ଯୁବ କଂଗ୍ରେସ ଆଣିଲା ପାର୍ଟିରେ ନେତାଙ୍କ ଅବସର ଆୟୁ ପ୍ରସ୍ତାବ, ୨୦୨୪ ପର୍ଯ୍ୟନ୍ତ ଟାଳିଲେ CWC
17/05/2022 at 8:37 PM

ନୂଆଦିଲ୍ଲୀ ୧୭।୫: କଂଗ୍ରେସ ନେତାଙ୍କ ଲାଗି ସେବା ନିବୃତି (ରିଟାୟାରମେଣ୍ଟ) ବୟସର ପ୍ରସ୍ତାବ ଆସିଛି। ଯୁବ କଂଗ୍ରେସ ଏହି ପ୍ରସ୍ତାବ ଆଣିଥିବା ବେଳେ କଂଗ୍ରେସ କାର୍ଯ୍ୟକାରିଣୀ (ସିଡବ୍ଲୁସି) ଏହାକୁ ୨୦୨୪ ପର୍ଯ୍ୟନ୍ତ ଟାଳି ଦେଇଛନ୍ତି। ପଞ୍ଜାବ କଂଗ୍ରେସ ସଭାପତି ତଥା ପୂର୍ବତନ ଯୁବ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂହ ରାଜା ବରାଡଙ୍କ ଅଧ୍ୟକ୍ଷତାରେ ଗଠିତ କଂଗ୍ରେସ ଯୁବ କମିଟି ପାର୍ଟି ନେତାଙ୍କ ଲାଗି ରିଟାୟାରମେଣ୍ଟ ଆୟୁ ୬୫ ବର୍ଷ ସୁପାରିଶ କରିଛନ୍ତି।
ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଏହାକୁ ଏବେ ଲାଗୁ ନ କରି ୨୦୨୪ ଲୋକସଭା ନିର୍ବାଚନ ପରେ ଲାଗୁ କରିବାକୁ ବିଚାରରେ ରଖିଛନ୍ତି। କଂଗ୍ରେସ ଯୁବ କମିଟି କରିଥିବା ଏହି ଅବସର ସୁପାରିଶକୁ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ସମର୍ଥନ କରିଛନ୍ତି। ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ୨ ବର୍ଷ ପର୍ଯ୍ୟନ୍ତ ଏହାକୁ ଟାଳି ଦିଆଯାଇଛି। ପ୍ରାୟ ୯ ବର୍ଷ ପରେ ନିକଟରେ ଉଦୟପୁର ଚିନ୍ତନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୪୩୦ କଂଗ୍ରେସ ନେତା ଯୋଗ ଦେଇଥିବା ବେଳେ ୬ଟି ଚିଠା ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି।

ଶିବିରରେ ଚର୍ଚ୍ଚା ଲାଗି ପାର୍ଟି ଅଧ୍ୟକ୍ଷା ଅଲଗା ଅଲଗା ୬ଟି କମିଟି ଗଠନ କରିଥିଲେ। ଏଥିରେ ଅନେକ ନିଷ୍ପତ୍ତି ହୋଇଥିଲେ ହେଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଟାଳି ଦିଆଯାଇଥିଲା। ତେବେ ଏହି ନିଷ୍ପତ୍ତି ନେତାଙ୍କ ଅବସରକାଳୀନ ଆୟୁ ହୋଇଥିବା ବେଳେ ପାର୍ଟି ଅଧ୍ୟକ୍ଷାଙ୍କର ମଧ୍ୟ ଏଥିପ୍ରତି ସହମତି ଥିଲା। ଯାହାକୁ ନେଇ ପରେ ପାର୍ଟି ନେତାଙ୍କ ମଧ୍ୟରେ ବିବାଦ ହୋଇଯାଇଥିଲା। ଏହାର ଏକ ମୁଖ୍ୟ କାରଣ ଥିଲା ପ୍ରାୟ ବରିଷ୍ଠନେତା ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ।
ତେବେ ଏହି ପ୍ରସ୍ତାବ ଉପରେ ଚିନ୍ତନଶିବିରରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ ପାର୍ଟି ବର୍ତ୍ତମାନ ଯେଉଁ ପରିସ୍ଥିତି ଦେଇ ଗତି କରୁଛି ଏଥିରେ ସୁପାରିଶ କାର୍ଯ୍ୟକାରୀ କରାଗଲେ ଏହାର ଖରାପ ପ୍ରଭାବ ପାର୍ଟି ଉପରେ ପଡିବ ବୋଲି ନିଷ୍କର୍ଷ ବାହାରିଥିଲା। ବର୍ତ୍ତମାନ ସମୟରେ ଏହା ଉଚିତ ନିର୍ଣ୍ଣୟ ହେବନାହିଁ ବୋଲି କୁହାଯାଇଥିଲା। ଏହା ସତ୍ତ୍ୱେ ଯଦି ସୁପାରିଶ କାର୍ଯ୍ୟକାରୀ କରାଯାଏ ତେବେ ବିଭିନ୍ନ ରାଜ୍ୟରେ ଦାୟିତ୍ୱ ସମ୍ଭାଳିଥିବା ବରିଷ୍ଠ ନେତାମାନେ ଅବସର ନେଇ ଘରକୁ ଚାଲିଯିବେ ବୋଲି କୁହାଯାଇଥିଲା।
ତେବେ ବରିଷ୍ଠ ନେତାଙ୍କୁ ୨ ବର୍ଷର କୁଲିଂ ପିରିୟଡ ମିଳିଯାଇଥିବା ବେଳେ ବୈଠକରେ ୫୦ ବର୍ଷରୁ କମ ଆୟୁବର୍ଗର ଯୁବନେତାଙ୍କୁ ସଙ୍ଗଠନରେ ଉପଲବ୍ଧ ପଦପଦବୀର ୫୦ ପ୍ରତିଶତ ଦେବାକୁ ନିଷ୍ପତ୍ତି ହୋଇଛି। ଏହି ପ୍ରସ୍ତାବକୁ ସବୁ ବରିଷ୍ଠ ନେତାମାନଙ୍କ ସର୍ବସମ୍ମତି ମିଳିଛି।