‘ମୋ ସ୍ତ୍ରୀଠୁ ମୋତେ ରକ୍ଷା କର, ଆଖିରେ ଲଙ୍କା ଗୁଣ୍ଡ ପକାଇ ମାଡ ମାରୁଛି’, ପୋଲିସକୁ ଗୁହାରି କଲେ ଯୁବକ
24/05/2022 at 9:07 PM

ଇନ୍ଦୋର: ମଧ୍ୟ ପ୍ରଦେଶର ଗ୍ୱାଲିୟରରେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଏକ ଅଜବ ବିବାଦ ସାମନାକୁ ଆସିଛି। ସ୍ତ୍ରୀର ନିର୍ଯାତନାରେ ଅତିଷ୍ଠ ହୋଇ ଏସଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ୱାମୀ। ତାଙ୍କ ଅଭିଯୋଗ ପତ୍ନୀ ଘରେ କିଛି କାମ କରୁ ନାହାନ୍ତି ଏବଂ ଶାଶୂ ଶ୍ୱଶୁରଙ୍କ ସହ ଦୁର୍ବ୍ୟବହାର କରୁଛନ୍ତି। ଏହାସହ ପରିବାର ଲୋକଙ୍କ ସହ ମିଶି ତାଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇବା ସହ ମାଡ ମାରିଥିବା ପୀଡିତ ସ୍ୱାମୀ ଅଭିଯୋଗ କରିଛନ୍ତି । ସ୍ୱାମୀର ଅଭିଯୋଗ ପରେ ମାମଲା ତଦନ୍ତ କରିବା ନେଇ ପୋଲିସ ଭରଷା ଦେଇଛି ।
ଗ୍ୱାଲିୟରରେ ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ ଚାପୁଡା ମାରିଥିଲେ । ଏଥିରେ ରାଗି ଯାଇ ନିଜ ପରିବାର ଲୋକଙ୍କ ସହ ମିଶି ସ୍ୱାମୀଙ୍କୁ ନିସ୍ତୁକ ମାଡ ମାରିଥିଲା ସ୍ତ୍ରୀ । ମୁରେନା ଜିଲ୍ଲାର ରିଠୋରା ଗାଁ ନିକଟରେ ବାସ କରୁଥିବା ସଞ୍ଜୟ ସିଂ ଏବଂ ତାଙ୍କ ସ୍ତ୍ରୀ ପୂଜାଙ୍କ ସହ ବିବାଦ ହୋଇଥିଲା । ପୂଜା ତାଙ୍କ ଶାଶୂ ଶ୍ୱଶରଙ୍କୁ ଦୁର୍ବ୍ୟବହାର କରୁଥିଲେ । ଏହାକୁ ବିରୋଧ କରିଥିଲେ ସଞ୍ଜୟ । ବଚସା ଅଧିକ ହେବା ପରେ ସଞ୍ଜୟ ପୂଜାଙ୍କୁ ଗୋଟିଏ ଚାପୁଡା ମାରିଥିଲେ। ଏଥିରେ ରାଗି ଯାଇ ପୂଜା ଧମକ ଦେବା ସହ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ । ଶେଷରେ ସଞ୍ଜୟ ପୂଜାଙ୍କୁ ତାଙ୍କ ବାପା ଘରେ ଛାଡିବାକୁ ଯାଇଥିଲେ । ତେବେ ଘରେ ପ୍ରବେଶ କରିବା ସହ ପୂଜାଙ୍କ ପୂରା ପରିବାର ସଞ୍ଜୟଙ୍କୁ ମାଡ ମାରିଥିଲେ । ପ୍ରଥମେ ତାଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇଥିଲେ ଏବଂ ପରେ ସମସ୍ତ ମିଶି ମାଡ ମାରିଥିଲେ । ଶ୍ୱଶୁର ଘରେ ମାଡ ଖାଇବା ପରେ ଥାନାରେ ପହଞ୍ଚି ସ୍ତ୍ରୀଠୁ ସୁରକ୍ଷା ଦେବା ପାଇଁ ପୋଲିସ ନିକଟରେ ସଞ୍ଜୟ ନିବେଦନ କରିଥିଲେ । ଏସଏସପି ମିତ ସାଂଘୀ ମାମଲାର ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଭରଷା ଦେଇଛନ୍ତି ।