ଦୀର୍ଘ ୧୨ଘଣ୍ଟା ପରେ ମିଳିଲା ଯୁବକଙ୍କ ମୃତଦେହ, ସେଲ୍ଫି ନେବାବେଳେ ଜଳପ୍ରପାତରେ ବୁଡି ନିଖୋଜ ଥିଲେ
29/05/2023 at 4:07 PM

ଧର୍ମଗଡ ୨୯।୫: ଦୀର୍ଘ ୧୨ ଘଣ୍ଟାର ପ୍ରଚେଷ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । କଳାହାଣ୍ଡି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଡୋକରିଚଞ୍ଚରାକୁ ରବିବାର ଧର୍ମଗଡର ୪ ଜଣ ଯୁବକ ବୁଲିବା ପାଇଁ ଯାଇଥିଲେ । ସେଠାରେ ସେଲ୍ଫି ନେବା ସମୟରେ ଅମନ ଅଗ୍ରୱାଲ ନାମକ ଯୁବକ ଜଳ ପ୍ରପାତରେ ଖସିପଡି ନିଖୋଜ ହୋଇ ଯାଇଥିଲେ । ଡୋକରିଚଞ୍ଚରାରେ ମୋବାଇଲ ନେଟୱର୍କ ଲାଗୁ ନଥିବାରୁ ସାଙ୍ଗରେ ଯାଇଥିବା ଯୁବକମାନେ କିଛି ଦୂରକୁ ଆସି ତାଙ୍କ ପରିବାରକୁ ଜଣାଇଥିଲେ ।
ଖବର ପାଇ ପରିବାର ଲୋକେ ପୋଲିସକୁ ଜଣାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଖୋଜାଖୋଜି କରିଥିଲେ । କିନ୍ତୁ ବିଳମ୍ବିତ ରାତି ହୋଇଯିବାରୁ ରବିବାର ନିଖୋଜ ଯୁବକଙ୍କୁ ଖୋଜିବାରେ ବିଫଳ ହୋଇଥିଲେ । ସୋମବାର ସକାଳୁ ଭବାନୀପାଟଣା ଏବଂ କୋକସରା ଦମକଳ ବାହିନୀ ମିଶି ପୁଣି ଖୋଜିଥିଲେ ।
ତେବେ ଦୀର୍ଘ ୧୨ ଘଣ୍ଟା ପରେ ନିଖୋଜ ଯୁବକ ଅମନ ଅଗ୍ରୱାଲଙ୍କ ମୃତଦେହ ଡୋକରିଚଞ୍ଚରା ଜଳ ପ୍ରପାତରୁ ଉଦ୍ଧାର ହୋଇଛି l ଘଟଣାସ୍ଥଳରେ ଧର୍ମଗଡ ଉପଜିଲ୍ଲାପାଳ, କୋକସରା ବ୍ଲକ ଚେୟାରମ୍ୟାନ ଏବଂ ଜୁନାଗଡ଼ NAC ଚେୟାରମ୍ୟାନ, ଧର୍ମଗଡ SDPO ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବର୍ତ୍ତମାନ ଯୁବକଙ୍କ ମୃତଦେହକୁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ସ୍ଥାନାନ୍ତର କରାଯାଇଛି l