ଉଦଳା ୬।୮: କାନ୍ଥରୁ ଲିଭିନାହିଁ ବାହାଘରର ଶୁଭେଚ୍ଛା, ସୁଧ କାରବାର ପାଇଁ ଚାଲିଗଲା ଯୁବକଙ୍କ ଜୀବନ। ନିଜ ବାହାଘର ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କ ନିକଟରୁ ୧୦ ହଜାର ଟଙ୍କା ୫ ପ୍ରତିଶତ ସୁଧରେ ଆଣିଥିଲେ, ହେଲେ ଟଙ୍କା ସୁଝିବାରେ ବିଳମ୍ବ ହେବାରୁ ଉକ୍ତ ମହିଳା ଘରକୁ ଡାକି ଦୁର୍ବ୍ୟବହାର ଏବଂ ଗାଳିଗୁଲଜ କଲେ । ଶେଷରେ ଦୁର୍ବ୍ୟବହାର ସହିନପାରି ବେକରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଡିବାସାହି ଗ୍ରାମରେ ।
ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଡିବାସାହି ଗ୍ରାମର ଦୀପକ ପାତ୍ର ଗତ ମାର୍ଚ୍ଚ ୧୦ ତାରିଖରେ ବିବାହ କରିଥିଲେ । ନିଜ ବିବାହ ସମୟରେ ସେ କପ୍ତିପଦା ଅଞ୍ଚଳର ମହିଳାଙ୍କ ନିକଟରୁ ୧୦ ହଜାର ଟଙ୍କା ୫ ପ୍ରତିଶତ ସୁଧରେ ଆଣିଥିଲେ । ଯାହାକି ବାହାଘର ପରେ ସେ ନିଜ କର୍ମସ୍ଥଳୀ ଚେନ୍ନାଇ ଚାଲିଯାଇଥିବା ବେଳେ ଏକ ମାସ ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ବାପାଙ୍କ ମୃତ୍ୟୁ ଖବର ପାଇ ସେ ଘରକୁ ଆସିଥିଲେ । ଗତକାଲି ସେ ପୁଣି ଚେନ୍ନାଇ ଫେରିଯିବାକୁ ପ୍ରସ୍ତୁତି କରିଥିବା ବେଳେ ସୁଧ ଟଙ୍କା ଦେଇଥିବା ମହିଳା ଏବଂ ତାଙ୍କ ପୁଅ ନିଜ ଘରକୁ ଡାକି ଟଙ୍କା ନ ଦେଇଥିବାରୁ ଗାଳିଗୁଲଜ କରିବା ସହିତ ଦୁର୍ବ୍ୟବହାର କରିଥିଲେ । ଯାହାକି ସେଠାରୁ ଫେରିବା ପରେ ସମସ୍ତଙ୍କ ସାମ୍ନାରେ ସୁଧ କାରବାର କରୁଥିବା ମା’ ଏବଂ ପୁଅ ଅପମାନିତ କରିଥିବା କଥା ତାଙ୍କ ମା’ଙ୍କୁ କହିଥିଲେ । ପରେ ଘର ଭିତରେ ପସିଯାଇ ଭିତର ଆଡୁ କବାଟ ମାରି ବେକରେ ଶାଢ଼ୀ ଲଗାଇ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ । ପରିବାର ଲୋକେ ଅନେକ ଡାକିବା ପରେ କବାଟ ନ ଖୋଲିବାରୁ କବାଟ ଭାଙ୍ଗି ପୁଅ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ । କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ସେପଟେ ସୁଧ ଟଙ୍କା ପାଇଁ ଭାଇକୁ ମାନସିକ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା ମୃତକ ଦୀପକଙ୍କ ଭାଇ ଅଭିଯୋଗ କରିଛନ୍ତି ।
You Can Read:
ମୁରାରୀପୁର ମୁଖ୍ୟ କେନାଲରେ ୧୦ ଫୁଟର ଘାଇ, ଚାଷ ଜମିରେ ମାଡ଼ିଗଲା କେନାଲ ପାଣି