ପ୍ରେମରେ ପଡ଼ିଥିବା ପୁଅର ବି ଗୋଟେ ସୁରକ୍ଷିତ ଭବିଷ୍ୟତ ଅଛି; ଅଭିଯୁକ୍ତ ଯୁବକଙ୍କୁ ଜାମିନ ଦେଲେ ପୋକ୍ସୋ କୋର୍ଟ

Published By : Prameya-News7 Bureau | March 20, 2022 IST

ମୁମ୍ବାଇ: ପ୍ରେମରେ ପଡ଼ିଥିବା ଅଳ୍ପ ବୟସ୍କ ପୁଅର ବି ଗୋଟେ ସୁରକ୍ଷିତ ଭବିଷ୍ୟତ ଅଛି। ଏକଥାକୁ ବିଚାରକୁ ନିଆଯିବା ଦରକାର ବୋଲି କହିଲେ କୋର୍ଟ। ଯଦି ପୁଅର ବୟସ ୨୧ ବର୍ଷ ଓ ସେ ଜଣେ ନାବାଳିକାକୁ ଭଲପାଉଛି, ତେବେ ସେହି ଯୁବକର ବି ଗୋଟେ ସ୍ଥିର ଓ ସୁରକ୍ଷତି ଭବିଷ୍ୟତ ଗଢ଼ିବାର ଅଧିକାର ରହିଛି। ଏକ ମାମଲାର ଶୁଣାଣି କରି ବିଶେଷ ପୋକ୍ସୋ ଅଦାଲତ ମୁମ୍ବାଇର ଜଣେ ୨୧ ବର୍ଷୀୟ ଛାତ୍ରଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ମାମଲାରେ ୨୧ ବର୍ଷର ଛାତ୍ର ଜଣଙ୍କ ତାଙ୍କର ୧୬ ବର୍ଷୀୟା ପ୍ରେମିକାଙ୍କୁ ନେଇ ଫେରାର୍ ହୋଇଯାଇଥିଲେ। ଯଦିଓ ନାବାଳିକା ନିଜ ଈଚ୍ଛାରେ ଘର ଛାଡ଼ିଥିଲେ ହେଲେ ତାଙ୍କ ପରିବାର ଲୋକେ କିନ୍ତୁ ଯୁବକଙ୍କ ଉପରେ ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏହି ମାମଲାରେ ଅଭିଯୁକ୍ତ ଛାତ୍ର ୩୦ ଦିନ ଜେଲ୍‌ରେ ରହିବା ପରେ ପୋକ୍ସୋ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ଏହି ମାମଲାରେ କୋର୍ଟ ତାଙ୍କ ନିଷ୍ପତ୍ତି ଶୁଣାଇବା ପୂର୍ବରୁ ବମ୍ବେ ହାଇକୋର୍ଟଙ୍କର ପୂର୍ବ ରାୟକୁ ବିଚାରକୁ ନେଇଥିଲେ। ପୋକ୍ସୋ କୋର୍ଟ କହିଥିଲେ ଯେ ପ୍ରେମ ସମ୍ପର୍କ ପାଇଁ କେବଳ ପରିବାରର ସହମତି ନଥିବାରୁ ୨୧ ବର୍ଷର ଅଭିଯୁକ୍ତକୁ ଜେଲ୍‌ରେ ରଖିବା ଉଚିତ୍ ନୁହେଁ। କାରଣ ଯୁବକ ସାମ୍ନାରେ ଗୋଟେ ଲମ୍ବା ଭବିଷ୍ୟତ ପଢ଼ିଛି। ତେଣୁ ତାକୁ ପେଷାଦାର ଅପରାଧିଙ୍କ ସହ ଜେଲ୍‌ର କାଳ କୋଠରୀ ଭିତରେ ରଖିବାର ଆବଶ୍ୟକତା ନାହିଁ। ତା ଛଡ଼ା ପୂର୍ବରୁ ଅଭିଯୁକ୍ତର କୌଣସି ଅପରାଧିକ ପୃଷ୍ଠଭୂମି ବି ନାହିଁ ବୋଲି କୋର୍ଟ କହିଥିଲେ।

ଏ ସମ୍ପର୍କିତ ମାମଲାରେ ରାୟ ପ୍ରକାଶ କରି ପୂର୍ବରୁ ବମ୍ବେ ହାଇକୋର୍ଟ କହିଥିଲେ ଯେ ଯୁବା ଅବସ୍ଥାରେ ଉଭୟ ପୁଅ ଓ ଝିଅଙ୍କର ଯୌନ ଉତ୍ତେଜନା ଆସିଥାଏ। ତେଣୁ ଏଭଳି ସମ୍ପର୍କ(କମ୍ ବୟସରେ ଯୌନ ସମ୍ପର୍କ ରଖିବା)ରେ ଆସିବା ପାଇଁ ଶରୀର ଓ ଆକର୍ଷିତ କରେ।

କୋର୍ଟ ତାଙ୍କ ରାୟରେ ଏହା ବି କହିଥିଲେ ଯେ ଯଦି ଜଣେ ଯୁବକ ଓ ଜଣେ ନାବାଳିକା ପ୍ରେମରେ ପଡ଼ି ବାପାମାଆଙ୍କ ବିନା ଅନୁମତିରେ ସାଙ୍ଗରେ ରହିବାକୁ ପସନ୍ଦ କରନ୍ତି, ତେବେ ଏସବୁ ମାମଲାରେ ଶୁଣାଣି କରିବା ପୂର୍ବରୁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବାକୁ ଆବଶ୍ୟକ।

ଯେମିତିକି ନାବାଳିକାର ବୟସ ? ଯୁବକ କିଛି ହିଂସା ଘଟାଇଛନ୍ତି କି ? କିମ୍ବା ଏଭଳି ଘଟଣା ଘଟାଇବା ପାଇଁ ଯୁବକ ସକ୍ଷମ କି ? ଯୁବକ ଜଣକ ନାବାଳିକା କିମ୍ବା ତାଙ୍କ ପରିବାର ଲୋକଙ୍କୁ ଧମକ ଚମକ ଦେବେ କି ? ଓ ଯଦି ଯୁବକୁ ଛାଡ଼ି ଦିଆଯାଏ, ତେବେ ସେ ପ୍ରମାଣ ନଷ୍ଟ କରିବାର ଆଶଙ୍କା ରହିଛି କି ? ଏସବୁ ଦିଗକୁ ବିଚାର କରି ନିଷ୍ପତ୍ତି ଶୁଣାଇବାକୁ ବମ୍ବେ ହାଇକୋର୍ଟ ପରାମର୍ଶ ଦେଇଥିଲେ। ଏବେ ପୋକ୍ସୋ କୋର୍ଟ ମାମଲାର ଶୁଣାଣି କଲା ବେଳେ ବମ୍ବେ ହାଇକୋର୍ଟଙ୍କ କଥାକୁ ବିଚାରକୁ ନେଇ ନିଜ ନିଷ୍ପତ୍ତି ଶୁଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.