ପୋଖରୀରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
25/08/2020 at 4:39 PM

ବଲାଙ୍ଗୀର ୨୫।୮: ପୋଖରୀରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ଚଣ୍ଟିଆପାଲିର ବଘାରପଡା ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ବେଳେ ଉଦ୍ଧାର କରିଛି ପୋଲିସ । ତେବେ ମଙ୍ଗଳବାର ସକାଳୁ ସ୍ଥାନୀୟ ବଘାର ପଡାର ମହିଳାମାନେ ପୋଖରୀକୁ ଗଧୋଇବା ପାଇଁ ଯିବାବେଳେ ମୃତଦେହଟି ଭାସୁଥିବା ଦେଖିବାକୁ ପାଇଥିଲେ ।
ଏନେଇ ପୋଲିସକୁ ସୂଚନା ଦେବା ପରେ ବଲାଙ୍ଗୀର ଟାଉନ ଥାନା ଆଇଆଇସି ପହଞ୍ଚିବା ସହ ଶବକୁ ଉଦ୍ଧାର କରାଯାଇଛି । ତେବେ ମୃତ ଯୁବକଙ୍କ ବୟସ ୨୨ରୁ ୨୫ବର୍ଷ ହେବ ବୋଲି ଜଣାପଡିଥିବା ବେଳେ ତାଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ତେବେ ମୃତ ଶବର ଦେହରେ କୌଣସି କ୍ଷତ ଚିହ୍ନ ନଥିବା ସହ ମୃତ୍ୟୁର କାରଣ ଜଣାପଡିନାହିଁ । ସେପଟେ ଯେଉଁ ସ୍ଥାନରେ ପୋଖରୀଟି ରହିଛି ତା ନିକଟରେ ବହୁ ଚାମ୍ବର ସହ ହଷ୍ଟେଲ ଗୁଡିକ ରହିଛି । ଏଠାରେ ରହୁଥିବା ପିଲାମେନେ ସେହି ପୋଖରୀ ଦେଇ ଯିବା ଆସିବା କରୁଥିଲେ । ତେବେ ସେମାନଙ୍କ ମଧ୍ୟରୁ କେହି ହୋଇଥାଇପାରନ୍ତି ବୋଲି ସନ୍ଦେହ କରିବା ସହ ଛାନଭିନ ଆରମ୍ଭ କରିଛି ପୋଲିସ ।
ଯୁବକ ଜଣଙ୍କ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଏହା ହତ୍ୟା ନା ଅନ୍ୟ କୌଣସି କାରଣରୁ ଏଭଳି ଘଟଣା ଘଟିଛି ତାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ସହ ରିପୋର୍ଟ ଆସିବା ପରେ ସତ ପଦାକୁ ଆସିବ ବୋଲି କହିଛନ୍ତି ଆଇଆଇସି ।