ଦେଶରେ କେବଳ ଏହି ବ୍ୟାଙ୍କମାନଙ୍କରେ ଆପଣଙ୍କ ପଇସା ସୁରକ୍ଷିତ, RBI ଜାରି କଲେ ପୁରା ଲିଷ୍ଟ
6/01/2023 at 7:33 PM

ମୁମ୍ବାଇ ୬।୧: ଭାରତରେ ଅନେକ ବ୍ୟାଙ୍କ ଅଛନ୍ତି, ଯେଉଁଠି ଲକ୍ଷଲକ୍ଷ ଲୋକେ ସେମାନଙ୍କ ଆକାଉଣ୍ଟ ଖୋଲିଛନ୍ତି। ଏଥିରେ ସରକାରୀରୁ ଆରମ୍ଭ କରି ପ୍ରାଇଭେଟ ପର୍ଯ୍ୟନ୍ତ ବ୍ୟାଙ୍କମାନଙ୍କର ଦୀର୍ଘ ସୂଚୀ ରହିଛି। ତେବେ ଭାରତୀୟ ରିଜର୍ଭ ବ୍ଯାଙ୍କ (ଆରବିଆଇ)ଙ୍କ ପକ୍ଷରୁ ବ୍ୟାଙ୍କ ନେଇ ବଡ଼ ସୂଚନା ଜାରି ହୋଇଛି। ଯେଉଁଠି ଆପଣଙ୍କ କଷ୍ଟାର୍ଜିତ ଧନ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ସୂଚିତ କରାଯାଇଛି। ଏ ନେଇ ଆରବିଆଇ ଏକ ସୂଚୀ ମଧ୍ୟ ଜାରି କରିଛନ୍ତି ଯେଉଁଠି ଆପଣଙ୍କ ସଞ୍ଚିତ ଅର୍ଥ ସୁରକ୍ଷିତ ବୋଲି କହିଛନ୍ତି।
ଦେଶରେ ବ୍ୟାଙ୍କକୁ ଯଦି କୌଣସି ପ୍ରକାରର କ୍ଷତି ହୁଏ ତେବେ ଏହା ଗ୍ରାହକଙ୍କ ସମେତ ଦେଶର ମଧ୍ୟ କ୍ଷତିବୋଲି ପରିଗଣିତ ହୁଏ। ଏଥିରେ ଆରବିଆଇ ଡୋମେଷ୍ଟିକ୍ ସିଷ୍ଟମେଟିକଲି ଇମ୍ପୋର୍ଟାଣ୍ଟ ବ୍ୟାଙ୍କ (ଡି-ଏସଆଇବିଏସ୍) ୨୦୨୨ର ସୂଚୀ ଜାରି କରିଛନ୍ତି। ଯେଉଁଥିରେ ସରକାରୀ ଓ ଘରୋଇ ବ୍ୟାଙ୍କ ମାନଙ୍କ ନାମ ମଧ୍ୟ ରହିଛି। ଏହା ସହ ଏହି ସୂଚୀରେ ଗତବର୍ଷ ସାମିଲ ବ୍ୟାଙ୍କମାନଙ୍କର ନାମ ମଧ୍ୟ ରହିଛି।

ଆରବିଆଇଙ୍କ ଦ୍ୱାରା ପ୍ରଦତ ସୂଚନା ଅନୁସାରେ ୨୦୨୨ର ଏହି ସୂଚୀରେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟତୀତ ଘରୋଇ କ୍ଷେତ୍ରର ଏଚଡିଏଫସି ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କର ନାମ ମଧ୍ୟ ରହିଛି। ଆରବିଆଇଙ୍କ ଏହି ଲିଷ୍ଟରେ ଥିବା ବ୍ୟାଙ୍କମାନଙ୍କ ଉପରେ ସରକାରଙ୍କ କଡା ନଜର ରହିଥାଏ। ଆରବିଆଇଙ୍କ ସୂଚୀ ଅନୁସାରେ ଏସବିଆଇଙ୍କ ରିସ୍କ ବେଟେଡ୍ ଆସେଟ୍ର ୦.୬୦ ପ୍ରତିଶତ ଅଂଶ ଟିୟର-୧ ରୂପେ ରଖା ଯାଏ। ସେହି ଅନୁସାରେ ଆଇସିଆଇସିଆଇ ଓ ଏଚଡିଏଫସି ବ୍ୟାଙ୍କଙ୍କ ରିସ୍କ ବେଟେଡ ଆସେଟ୍ ୦.୨୦ ପ୍ରତିଶତ ରହିଛି।
ଆରବିଆଇ ଗତ ୨୦୧୫ ମସିହାରୁ ଏପରି ବ୍ୟାଙ୍କମାନଙ୍କ ସୂଚୀ ଜାରି କରିଆସୁଛନ୍ତି। ଯେଉଁମାନେ ଦେଶର ଅର୍ଥ ବ୍ୟବସ୍ଥା ଲାଗି ଅତ୍ୟନ୍ତ ଜରୁରି ଓ ଏମାନଙ୍କ ଉପରେ ଆରବିଆଇଙ୍କ କଡା ନଜର ରହିଥାଏ। ଆରବିଆଇଙ୍କ ପକ୍ଷରୁ ବ୍ୟାଙ୍କଙ୍କୁ ରେଟିଂ ମଧ୍ୟ ଦିଆଯାଏ। ଯାହା ପରେ ଏହି ଜରୁରି ବ୍ୟାଙ୍କମାନଙ୍କ ସୂଚୀ ପ୍ରସ୍ତୁତ କରାଯାଇଥାଏ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସୂଚୀରେ ଏସବିଆଇଙ୍କ ସହିତ ୨ଟି ଘରୋଇ ବ୍ୟାଙ୍କ ଏଚଡିଏଫସି ଓ ଆଇସିଆଇସିଆଇ ବ୍ୟାଙ୍କର ନାମ ରହିଛି।