ହସ୍ପିଟାଲର ମହିଳା ୱାର୍ଡରେ ୫୮ ବର୍ଷ ବୟସ୍କା ମହିଳା ରୋଗୀଙ୍କ ସହ ଦୁଷ୍କର୍ମ କରି ଯୁବକ ଫେରାର

Published By : Prameya-News7 Bureau | March 13, 2020 IST

ଜାମସେଦପୁର ୧୩/୦୩ : ଏମଜିଏମ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ୫୮ ବର୍ଷ ବୟସ୍କା ମହିଳାଙ୍କ ସହ ଜଣେ ଯୁବକ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି | ଏନେଇ ବୁଧବାର ଦିନ ସାକଚି ଥାନାରେ ଅଭିଯୁକ୍ତ ବିରୋଧରେ ଏକ ମାମଲା ରୁଜ୍ଜୁ ହୋଇଛି | ହସ୍ପିଟାଲର ମେଡ଼ିସିନ ୱାର୍ଡରେ ସପ୍ତାହେ ପୂର୍ବରୁ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ସେ କହିଛନ୍ତି |

ମହିଳାଙ୍କ ଘର ପର୍ଶୁଡିହ ଅଞ୍ଚଳରେ | ଦୁଷ୍କର୍ମ ମାମଲା ମାର୍ଚ୍ଚ ୬ ତାରିଖ ଦିନ ସୋସିଆଲ ମିଡ଼ିଆ ଦ୍ୱାରା ସାମ୍ନାକୁ ଆସିଥିଲା | ସେଠାକାର ଏକ ଖବରକାଗଜରେ ଏ ସମ୍ପର୍କ ଖବର ପ୍ରସାରଣ ପରେ ପୋଲିସ ମହିଳାଙ୍କ ନିକଟରେ ପହଞ୍ଚିଥିଲା |

ସାକଚି ଥାନା ଅଧିକାରୀ କୁନାଲ କୁମାର ଦୁଷ୍କର୍ମ ଘଟଣାର ଯାଞ୍ଚ କରିଛନ୍ତି | ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୫ ତାରିଖ ରାତିରେ ହସ୍ପିଟାଲର ତୃତୀୟ ମହଲାରେ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ଥାନା ଅଧିକାରୀ ସ୍ପଷ୍ଟ କରିଛନ୍ତି |

ମହିଳାଙ୍କ ଏଫଆଇଆର ଅନୁଯାୟୀ, ମହିଳା କୌଣସି ଏକ ପୁରୁଣା ରୋଗର ଚିକିତ୍ସା ପାଇଁ ଉକ୍ତ ହସ୍ପିଟାଲରେ ଗତ ଜାନୁଆରୀ ମାସରୁ ଭର୍ତ୍ତି ହୋଇଥିଲେ | ହସ୍ପିଟାଲର ମହିଳା ୱାର୍ଡରେ ସେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ | ମହିଳାଙ୍କ ପାଖ ବେଡ଼ରେ ଆଉ ଦୁଇଜଣ ମହିଳା ରୋଗୀ ମଧ୍ୟ ଥିଲେ | କିନ୍ତୁ ଦୁଷ୍କର୍ମ ରାତିରେ  ଅନ୍ୟ ଦୁଇ ମହିଳା ସେହି କୋଠରୀର କବାଟ ଭିତରପଟୁ ବନ୍ଦ କରିନଥିଲେ ବୋଲି ସେ କହିଛନ୍ତି |

