ଜଳେଶ୍ବର ୧୮।୧୦: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଶିଖରପୁର ପଂଚାୟତର ବେଲବାରିଆ ଗ୍ରାମରେ ଅଭାବନୀୟ ଘଟଣା । ଯୁବକଙ୍କୁ ଫୋନ୍ କରି ଘରୁ ଡାକିଆଣି ଧାରୁଆ ଛୁରୀରେ ହାଣିଲେ । ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକ ଜଣଙ୍କ ହେଲେ ଶିବଶଙ୍କର ସେନାପତି ।
ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ବେଲବାରିଆ ଗ୍ରାମର ଉମାକାନ୍ତ ସେନାପତିଙ୍କର ପୁଅ ଶିବଶଙ୍କର ସେନାପତିଙ୍କୁ ଗତ ୧୭ତାରିଖ ଅପରାହ୍ନ ସମୟରେ ସେହି ଗ୍ରାମର ସ୍ବର୍ଗତ ଛାୟାକାନ୍ତ ସେନାପତିଙ୍କର ପୁଅ ରାଜୀବ ସେନାପତି ଫୋନ୍ ଯୋଗେ ମାର୍କେଟକୁ ଡାକିଥିଲେ । ଶିବଶଙ୍କର ଘରୁ ମାର୍କେଟ ଯିବେ ବୋଲି କହି ବାହାରି ଆସିଥିଲେ । ସେଠାରେ ରାଜୀବ ଏକ ଧାରୁଆ ଛୁରୀ ସାହାଯ୍ୟରେ ତାଙ୍କ ଗଳାକୁ କାଟିବାକୁ ଚେଷ୍ଟା କରୁଥିଲା ବେଳେ ତାଙ୍କ ହାତ ଓ ଗଳା କଟିଯାଇଛି । ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଜଳେଶ୍ବର ଡାକ୍ତରଖାନାକୁ ନେଇଥିଲେ । ତେବେ ଗୁରୁତର ଅବସ୍ଥାରେ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୁଅ ଜୀବନ ମରଣ ସହିତ ସଂଗ୍ରାମ କରୁଥିଲା ବେଳେ ନ୍ୟାୟ ପାଇଁ ଶିବଶଙ୍କରଙ୍କ ମା’ ଜଳେଶ୍ବର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇ ତଦନ୍ତ ଜାରି ରଖିଛି । ନ୍ୟାୟ ପାଇଁ ଶିବଙ୍କର ପରିବାର ତରଫରୁ ଦାବି କରାଯାଇଛି ।