ପ୍ରେମିକାକୁ ୭ମାସର ଗର୍ଭବତୀ କରି ଫେରାର ହେଲା ଲମ୍ପଟ ପ୍ରେମିକ, ଦେଇଥିଲା ବିବାହର ପ୍ରତିଶ୍ରୁତି

Published By : Prameya-News7 Bureau | September 23, 2021 IST

ଆନନ୍ଦପୁର ୨୩।୯: ଆନନ୍ଦପୁର ଥାନା ପଣ୍ଡୁଆ ଗ୍ରାମରେ ଜଣେ ଯୁବତୀଙ୍କୁ ୭ ମାସର ଗର୍ଭବତୀ କରାଇ ପ୍ରେମିକ ଫେରାର ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ସମ୍ପର୍କରେ ଗତ ୬ ତାରିଖରେ ପୀଡିତା ଯୁବତୀଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ଏଫଆଇଆର ରେଜିଷ୍ଟ୍ରି ମଧ୍ୟ ହୋଇନଥିବା ଜଣା ପଡିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୋଲିସ ମୁହଁ ଖୋଲିବାକୁ ନାରାଜ । ସଂପୃକ୍ତା ଯୁବତୀ ଜଣଙ୍କ ଗର୍ଭବତୀ ହେବା ସମୟରେ ସେ ନାବାଳିକା ଥିବା ମଧ୍ୟ ସାର୍ଟିଫିକେଟରୁ ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଯୁବତୀ ଜଣଙ୍କ ଏକ ଟ୍ରାକ୍ଟରରେ ଶ୍ରମିକ ଭାବେ କାମ କରୁଥିବା ବେଳେ ସଂପୃକ୍ତ ଟ୍ରାକ୍ଟର ଚଲାଉଥିବା ନିକଟସ୍ଥ ବାଲିପଶି ଗ୍ରାମର ଯୁବକଙ୍କ  ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା । ଯୁବକ ଜଣଙ୍କ ବିବାହର ପ୍ରତିଶ୍ରୁତି ଦେଇ ସଂପୃକ୍ତ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ । ଏବେ ଯୁବତୀ ଜଣଙ୍କ ୭ ମାସର ଗର୍ଭବତୀ ଥିବା ବେଳେ ତାଙ୍କୁ ଛାଡି ଫେରାର ହୋଇଯାଇଛନ୍ତି ।  କିଛି ଦିନ ପୂର୍ବେ ଗାଁ ଲୋକଙ୍କ ଚାପରେ ଯୁବକ ଜଣଙ୍କ ତାଙ୍କୁ ନିଜ ଘରକୁ ନେଇ ସେଠାରେ ରଖି ଫେରାର ହୋଇଯାଇଛନ୍ତି । ହେଲେ ଯୁବକଙ୍କ ପରିବାର ଲୋକେ ଯୁବତୀଙ୍କୁ ଧମକ ଚମକ ଦେବାରୁ ଯୁବତୀ ୨ ଦିନ ରହି ଭୟରେ ବାପ ଘରକୁ ଚାଲି  ଆସିଛନ୍ତି । ଫେରାର ଯୁବକକୁ ଯୁବତୀଙ୍କ ବାପା-ମା’ ଅନେକ ସ୍ଥାନରେ ଖୋଜାଖୋଜି କରୁଛନ୍ତି । ହେଲେ ତାର କୌଣିସ ସନ୍ଧାନ ମିଳୁନାହିଁ । ପୋଲିସ ଏହି ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ପୀଡିତା ଯୁବତୀଙ୍କ ପରିବାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.