ଲକ୍ ଡାଉନ୍‌ରେ ଡିପ୍ରେସନରେ ଆସି ଯୁବକ କଲେ ଆତ୍ମହତ୍ୟା, ମା’ଙ୍କୁ କହିଥିଲେ ‘ମୁଁ ଦରମା ପାଇବି ନାହିଁ’

Published By : Prameya-News7 Bureau | May 03, 2020 IST

ଆଲିଗଡ ୩।୫: ସମଗ୍ର ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍ ଡାଉନ୍ ଲାଗୁ କରାଯାଇଛି । ଏହି ସମୟରେ ଉତ୍ତରପ୍ରଦେଶର ଆଲିଗଡରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ​​ଯେଉଁଠାରେ ଜଣେ ଯୁବକ ଲକ୍ ଡାଉନ୍ ପାଇଁ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

ସୂଚନାଯୋଗ୍ୟ ଯେ, ଆଲିଗଡର ଥାନା ସିଭିଲ୍ ଲାଇନ୍ ଅଞ୍ଚଳର ଆଲାମବାଗର ମହମ୍ମଦ ହାଇଦର ନାମକ ଯୁବକ ଆତ୍ମହତ୍ୟା କରିଛନ୍ତି । ଲକ୍ ଡାଉନ୍ ଯୋଗୁଁ ସେ ଅବସାଦଗ୍ରସ୍ତ ହୋଇଥିଲେ । ଯାହା ଫଳରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ହାଇଦରଙ୍କ ବୟସ ୨୦ ବର୍ଷ ବୋଲି ଜଣାପଡିଛି । ପରିବାର ସଦସ୍ୟ କହିଛନ୍ତି ଯେ ହାଇଦର ଘରେ ତାଙ୍କ ମା’ଙ୍କ ସହ ରହୁଥିଲେ । ତାଙ୍କ ଭଉଣୀମାନେ ବିବାହିତ ଏବଂ ସେମାନେ ସମସ୍ତେ ନିଜ ଶାଶୁ ଘରେ ରୁହନ୍ତି । ବର୍ତ୍ତମାନ ରମଜାନ ହେତୁ ଭଉଣୀ ତାଙ୍କ ଘରକୁ ଦେଖା କରିବାକୁ ଆସିଥିଲେ ।

ହାଇଦରଙ୍କ ଭଉଣୀ କହିଛନ୍ତି ଯେ, ଲକ୍ ଡାଉନ୍ ଆରମ୍ଭ ହେବା ପରଠାରୁ ହାଇଦର ବହୁତ ଚୁପଚାପ ରହୁଥିଲେ । ସେ ପ୍ରାୟତଃ ଲକ୍ ଡାଉନ୍ ବିଷୟରେ ଚିନ୍ତା କରୁଥିଲେ । ସେ ତାଙ୍କ ମା’ଙ୍କୁ ଅନେକ ଥର କହିଥିଲେ ଯେ ଲକ୍ ଡାଉନ୍ ଯୋଗୁଁ ତାଙ୍କୁ ବିରକ୍ତି ଲାଗୁଛି । ଏଭଳି ପରିସ୍ଥିତିରେ ଦରମା ବି ମିଳିବନାହିଁ । ତାଙ୍କ ମାମୁଁ ରସିଦ କହିଛନ୍ତି ଯେ, ମହମ୍ମଦ ହାଇଦର ଅଲାନା ମାଂସ କାରଖାନାରେ କାମ କରୁଥିଲେ । କିନ୍ତୁ ଲକ୍ ଡାଉନ୍ କାରଣରୁ କାରଖାନା ବନ୍ଦ ଥିବାରୁ ହାଇଦର ସେହି ଦିନଠାରୁ ଘରେ ରହିଆସୁଥିଲେ । ଯାହା ପରେ ସେ ତାଙ୍କ ଚାକିରି ପାଇଁ ଚିନ୍ତିତ ଥିଲେ ।

ପୋଲିସ ଘଟଣାର ସଂପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଆତ୍ମହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ଆଲିଗଡ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.