ଥାନା ଅଧିକାରୀ କୁନାଲ କୁମାରଙ୍କ ସୂଚନା ଅନୁଯାୟୀ, ମାର୍ଚ୍ଚ ୫ ତାରିଖ ରାତି ପ୍ରାୟ ୧୧ଟା ବେଳେ ଜଣେ ଯୁବକ, ଯାହାର ବୟସ ପାଖାପାଖି ୨୫ ବର୍ଷ ହେବ ସେ ସେହି ମହିଳା ୱାର୍ଡକୁ ଆସିଥିଲା | ୱାର୍ଡକୁ ଆସି ସେ ଉକ୍ତ ମହିଳାଙ୍କ ସହ ଜୋରଜବରଦସ୍ତି କରିବାକୁ ଚେଷ୍ଟା କରିଥିଲେ | ମହିଳା ତାଙ୍କୁ ବିରୋଧ କରିବାରୁ ସେ ମହିଳାଙ୍କ ମୁହଁରେ କପଡା ବାନ୍ଧି ତାଙ୍କୁ ଛୁରୀ ଦେଖାଇଥିଲେ | ମହିଳାଙ୍କ ପାଖ ବେଡ଼ରେ ଥିବା ଅନ୍ୟ ଦୁଇ ମହିଳାଙ୍କୁ ମଧ୍ୟ ଛୁରୀ ଦେଖାଇ ସେ ଦରେଇବାକୁ ଚେଷ୍ଟା କରିଥିଲା | ପାଟି କଲେ ସେ ସେମାନଙ୍କୁ ମାରିଦେବ ବୋଲି ଧମକ ଦେଇଥିଲା | ଏହାପରେ ମହିଳାଙ୍କ ଦୁଷ୍କର୍ମ କରି ସେଠାରୁ ଫେରାର ହୋଇଯାଇଥିଲା | ଦୁଷ୍କର୍ମକାରୀ ପାଖରେ ଛୁରୀ ଥିବାରୁ ଅନ୍ୟ ଦୁଇ ମହିଳା ଭୟରେ ଚୁପ ଥିଲେ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି |

ପରଦିନ ସକାଳୁ ପୀଡିତା ମହିଳା କାନ୍ଦି କାନ୍ଦି ହସ୍ପିଟାଲ ଛାଡି ଚାଲିଯାଇଥିଲେ | ଏହାପରେ ଅନ୍ୟ ଦୁଇ ମହିଳା ମଧ୍ୟ ହସ୍ପିଟାଲ ଛାଡି ଚାଲି ଯାଇଥିଲେ |

ଥାନା ଅଧିକାରୀ କୁନାଲ କୁମାରଙ୍କ ସୂଚନା ଅନୁଯାୟୀ, ପୋଲିସ ହସ୍ପିଟାଲର ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତକୁ ଖୋଜୁଛି | ଏହାସହ ପୀଡିତାଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ଯେପରିକି ତାଙ୍କ ଜୀବନ ପ୍ରତି କୌଣସି ବିପଦ ନଥାଉ | ଆଇପିସି ଧାରା ୩୭୬ ରେ ପୋଲିସ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଖୋଜୁଛି | ପୀଡିତାଙ୍କ ମେଡିକାଲ ଯାଞ୍ଚ ମଧ୍ୟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ |

ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ସଞ୍ଜୟ କୁମାରକୁ ହସ୍ପିଟାଲ ଅଧିକାରୀ ନିଲମ୍ବିତ କରିଛନ୍ତି | ଦୁଷ୍କର୍ମ ମାମଲା ଏକ ଅପପ୍ରଚାର ବୋଲି ପୂର୍ବରୁ ସଞ୍ଜୟ କହିଥିଲେ | ହସ୍ପିଟାଲ ସିକ୍ୟୁରିଟି ପାଇଁ ଜଣେ ହୋମଗାର୍ଡ ନିୟୋଜିତ କରାଯାଇଥିଲା, ତଥାପି ଯଦି କେହି ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି ତାହେଲେ ଆମେ କଣ କରି ପାରିବୁ ବୋଲି ମନ୍ତବ୍ୟ ଦେଇଥିଲେ ସଞ୍ଜୟ | ସଞ୍ଜୟଙ୍କ ଏହି ମନ୍ତବ୍ୟ ପରେ ହସ୍ପିଟାଲ ଅଧିକାରୀ ତାଙ୍କୁ ନିଲମ୍ବିତ କରିଥିଲେ | ତେବେ ଦୁଷ୍କର୍ମ ଘଟଣାକୁ ସେ ଅପପ୍ରଚାର ବୋଲି କାହିଁକି କହିଥିଲେ ବୋଲି ପ୍ରଶ୍ନ କରିବାରୁ ସେ କୌଣସି ଜବାବ ନଦେଇ ଚୁପ ରହିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.