ଲକ୍ ଡାଉନ୍‌ରେ ପରିବା କିଣିବାକୁ ଯାଇଥିଲେ ଯୁବକ, ବିବାହ କରି ପତ୍ନୀଙ୍କ ସହ ଫେରିଲେ ଘରକୁ

Published By : Prameya-News7 Bureau | April 30, 2020 IST

ଲକ୍ଷ୍ନୌ ୩୦।୪: ଲକ୍ ଡାଉନ୍ ରେ ପରିବା ଓ ରାସନ ଆଣିବାକୁ ଯାଇଥିଲେ ଯୁବକ, କିନ୍ତୁ ଘରକୁ ନବବଧୂଙ୍କୁ ସାଙ୍ଗରେ ନେଇ ଫେରିଥିଲେ । ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲା ଅଞ୍ଚଳରେ ଏଭଳି ଅଜବ ଘଟଣା ଘଟିଛି । ଗାଜିଆବାଦ ଜିଲ୍ଲାର ସାହିବାବାଦ ଅଞ୍ଚଳରେ ଲକ୍ ଡାଉନ୍ ରେ ପୁଅ ଅଚାନକ ବୋହୂକୁ ନେଇ ଆସିଥିବାରୁ ମା’ ବେହୋସ ହୋଇଯାଇଥିଲେ । ପ୍ରକୃତରେ ଯୁବକ ଜଣଙ୍କ ତାଙ୍କ ପ୍ରେମିକାଙ୍କୁ ସ୍ତ୍ରୀ ଭାବରେ ଘରକୁ ଆଣିଥିଲେ । ଯୁବକଙ୍କ ମା’ କିନ୍ତୁ ଏଥିରେ ସହମତ ନଥିଲେ । ଫଳରେ ସେ ଉଭୟଙ୍କୁ ଘରେ ପ୍ରବେଶ କରିବାକୁ ଦେଇନଥିଲେ । ଏହାପରେ ମାମଲା ଥାନାରେ ପହଞ୍ଚିଥିଲା ।

ଉଭୟ ବର କନ୍ୟା ପହଞ୍ଚିଥିଲେ ପୋଲିସ ଷ୍ଟେସନରେ । ଯୁବକଙ୍କ ମା’ ମଧ୍ୟ ସେଠାରେ ପହଞ୍ଚିଥିଲେ । ପୋଲିସ ନିକଟରେ ଯୁବକଙ୍କ ମା’ କହିଥିଲେ ଯେ, ଲକ୍ ଡାଉନ୍ ଉଲ୍ଲଂଘନ କରିଥିବା ପୁଅକୁ ଘର ଭିତରକୁ ଯିବାକୁ ଦେବ ନାହିଁ । ପୁଅ ପରିବା ଆଣିବାକୁ ଯାଇ ଝିଅକୁ ବିବାହ କରି ଆସିଛି । ଯୁବକଙ୍କ ମା’ ରାଜି ନହେବାରୁ ପୋଲିସ ଉଭୟ ବର ଓ କନ୍ୟାଙ୍କୁ ଅଲଗା ଭଡା ଘରେ ରହିବାକୁ କହିଛି ।

ଯୁବକ ଜଣଙ୍କ ଲକ୍ ଡାଉନ୍ ସମୟରେ ଘରୁ ବାହାରକୁ ଯାଇ ହଠାତ୍ କନ୍ୟା ସହ ଘରେ ପହଞ୍ଚିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଯୁବକଙ୍କ ମା’ କହିଛନ୍ତି ଯେ, ବିବାହ ହୋଇଛି ନାହିଁ ଏହାର କିଛି ପ୍ରମାଣ ନାହିଁ । ମାତ୍ର ଯୁବକ ଜଣଙ୍କ କହିଛନ୍ତି ଯେ, ମନ୍ଦିରରେ ସେମାନଙ୍କ ବିବାହ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.