ମାର୍ଶାଘାଇ, ୧୯/୧୦: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇରେ ଗତକାଲି ଗଜଲକ୍ଷ୍ମୀ ପୂଜା ଭଷାଣୀ ସମୟରେ ଘଟିଥିବା ଅଘଟଣରେ, TPCODL ଅଫିସ ଆଗରେ ମୃତଦେହ ରଖି ଧାରଣା ଦେଲେ ଶତାଧିକ ଗ୍ରାମବାସୀ । ଗଜଲକ୍ଷ୍ମୀ ପୂଜା ଭଷାଣୀ ସମୟରେ ଡିଜେ ଗାଡ଼ରେ ୧୧ କେଭି ତାର ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଥିଲେ ।
ବିଶ୍ବଜିତ ନାମକ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ,ଗୁରୁତର ଆହତ ୪ ଜଣଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡା ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା । କିନ୍ତୁ ଆଜି ଗ୍ରାମର ଶତାଧିକ ଲୋକ ମାର୍ଶାଘାଇ ଜୁଣଛକ ଠାରେ ଥିବା TPCODL ଅଫିସ ଆଗରେ ମୃତଦେହ ରଖି କ୍ଷତି ପୂରଣ ଦାବି କରିଛନ୍ତି । କ୍ଷତି ପୂରଣ ବାବଦକୁ ୨୫ ଲକ୍ଷ ଟଙ୍କା ସହ ପରିବାରର ଜଣକୁ ଚାକିରୀ ଦେବାକୁ ଦାବି ହୋଇଛି। ଅପରପକ୍ଷରେ ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଁଚି ଧାରଣାକାରୀଙ୍କୁ ବୁଝାସୁଝା କରିବା ସହ, ଲିଖିତ ଅଭିଯୋଗ ଜିଲ୍ଲାପାଳଙ୍କୁ ଜଣାଇ ବିହିତ କାର୍ଯ୍ୟନୁଷ୍ଠାନ ନିଆଯିବା ସହ କ୍ଷତିପୂରଣ ଦିଆଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି।