ବାଇରେ ଘଟିଥିବା ଏକ ଦୁଷ୍କର୍ମ । ମୁମ୍ବାଇରେ ୨୨ବର୍ଷ ବୟସ୍କ ଯୁବକଙ୍କ ସହ ୪ଜଣ ଗଣଦୁଷ୍କର୍ମ କରି ଚଳନ୍ତା କାର୍ ରୁ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଯୁବକ ଜଣଙ୍କ ଘଟଣା ସଂପର୍କରେ ପୋଲିସକୁ ଜଣାଇବା ସହ ଥାନାରେ ମାମଲା ରୁଜୁ କରିଛନ୍ତି । ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ଯୁବକ ଜଣଙ୍କ ତାଙ୍କ ଇନଷ୍ଟାଗ୍ରାମ ପେଜ୍ ରେ ତାଙ୍କର ଗୋଟିଏ ସେଲଫି ପୋଷ୍ଟ କରିଥିଲେ । ସେଲଫିଟି ଏକ ରେଷ୍ଟୁରାଣ୍ଟ ବାହାରେ ଉଠାଯାଇଥିଲା । ୪ ଅଭିଯୁକ୍ତ ସେହି ରେଷ୍ଟୁରାଣ୍ଡରେ ପହଞ୍ଚି ଯୁବକଙ୍କ ସହ କଥା ହୋଇଥିଲେ । ସେମାନେ ସଂପୃକ୍ତ ଯୁବକଙ୍କୁ କହିଥିଲେ ଯେ, ସେମାନେ ତାଙ୍କର ବଡ ଫ୍ୟାନ୍ । ଏହାସହ ସେମାନେ ତାଙ୍କୁ ବାଇକ୍ ରାଇଡ୍ ପାଇଁ ଅଫର ଦେଇଥିଲେ । ଯୁବକ ଜଣଙ୍କ ସେମାନଙ୍କ କଥାରେ ରାଜି ହୋଇଥିଲେ । ଏହାପରେ ୫ଜଣ ବାଇକ୍ ରାଇଡ୍ ପାଇଁ ବାହାରିପଡିଥିଲେ ।

ପ୍ରାୟ ୨୦ ମିଟର ଯିବା ପରେ ସେମାନେ ମୁମ୍ବାଇ ବିମାନବନ୍ଦର ନିକଟରେ ପହଞ୍ଚିଥିଲେ । ସେଠାରେ ପୂର୍ବରୁ ଏକ କାର୍ ଠିଆହୋଇଥିଲା । ୪ ଅଭିଯୁକ୍ତ ଯୁବକଙ୍କୁ ଜୋରଜବରଦସ୍ତ କାର୍ ରେ ବସାଇ ସେହି ସ୍ଥାନ ଛାଡି ଫେରାର ହୋଇଯାଇଥିଲେ । ଚଳାନ୍ତା କାର୍ ରେ ୪ଜଣ ମିଶି ଯୁବକଙ୍କ ସହ ଦୁଷ୍କର୍ମ କରିଥିଲେ । ପ୍ରାୟ ତିନି ଘଣ୍ଟା ଧରି କାର୍ ରେ ଯୁବକଙ୍କ ସହ ଏଭଳି କାମ କରିଥିଲେ ।

ତାପର ଦିନ ସକାଳେ ଯୁବକଙ୍କ ରାସ୍ତା କଡ଼ରେ ଫିଙ୍ଗିଦେଇ ଫେରାର ହୋଇଯାଇଥିଲେ ୪ ଅଭିଯୁକ୍ତ । ଯୁବକ ଜଣଙ୍କ ଏ ସଂପର୍କରେ ତୁରନ୍ତ ଘରଲୋକଙ୍କୁ ଜଣାଇବା ସହ ପୋଲିସକୁ ଜଣାଇଥିଲେ । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତାପର ଦିନ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ମଧ୍ୟ ସୂଚନା ମିଳିଛି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପରେ ୩ଜଣଙ୍କୁ ବିଚାର ବିଭାଗୀୟ ଜେଲ୍ ପଠାଇଦିଆଯାଇଥିବା ବେଳେ ନାବାଳକଙ୍କୁ ଚାଇଲ୍ଡ ରିମାଣ୍ଡ ହୋମ୍ ପଠାଇ ଦିଆଯାଇଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.