ରାୟଗଡାରେ ଯୁବକଙ୍କୁ ନିର୍ମମ ହତ୍ୟା; ମାଓବାଦୀଙ୍କ ସମ୍ପୃକ୍ତି ସନ୍ଦେହ
29/09/2018 at 3:49 PM

ରାୟଗଡା ୨୯/୯ : ରାୟଗଡା ଥାନା କୁମ୍ଭିକୋଟା ଫାଣ୍ଡି ଅନ୍ତର୍ଗତ ଡୁମାପାଇ ଗ୍ରାମର ଜଣେ ବ୍ୟକ୍ତଙ୍କୁ ନିର୍ମମ ହତ୍ୟା କରାଯାଇଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ମାଓବାଦୀଙ୍କ ସମ୍ପୃକ୍ତକୁ ଏଡାଇ ହୋଇପାରୁନାହିଁ। ପୁଲିସ ପହଂଚି ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ରାୟଗଡା ଥାନା କୁମ୍ଭିକୋଟା ଫାଣ୍ଡି ଅନ୍ତର୍ଗତ ରାଇକଣା ଗ୍ରାମ ରାସ୍ତାରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ରାୟଗଡା ବ୍ଲକ ଗୁମ୍ମା ପଂଚାୟତ ଅନ୍ତର୍ଗତ ଡୁମାପାଇ ଗ୍ରାମର ମୁକୁନା ମାଣ୍ଡାଙ୍ଗି ନାମକ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଅତି ନିର୍ମମ ହତ୍ୟା କରାଯାଇଛି। ହତ୍ୟାପରେ ମୁଖ୍ୟ ରାସ୍ତା ଉପରେ ଶବକୁ ଫିଙ୍ଗି ଦିଆଯାଇଥିଲା । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ରହିଛି। ଆଜି ସକାଳେ ଗ୍ରାମବାସୀମାନେ ଏହା ଦେଖି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ କରିଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ତାହା ଏକ ମାଓବାଦୀ ପ୍ରବଣ ଅଂଚଳ ହୋଇଥିବାରୁ ଏହି ହତ୍ୟାକାଣ୍ଡରେ ମାଓବାଦୀଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି। କିନ୍ତୁ ଗ୍ରାମବାସୀ ଓ ପରିବାରବର୍ଗ ମୁଁହ ଖୋଲୁନାହାନ୍ତି। ଫଳରେ ଘଟଣା ଅଧିକ ରହସ୍ୟମୟ ହୋଇପଡିଛି।
ପୋଲିସ ଘଟଣାର ତଦନ୍ତ ଚଳାଇଛି। ଏକ ପୁଲିସ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଶବକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠେଇଛି । ଘଟଣା ସମ୍ପର୍କରେ ଅତିରିକ୍ତ ଏସପି କହିଛନ୍ତି ଯେ, ଏହି ହତ୍ୟାକାଣ୍ଡର ତଦନ୍ତ ଜାରି ରହିଛି। ତବେ ମାଓବାଦୀଙ୍କ ସମ୍ପୃକ୍ତିକୁ ସେ ଖଣ୍ଡନ କରିଛନ୍ତି । ତେବେ ଗୁଣିଆ ସନ୍ଦେହରୁ ଏହା ହୋଇଥାଇପାରେ ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି ।