ପ୍ରେମ ସଂପର୍କରୁ ଯୁବକଙ୍କୁ ଗଳାକାଟି ହତ୍ୟା କଲେ ପ୍ରେମିକାଙ୍କ ବାପା,୩ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ଜଗତପୁର ପୋଲିସ

Published By : Prameya-News7 Bureau | May 25, 2024 IST

ସାଲେପୁର ୨୫/୫: ପ୍ରେମ ପାଇଁ ମାରିଦେଲେ । ଯୁବକଙ୍କୁ ଗଳାକାଟି ବୀଭତ୍ସ ହତ୍ୟା । ୩ ଜଣଙ୍କୁ ଅଟକ ରଖି ପୋଲିସର ଛାନ୍‌ଭିନ୍‌। କଟକ ଜିଲ୍ଲା ଜଗତପୁର ଥାନା ପ୍ରଧାନପଡା ଗାଁର ପରିଡା ସାହିରେ ଚାଞ୍ଚଲ୍ୟ । ପ୍ରେମ ପାଇଁ ଯୁବକଙ୍କୁ ଜୀବନ ଦେବାକୁ ପଡିଛି । ମୃତକ ୨୨ ବର୍ଷୀୟ ତାପସ ପ୍ରଧାନ ।ଗାଁର ଜଣେ ଯୁବତୀଙ୍କ ସହ ତାପସଙ୍କ ପ୍ରେମ ସଂପର୍କ ଥିଲା । ତେବେ ସଂପର୍କକୁ ଯୁବତୀଙ୍କ ପରିବାର ଲୋକ ବିରୋଧ କରୁଥିଲେ । ଏମିତିକି ଯୁବତୀଙ୍କ ବାପା ତାପସଙ୍କୁ ଝିଅ ଠାରୁ ଦୁରେଇ ଯିବାକୁ ତାଗିଦ କରିବା ସହ ମାଡ ମାରିଥିଲେ । ତାପସ ଯୁବତୀଙ୍କ ସହ ମିଳାମିଶା ବନ୍ଦ ନକରିବାରୁ ମାରିବା ପାଇଁ ଉଦ୍ୟମ କରିଥିଲେ । ୬ ମାସ ପୂର୍ବରୁ ଏନେଇ ୨ ପରିବାର ମଧ୍ୟରେ ବୁଝାମଣା ହୋଇଥିଲା । ତେବେ ଯୁବତୀଙ୍କ ପିତା ପ୍ରତିଶୋଧପରାୟଣ ହୋଇ ତାପସଙ୍କୁ ହତ୍ୟା କରିବାକୁ ସୁଯୋଗ ଅପେକ୍ଷାରେ ଥିଲେ । 

ଶୁକ୍ରବାର ବିଳମ୍ବିତ ରାତିରେ ତାପସ ଘର ପାଖରେ ଥିବା ଲାଇବ୍ରେରୀରେ ଶୋଇଥିବାବେଳେ ଧାରୁଆ ଅସ୍ତ୍ରରେ ଗଳାକାଟି ଦୌଡି ପଳାଇଥିଲେ ଯୁବତୀଙ୍କ ପିତା । ତାପସଙ୍କ ପାଟି ଶୁଣି ଅନ୍ୟମାନେ ଉଠିଲା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହେଉଥିଲେ ତାପସ । ଡାକ୍ତରଖାନା ନେବା ପୂର୍ବରୁ ତାପସଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ଜଗତପୁର ଥାନା ଅଧିକାରୀ ପହଞ୍ଚିଥିଲେ । ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ବଡମେଡିକାଲକୁ ପଠାଯାଇଛି ।  ଘଟଣାରେ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍‌ ସହାୟତାରେ ଛାନ୍‌ଭିନ୍‌ ଚଳାଇଛି ପୋଲିସ ।ନିର୍ବାଚନ ଚାଲିଥିବାରୁ କୌଣସି ଅଘଟଣ ଆଶଙ୍କାରେ ଗାଁରେ ପୋଲିସ ମୁତୟନ କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.