Facebookରେ Fake ପ୍ରେମିକ : ଧର୍ମ ବଦଳାଇ ପ୍ରଥମେ ପ୍ରେମ,ପରେ ବ୍ଲାକମେଲ୍

Published By : Prameya-News7 Bureau | August 15, 2020 IST

ଲକ୍ଷ୍ନୌ ୧୫/୮: ଲକ୍ଷ୍ନୌର ମଡ଼ିୟାଁବ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଫେସବୁକରେ ଧର୍ମ ଏବଂ ନାଁ ବଦଳାଇ ବନ୍ଧୁତା କରିବା ପରେ ଯୁବକ ନିଜ ପ୍ରେମଜାଲରେ ଫସାଇଥିଲା ଏବଂ ଏହା ପରେ ଅଶ୍ଳୀଳ ଫଟୋ ଭାଇରାଲ୍ କରିବାର ଧମକ ଦେଇ ବ୍ଲାକମେଲ୍ କରିଥିଲା। ପୀଡ଼ିତାଙ୍କ ବୟାନ ଆଧାରରେ ମଡ଼ିୟାଁବ ଥାନାରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇଛି। ପୋଲିସଙ୍କ କହିବା ଅନୁସାରେ,ଏପରି କରିଥିବା ବ୍ୟକ୍ତି ଆଉ କେହି ନୁହେଁ ବରଂ ଯୁବତୀଙ୍କ ପୂର୍ବତନ ବୟଫ୍ରେଣ୍ଡ।

ପୋଲିସର କହିବା ଅନୁସାରେ ବାରାବଙ୍କିରେ ରହୁଥିବା ନଦୀମ ନାମକ ଯୁବକ ଫେସବୁକରେ ଫେକ୍ ଆକାଉଣ୍ଟ କରି ଧର୍ମ ବଦଳାଇ ନବଦୀପ ବର୍ମା ନାମକ ଆଇଡି କରିଥିଲା। ନଦୀମ ବ୍ଲାକମେଲ୍ କରି ଯୁବତୀଙ୍କଠୁ ଟଙ୍କା ହଡ଼ପ କରିଥିଲା। ଯୁବତୀଙ୍କ ଅଭିଯୋଗ ହେଉଛି ନଦୀମ୍ ଲବ୍ ଜିହାଦ ନାମକ ସଙ୍ଗଠନ ସହ ଜଡ଼ିତ। ବର୍ତ୍ତମାନ, ପୋଲିସ୍ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି। ଏହା ସହିତ ପୋଲିସ୍ ଅଭିଯୁକ୍ତକୁ ଖୋଜୁଛି।

ମଡ଼ିୟାବଁର ବେଦନାଥ ପୁରମରେ ରହୁଥିବା ଯୁବତୀ ପୋଲିସ୍ ନିକଟରେ ବ୍ଲାକମେଲ୍ କରିବା ଏବଂ ଫେସବୁକରେ ଅଶ୍ଳୀଳ ଫଟୋ ଛାଡ଼ିବା ଅଭିଯୋଗ କରିଥିଲେ। ପୀଡ଼ିତା କହିଥିଲେ ଯେ ୩ବର୍ଷ ତଳେ ତାଙ୍କର ବାରାବଙ୍କିରେ ରହୁଥିବା ନବଦୀପ ବର୍ମା ସହ ସାକ୍ଷାତ ହୋଇଥିଲା। ଧୀରେ ଧୀରେ ଉଭୟେ ଘନିଷ୍ଠ ହୋଇଥିଲେ। ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଯୁବତୀଙ୍କୁ ନବଦୀପଙ୍କ ଚାଲିଚଳଣ ଭଲ ଲାଗିନଥିଲା ସେଥିପାଇଁ ସେ ବିବାହ କରିବାକୁ ମନା କରି ଦେଇଥିଲେ।

ଏହି ନିଷ୍ପତ୍ତି ଶୁଣି ରାଗି ଯାଇ ନବଦୀପ ପ୍ରେମିକାଙ୍କଠୁ ପ୍ରତିଶୋଧ ନେବା ପାଇଁ ନିଜ ବନ୍ଧୁର ସାହାଯ୍ୟ ନେଇଥିଲା। ନଦୀମ ନାମକ ଯୁବକ ଫେସବୁକରେ ଫେକ୍ ହିନ୍ଦୁ ଯୁବକ ନାଁରେ ଆଇଡି ବନାଇ ଯୁବତୀଙ୍କୁ ଫ୍ରେଣ୍ଡ ରିକ୍ବେଷ୍ଟ ପଠାଇଥିଲା। ଏହା ପରେ ଉଭୟେ ଚାଟିଂ କରିବାକୁ ଲାଗିଲେ। ଏହା ପରେ ଯୁବତୀ ଯେତେବେଳେ ବନ୍ଧୁଙ୍କ ସହ ଗୋଆ ବୁଲିବାକୁ ଯାଇଥିଲେ ସେତେବେଳେ ନଦୀମ୍ ତାଙ୍କୁ କହିଥିଲା ଯେ ସେ ମଧ୍ୟ ଗୋଆରେ ରୁହେ। ନଦୀମ ଯୁବତୀଙ୍କ ନିକଟତର ହେବାକୁ ଉଦ୍ୟମ କରିଥିଲା।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଯେତେବେଳେ ସେ ନଦୀମର ଜାଲରେ ଫସିନଥିଲେ ସେତେବେଳେ ସେ ପ୍ରତିଶୋଧ ନେବା ପାଇଁ ଯୋଜନା କରିଥିଲା। ନଦୀମ୍ ଯୁବତୀଙ୍କ ନାଁରେ ଫେକ ଆକାଉଣ୍ଟ କରି ସେଥିରେ ଅଶ୍ଳୀଳ ମ୍ୟାସେଜ ପଠାଇଥିଲା। ସେ ତାଙ୍କୁ ଫୋନ୍ ଏବଂ ହ୍ବାଟସଆପ ଜରିଆରେ ମଧ୍ୟ ବଦନାମ କରିବାକୁ ଉଦ୍ୟମ କରିଥିଲା। ଯାହା ପରେ ଯୁବତୀ ଚିନ୍ତାରେ ପଡ଼ି ଯାଇଥିଲେ। ଶେଷରେ ପୀଡ଼ିତା ପୋଲିସର ସାହାଯ୍ୟ ନେବାକୁ ନିଷ୍ପତ୍ତି ନେଇଥିଲେ।  

ପୀଡ଼ିତା କହିଥିଲେ ଯେ ଯେତେବେଳେ ତାଙ୍କୁ ଜଣା ପଡ଼ିଥିଲା ଯେ ନଦୀମ ଲବ ଜିହାଦ ପାଇଁ କାମ କରୁଛି ଯୁବତୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କ ମାଆ ତାଙ୍କୁ ବୁଝାଇ ଏହା ନକରିବାକୁ କହିଥିଲେ। ଚିନ୍ତିତ ହୋଇ ଯୁବତୀ ଅଖିଳ ଭାରତ ହିନ୍ଦୁ ମହାସଭା ସହ ଯୋଗାଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.